Friday, November 13, 2026
Home ଆଞ୍ଚଳିକ ଆଜି ବିଶ୍ୱ ପଖାଳ ଦିବସ, ଖରା ଦିନିଆ ପଖାଳ ଖାଇବାର ମଜା ନିଆରା

ଆଜି ବିଶ୍ୱ ପଖାଳ ଦିବସ, ଖରା ଦିନିଆ ପଖାଳ ଖାଇବାର ମଜା ନିଆରା

92

 ଭୁବନେଶ୍ୱର, ୨୦/୦୩/୨୧ (ଜିଲ୍ଲା ଖବର) : ସ୍ୱାଦିଷ୍ଠ ବ୍ୟଞ୍ଜନରେ ମହକିତ ହୁଏ ଓଡ଼ିଆଙ୍କ ବାରମାସରେ ତେର ପର୍ବ । ଖାଦ୍ୟ ପ୍ରିୟ ଓଡ଼ିଆ ତାର ଅତିପ୍ରିୟ ପଖାଳ ପାଇଁ ସୃଷ୍ଟି କରିଛି ଏଭଳି ଆଉ ଏକ ନିଆରା ଦିନ । ମାର୍ଚ୍ଚ 20 ଆସିଲେ ଗାଁରୁ ସହର ଆଉ ଝୁମ୍ପୁଡି ରୁ ତାରକା ହୋଟେଲ ଆଉ ହଷ୍ଟେଲ ଯାଏଁ ସବୁଠି ରାଜ କରେ ଭଳିକି ଭଳି ଆଇଟମ ସହ ମହକରେ ଭରା ପଖାଳ କଂସା । ଚାରିଆଡେ ପଖାଳର ଆସର ଭିତରେ ଆମେ ରାଜଧାନୀ ରୋଜି କିଚେନ ର ନିଆରା ପଖାଳ ହାଣ୍ଡିରୁ ପରଖିଛୁ ଓଡ଼ିଆ ବ୍ୟଞ୍ଜନ ପ୍ରତି ଆକର୍ଷଣର ଅସଲ କାରଣ । ମାଟିହାଣ୍ଡିରେ ରହିଛି ପଖାଳ । ତୋରାଣୀ ଉପରେ ଭାସୁଛି ଲଙ୍କା, କଟାପିଆଜ, ଧନିଆପତ୍ର, ଆଉ ଜିରାଭଜାର ଫୁଟଣ । ପାଖରେ କଦଳୀ ପତ୍ର ଉପରେ ପରଷାଯାଇଛି ଭଳିକି ଭଳି ସ୍ୱାଦ, ସୁଗନ୍ଧ ଓ ସ୍ବାସ୍ଥ୍ୟକର ଗୁଣରେ ଭରା ନାନା ପ୍ରକାର ବ୍ୟଞ୍ଜନ । ଏଭଳି ଖାଦ୍ୟ ପାଇଁ ସବୁ ଆଡେ ରହିଛି ଆଗ୍ରହ ଆଉ ଉତ୍ସାହ ।

ଘରଠାରୁ ବାହାରେ ହଷ୍ଟେଲ ରେ ରହୁଥିବା ଯୁବାଵର୍ଗ ମଧ୍ୟ ଆଜି ପଖାଳ ଖାଇ ଏହି ଦିନକୁ ପାଳୁଥିବା କହନ୍ତି । ସ୍ୱୟଂପ୍ରଜ୍ଞା କହନ୍ତି ମୋ ପାଇଁ ସବୁଠୁ ପ୍ରିୟ ପଖାଳ । ପଖାଳ କୁ ମୁଁ ବହୁତ ଭଲ ପାଏ । ଏଥିରେ ମାଛଭଜା, ବଡ଼ିଚୁରା ମିଳିଗଲେ  ମୋର ବେଲାଏ ପଖାଳ ଉଠିଯାଏ । ରାଜଶ୍ରୀ କହନ୍ତି ହଷ୍ଟେଲ ଠୁ ଘର ସବୁଠି ମୋ ପ୍ରିୟ ହେଉଛି ପଖାଳ । ପଖାଳ ସହିତ ଟିକେ ଶୁଖୁଆ ହୋଇଗଲେ ମୋର ଆଉ କୌଣସି ଖାଦ୍ୟକୁ ଇଛା ହୁଏନି ବୋଲି କହନ୍ତି ସୁମନ୍ତ । ସ୍ୱୟଂପ୍ରଜ୍ଞା, ରାଜଶ୍ରୀ ଆଉ ସୁମନ୍ତଙ୍କ ପରି ସହରର ଯୁବପିଢିଙ୍କ ଫୁଡ଼ଫଣ୍ଡା ର ରସାୟନ ଜାଣେ ରାଜଧାନୀର ସାମନ୍ତବିହାରରେ ଥିବା ରୋଜି କିଚେନ । ସବୁ ଓଡ଼ିଆ ପର୍ବ ପର୍ବାଣୀରେ ଭିନ୍ନ ବ୍ୟଞ୍ଜନ ପରଷୁ ଥିବା ଏହି କିଚେନ ର ପଖାଳ ଦିବସ ପ୍ରସ୍ତୁତି ଉପରେ ଟିକେ ନଜର ପକାନ୍ତୁ । 

