
୨୦/୦୩/୨୧ (ଜିଲ୍ଲା ଖବର) : ମେଟ୍ରୋ କୋଚ୍ ରେ ଜନ୍ମଦିନ ପାର୍ଟି । ହଁ ଯଦି ଆପଣଙ୍କର ଏମିତି କିଛି ଇଚ୍ଛା ଅଛି ତେବେ ଏହା ଏବେ ପୁରା ହୋଇପାରିବ । କାରଣ ରାଜସ୍ଥାନ ଜୟପୁର ମେଟ୍ରୋ ଏବେ ଏହି ସୁବିଧା ଲୋକମାନଙ୍କ ପାଇଁ ଆଣିଛି । ରାଜ୍ୟସ୍ୱ ବୃଦ୍ଧି କରିବା ଉଦେଶ୍ୟରେ ଏହି ନୂଆ ଓ ଅଭିନବ ଉପାୟ ଆପଣାଇଛନ୍ତି ଜୟପୁର ମେଟ୍ରୋ କର୍ତ୍ତୃପକ୍ଷ । ମେଟ୍ରୋ କର୍ତ୍ତୃପକ୍ଷଙ୍କ ବିବୃତ୍ତି ଅନୁଯାୟୀ, ଘଣ୍ଟା ପ୍ରତି 5000 ଟଙ୍କା ଦେବାକୁ ପଡିବ । ଏବଂ ପରେ ଯଦି ଆଉ ଏକ ଘଣ୍ଟା ବୁକ୍ କରିବାକୁ ଚାହୁଁଛନ୍ତି ତେବେ ଆଉ 1000 ଟଙ୍କା ପୈଠ କରିବାକୁ ପଡିବ । ସେହିପରି 4 ଟି କୋଚ୍ ପାଇଁ 20 ହଜାର ଟଙ୍କା ଓ ଅଧିକ ସମୟ ପାଇଁ 5 ହଜାର ଟଙ୍କା ଦେବାକୁ ପଡିବ । କେବଳ ଏତିକି ନୁହେଁ ଇଭେଣ୍ଟ ମ୍ୟାନଜେମେଣ୍ଟ କମ୍ପାନୀ ଗୁଡିକ ମଧ୍ୟ ଏଥିରେ ବିଜ୍ଞାପନ ଦେଇପାରିବେ । ବିଭିନ୍ନ ହୋଡିଂ, କିମ୍ବା ବ୍ୟାନର ମଧ୍ୟ ଲଗାଇ ପାରିବେ । ଏଥିପାଇଁ ତାଙ୍କୁ ଧାର୍ଯ୍ୟ ହୋଇଥିବା ମୂଲ୍ୟ ପୈଠ କରିବାକୁ ପଡିବ । ସାଧାରଣତଃ ନିଜ ଜନ୍ମଦିନକୁ କିଛି ଭିନ୍ନ ଅନ୍ଦାଜରେ ପାଳନ କରିବାକୁ ସମସ୍ତେ ଚାହିଁଥାନ୍ତି । ଏଥିପାଇଁ ଜନ୍ମଦିନର ଢେର ଆଗରୁ ବିଭିନ୍ନ ପ୍ରକାରର ପନ୍ଥା ଆପଣାଇଥାନ୍ତି । ତେବେ ମେଟ୍ରୋରେ ଜନ୍ମଦିନ ସମ୍ପୂର୍ଣ୍ଣ ନୂଆ ହୋଇଥିବା ବେଳେ ଏହାକୁ ଲୋକେ ଖୁବ ପସନ୍ଦ କରିବେ ବୋଲି ଜୟପୁର ମେଟ୍ରୋ କର୍ତ୍ତୃପକ୍ଷଙ୍କ ତରଫରୁ କୁହାଯାଇଛି ।


