
ଜଟଣୀ,୧୮/୦୩(ଜିଲ୍ଲା ଖବର) : କନ୍ତିଆଗ୍ରାମରେ ଥିବା ଶିଳପୁଆ ମୁଣ୍ଡିଆରୁ ମୋରମ ଖନନଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏକ ବେସରକାରୀ ସଂସ୍ଥାକୁ ନିଲାମ ଦେଇଛି । ତେବେ ଏନେଇ ସଂସ୍ଥା ପକ୍ଷରୁ ଆଜି ମୁଣ୍ଡିଆ ଖନନ କରାଯାଉଥିବାରୁ ଏହାର ପ୍ରତିବାଦରେ କନ୍ତିଆଗ୍ରାମବାସୀମାନେ ବିରୋଧ କରିବା ସହିତ ପ୍ରଶାସନ ସହିତ ମୁହାଁମୁହିଁ ହୋଇଛନ୍ତି । ଫଳରେ ଖନନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ସୁଚନାନୁସାରେ, ଜଟଣୀ ତହସିଲ ଅଧିନରେ ରହିଥିବା ୧୩ଟି ମୈାଜା ଶ୍ରୀଜଗନ୍ନାଥ ପୁରୀ ବିଜେଙ୍କ ନାମରେ ମାଲିକାନା ସ୍ୱତ୍ୱ ପ୍ରକାଶ ପାଇଛି । ଏହି ୧୩ଟି ମୈାଜାବାସୀ ସେମାନଙ୍କର ଭିଟାମାଟି ହରାଇବା ଆଶଙ୍କା କରି ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗ କରି ସେମାନଙ୍କ ମାଲିକାନାସ୍ୱତ୍ୱ ଫେରାଇ ଆଣିବାକୁ ଦାବି ଉପସ୍ଥାପନ କରିଛନ୍ତି । ଏପରିକି ଏନେଇ ଜଟଣୀ ଅଂଚଳର ସମସ୍ତ ରାଜନୈତିକ ନେତା କର୍ମିମାନେ ଉଦ୍ୟମ ଚଳାଇଥିଲେ । ତାହା ମଧ୍ୟ ସଫଳ ହୋଇନଥିଲା । ଅନ୍ୟପକ୍ଷରେ ଭୂବନେଶ୍ୱର ଏୟାରପୋର୍ଟ ଉନ୍ନତି କରଣଲାଗି ଜଟଣୀବ୍ଲକ କନ୍ତିଆ ଅଂଚଳରେଥିବା ଶିଳପୁଆ ମୁଣ୍ଡିଆରୁ ୨ ମାସରେ ୩ହଜାର ଟ୍ରିପ ମୋରମ ଖନନ କରାଯିବାଲାଗି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ଏକ ବେସରକାରୀ ସଂସ୍ଥାକୁ ପ୍ରଦାନ କରିଥିଲା । ତେବେ ଏନେଇ ଆଜି ଖନନ କରାଯାଇଥିଲା । ଖନନ ସମୟରେ ଗ୍ରାମବାସୀମାନେ ବିରୋଧ ଆରମ୍ଭ କରିଥିଲେ । ତେବେ ଏନେଇ ସଂସ୍ଥା ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା । ଖବରପାଇ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର ଓ ଜଟଣୀଥାନା ଆଇଆଇସି ବିଶ୍ୱରଂଜନ ସାହୁ ଘଟଣାସ୍ଥଳରେ ପହଁଚିଥିଲେ । ତେଣୁ ଗ୍ରାମବାସୀମାନେ ଆହୁରୀ ଉତ୍ୟକ୍ତ ହେବା ସହିତ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ବଡଜେନାଙ୍କୁ ମଧ୍ୟ ଘଟଣାସ୍ଥଳକୁ ଡକାଇଥିଲେ । ତେବେ ଏନେଇ ସେଠାରେ କିଛି ସମୟପାଇଁ ପ୍ରଶାସନ ଓ ଗ୍ରାମବାସୀମାନଙ୍କ ମଧ୍ୟରେ ମୁହାଁମୁହିଁ ହୋଇଯାଇଥିଲେ । ଏନେଇ ପୁଲିସ ପକ୍ଷରୁ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇିଥିଲା । ଗ୍ରାମବାସୀମାନେ ମୁଣ୍ଡିଆ ଖନନ ବନ୍ଦ କରିବାଲାଗି ଅଡି ବସିଥିଲେ ।
ରୀପୋର୍ଟ,ସଞ୍ଜୀବ କୁମାର