କିଚେନ ର ମୁଖ୍ୟ ସରୋଜା ଚୌଧୁରୀ ଯୁବାଵର୍ଗ ଙ୍କ ପସନ୍ଦ ଜାଣିଛନ୍ତି ବୋଲି ଚଟାଣ ରେ ବସି ପଥର ଶିଳରେ ମସଲା ବାଟୁଛନ୍ତି । ହାତବଟା ମସଲା କୁ  ମାଛରେ ଗୋଳାଇ କଦଳୀ ପତ୍ରରେ ବାନ୍ଧି ଗ୍ୟାସ ଚୁଲାରେ ପୋଡାଯାଉଛି । ଆଗରୁ ପୋଡାହୋଇ ରହିଛି ଆଳୁ, ଟମାଟୋ, ଭେଣ୍ଡି ଆଉ ବାଇଗଣ । ଆମ କିଚେନ ରେ ଅଦ୍ୱିତୀୟ ହେଉଛି ପଖାଳ ତିଆରି ବୋଲି କହନ୍ତି ସେଫ ବାସୁଦେବ ମହାନ୍ତି । ଓଡ଼ିଆଙ୍କ ଆତ୍ମାକୁ ଶାନ୍ତି ଦିଏ ଗୁଣ୍ଡାଏ ପଖାଳ । ଏମିତି କିଏ ଜଣେ ବି ଓଡ଼ିଆ ମିଳିବା ବିରଳ ଯିଏକି ଦିନେ ବି ପଖାଳ ଖାଇନାହାନ୍ତି ବୋଲି କହନ୍ତି ରୋଜି କିଚେନର ମୁଖ୍ୟ ସରୋଜା ଚୌଧୁରୀ । ସରୋଜା କହନ୍ତି ଦେଶ ବାହାରୁ ଆସୁଥିବା ମୋ ସାଙ୍ଗସାଥି ମାନଙ୍କ ଅର୍ଡର ଥାଏ ପଖାଳ ଦେବାକୁ । ପଖାଳ ସାଙ୍ଗକୁ ବଡ଼ିଚୁରା, ବାଇଗଣ ଟମାଟୋ ଆଳୁ ଭେଣ୍ଡି ଆଉ ଜହ୍ନି ପୋଡା ସୋରିଷ ଦେଇ ଛତୁ ବଟା ସାଙ୍ଗକୁ ମାଛଭଜା, ଶାଗଭଜା ବିଭିନ୍ନ ବର୍ଗଙ୍କ ସର୍ବୋତ୍ତମ ପସନ୍ଦ ପାଲଟେ । ଟେବୁଲ ଉପରେ ବଢାଯାଇଛି ଭଳିକି ଭଳି ପଖାଳର ସାଇଡ଼ ଆଇଟମ । ବଡ଼ିଚୁରା, ଶାଗଭଜା, କଦଳିଭଜା, ଲଙ୍କା ଲେମ୍ବୁ, କାକୁଡି, ଦହି କଟାପିଆଜ, ପାମ୍ପଡ଼ । ମୁଁ ରୋଜି କିଚେନରୁ ପଖାଳ ନିଏ ଅନ୍ୟ ବ୍ୟଞ୍ଜନ ବି ନିଏ । ସବୁ ଗୁଡିକ ଟେଷ୍ଟି ବୋଲି କହନ୍ତି ସାମନ୍ତବିହାର ର ଜଣେ ବାସିନ୍ଦା ଡ଼ ଉପେନ୍ଦ୍ର ସାହୁ । ସରୋଜାଙ୍କ ସ୍ୱାମୀ ଦିଲ୍ଲୀପ ଭୋଧୁରୀ କହିଛନ୍ତି ମୁଁ ବି ଜଣେ ଫୁଡ଼ ଲଭର । ମୋ ପତ୍ନୀ ସରୋଜା ସ୍ୱାଦକର ବ୍ୟଞ୍ଜନ ପାଇଁ ନିରନ୍ତର ଗବେଷଣା କରି ସବୁ ଖାଦ୍ୟକୁ ସ୍ୱାଦିଷ୍ଠ ଓ ସ୍ୱାସ୍ଥ୍ୟ ଉପଯୋଗୀ କରାଇଛନ୍ତି । ଏ ଜାତିର ଆରାଧ୍ୟ ଦେବତା ମଧ୍ୟ ବ୍ୟଞ୍ଜନପ୍ରିୟ । ସେ ଛପନ ଭୋଗୀ । ତାଙ୍କର ଆଶା ଟଙ୍କ ତୋରାଣୀରେ । ଅତଏବ ଓଡ଼ିଆ ଆଜି ତାର ସବୁଠୁ ପ୍ରିୟ ପଖାଳ ଦିବସରେ ସ୍ୱାଦ ସୁଗନ୍ଧ ଆଉ ତୃପ୍ତିକର ପଖାଳକୁ କିଭଳି ବା ଭୁଲିପାରିବ ।