
ଭୁବନେଶ୍ୱର,୧୭/୦୩/୨୧(ଜିଲ୍ଲା ଖବର) : ଧାନ କିଣା ପ୍ରସଙ୍ଗରେ ଆଲୋଚନା ହେଉ। ମଣ୍ଡିରୁ ଚାଷୀଙ୍କର ଧାନ ଉଠାଇବାକୁ ସରକାର ପ୍ରତିଶ୍ରୁତି ଦିଅନ୍ତୁ। ତା’ ପରେ ବିଧାନସଭା ଚାଲିବ। ବିଧାନସଭାରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଭାଜପା ବିଧାୟକ ସୁବାସ ପାଣିଗ୍ରାହୀ କ୍ଷମା ମାଗନ୍ତୁ । ନଚେତ୍ବିଧାନସଭା ଚଳାଇ ଦିଆଯିବ ନାହିଁ। ଏମିତି ଜିଦରେ ଅଡ଼ି ବସିଛନ୍ତି ବିରୋଧୀ ଓ ଶାସକ। ମଣ୍ଡି ଅବ୍ୟବସ୍ଥା, ଧାନ କିଣା ଏବଂ ଭାଜପା ବିଧାୟକଙ୍କ ଆତ୍ମହତ୍ୟା ଉଦ୍ୟମକୁ ନେଇ ବିରୋଧୀ ଓ ଶାସକ ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। କେହି ନିଜ ଜିଦ୍ରୁ ନ ଓହରିବାରୁ ଲଗାତର ୪ ଦିନ ଲାଗି ବିଧାନସଭା ଅଚଳ ହୋଇଛି । ଅଧା ମିନିଟ କିମ୍ବା ଅତିବେଶିରେ ମିନିଟିଏ ଗୃହକାର୍ଯ୍ୟ ଆରମ୍ଭ ହୋଇ ମୁଲତବୀ ମୋଡକୁ ଚାଲି ଯାଉଛି। ବିରୋଧୀ ଓ ଶାସକ ଦଳ ସଭ୍ୟଙ୍କ ହଟ୍ଟଗୋଳରେ ବିଧାନସଭାର ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ, ବଜେଟ ଆଲୋଚନା ସବୁ କିଛି ଫିକା ପଡ଼ିଯାଉଛି। ବାଚସ୍ପତି ବାଧ୍ୟ ହୋଇ ଗୃହକୁ ମୁଲତବୀ ଘୋଷଣା କରୁଛନ୍ତି। ଗୃହକୁ ସ୍ବାଭାବିକ ଅବସ୍ଥାକୁ ଫେରାଇ ଆଣିବାକୁ ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକ ମଧ୍ୟ ଫେଲ ମାରିଛି ।



