
ଜଟଣୀ,୧୫/୦୩(ଜିଲ୍ଲା ଖବର) : ଯୈାନାଙ୍ଗ କର୍କଟରେ ଆକ୍ରାନ୍ତ ଜଣେ ଦିନମଜୂରିଆ ବର୍ଗର ବ୍ୟକ୍ତିଟି ଅର୍ଥାଭାବରୁ ଚିକିତ୍ସା ନ ହୋଇ ଏବେ ଶଯ୍ୟାଶାୟୀ ଜୀବନ ଜିଉଛନ୍ତି ଚାଳଛପର ଭଙ୍ଗାଦଦରା ଘରେ । ଚାଳ ଘରକୁ ଛପର କରିବାକୁ ପଇସା ନାହିଁ । ଦେଢ ବର୍ଷରୁ ଯୈାନାଙ୍ଗ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଭିନ୍ନ ମେଡିକାଲରେ ଚିକିତ୍ସା ହେଲେ । ଶେଷରେ ସେହି ମେଡିକାଲ କର୍ତୃପକ୍ଷ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଘରକୁ ଫେରାଇ ନେଇଯିବାଲାଗି କହିଲେ ପରିବାର ବର୍ଗଙ୍କୁ । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତିଙ୍କ ଏପରି ଅବସ୍ଥାଦେଖି ପରିବାର ସଂପୁର୍ଣ୍ଣଭାବେ ଭାଙ୍ଗିପଡିଥିବା ଆକ୍ରାନ୍ତ ସୁରେନ୍ଦ୍ରଙ୍କ ଧର୍ମପତ୍ନୀ ନିଆଶା କହିଛନ୍ତି । ଜଟଣୀବ୍ଲକ ଅନ୍ତର୍ଗତ ବେଣାପଜଂରୀ ପଚାଂୟତର ବୁଢାଙ୍ଗରା ଗ୍ରାମର ସୁରେନ୍ଦ୍ର ମହାରଣା ବିଭିନ୍ନ ଅଂଚଳରେ ଦିନମଜୂରିଆଭାବେ କାମ କରି ପରିବାରରେ ୫ପ୍ରାଣୀ କୁଟୁମ୍ବଙ୍କ ଗୁଜୁରାଣ ମେଂଟାଇଥାନ୍ତି । ପରିବାର କହିଲେ ଘରେ ପତ୍ନୀ,୩ଝିଅ ଓ ୨ ପୁଅର ସଂସାର । ୩ଟି ଝିଅର ବିବାହ ଧାରକରଜ ମଧ୍ୟରେ କରିଦେଇଥିଲେ । ଧାରକରଜ ସୁଝି ନଥିବା ବେଳେ ବିବାହର କିଛିଦିନ ମଧ୍ୟରେ ସୁରେନ୍ଦ୍ରଙ୍କ ମଝିଆଝିଅଙ୍କୁ ତାଙ୍କ ସ୍ୱାମୀ ଛାଡପତ୍ର ଦେଇଦେଇଥିଲେ । ମଝିଆ ଝିଅଟି ଏବେ ସୁରେନ୍ଦ୍ରଙ୍କ ଉପରେ ନିର୍ଭରଶିଳ ହୋଇଛନ୍ତି । ଏଥି ସହିତ ତାଙ୍କ ସାଙ୍ଗରେ ଏକ ୩ବର୍ଷ ଶିଶୁ କନ୍ୟାମଧ୍ୟ ରହିଛନ୍ତି । ତେଣୁ ଏସବୁ ସମସ୍ୟାର ବୋଝ ସହିତ ପରିବାର ପ୍ରତିପୋଷଣ ସୁରେନ୍ଦ୍ରଙ୍କୁ ଅଣାୟତ କରୁଥିଲା । ମାତ୍ର ୨୦୧୯ ମସିହାରେ ସୁରେନ୍ଦ୍ରଙ୍କ ଯୋନାଙ୍ଗରେ ଏକ ଛୋଟିଆ ଘା’ଟି ହୋଇଥିଲା । କାଳକ୍ରମେ ଏହା ବଢିଚାଲିଥିଲା । ସୁରେନ୍ଦ୍ର ଏହାକୁ ଖାତିର ନକରି ନିଜକର୍ମସ୍ଥଳକୁ ପରିବାର ପ୍ରତିପୋଷଣ ଚିନ୍ତାରେ ବାହାରି ଯାଉଥିଲେ । ଚିକିତ୍ସାପ୍ରତି ସେତେଟା ଗୁରୁତ୍ୱ ଦେଉନଥିଲେ । ମାତ୍ର ରୋଗଟି ଅସହ୍ୟ ହେବାପରେ ଚିକିତ୍ସାରମ୍ଭ କରିଥିଲେ । ଚିକିତ୍ସାରେ ମାତ୍ରାଧିକ ଅର୍ଥ ଖର୍ଚ୍ଚ ହୋଇଗଲା । ଶେଷରେ ଧାରକରଜ ମଧ୍ୟ ହୋଇ ଚିକିତ୍ସା କରିଥିଲେ ପରିବାର ଲୋକେ । ହେଲେ ରୋଗ କିନ୍ତୁ ବଢିଚାଲିଥାଏ । ତେବେ ୨୦୨୦ ମସିହା ଫେବୃୟାରୀ ମାସରେ ଭୂବନେଶ୍ୱର ଏମ୍ସ ନେଇଥିଲେ । ଡାକ୍ତର ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ରେଫର କଲେ । ସେଠାରେ ଚିକିତ୍ସାଧିନ ରହିଥିବା ବେଳେ ମହାମାରୀ କରୋନାଲାଗି ମାର୍ଚ୍ଚମାସରେ ସରକାରଙ୍କ ପକ୍ଷରୁ ଲକଡାଉନ ଘୋଷଣା କରାଗଲା । ଡାକ୍ତରଙ୍କ ନିର୍ଦ୍ଧେଶକ୍ରମେ ପରିବାର ଲୋକେ ସୁରେନ୍ଦ୍ରଙ୍କୁ ଘରକୁ ନେଇ ଆସିଲେ । ସେହି ସମୟରେ ଚିକିତ୍ସାରେ ଅବହେଳା ହୋଇଯାଇଥିଲା । ଫଳରେ ରୋଗଟିର ରୋଗ ଆହୁରୀ ଭୟଙ୍କର ହୋଇଯାଇଥିଲା । ଦିର୍ଘ ୭ମାସର ବିଳମ୍ବ ପରେ ରୋଗୀଙ୍କୁ ଚିକିତ୍ସାପାଇଁ ନେବାପରେ ତାହା ସେଠାରେ ସମ୍ଭବ ହୋଇପାରିନଥିଲା । ତେଣୁ ସ୍ୱତନ୍ତ୍ର କର୍କଟ ରୋଗୀ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରିବାକୁ ଡାକ୍ତର ନିର୍ଦ୍ଧେଶ ଦେଇଥିଲେ । ଅନ୍ୟପଟେ ଅର୍ଥାଭାବ ପରିବାରକୁ ଦୋହଲାଇ ଦେଇଥିଲା ବେଳେ ରୋଜଗାରକ୍ଷମ ବ୍ୟକ୍ତିଙ୍କ ଚିକିତ୍ସା ମଧ୍ୟ ସେତିକି ଯଥାର୍ଥ ହୋଇଥିଲା ଉକ୍ତ ପରିବାର ପାଇଁ । ପୁଣି ଧାରକରଜ କରି ଚିକିତ୍ସାପାଇଁ ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲକୁ ନେଇଥିଲେ । ଚିକିତ୍ସାରମ୍ଭ ହେଲା ୩ରୁ ୪ଟି କେମୋ ମଧ୍ୟ ନେଇଥିଲେ । ସେଠାରେ କିଛିଦିନ ଚିକିତ୍ସା ହେବାପରେ ଅନୁରୁପଭାବେ ଡାକ୍ତର ମଧ୍ୟ ରୋଗୀଙ୍କୁ ଘରକୁ ନେଇଯିବାଲାଗି କହିଥିଲେ । ଚିକିତ୍ସା ମଧ୍ୟରେ ୨ଲକ୍ଷ ଟଙ୍କା ଧାରକରଜ ହୋଇଗଲା । ସୁରେନ୍ଦ୍ରଙ୍କ ପରିବାରରେ ଭାଳେଣି ପଡିଗଲା । ଏନେଇ ବିଭିନ୍ନ ହସ୍ପିଟାଲକୁ ନେଇ ରିପୋର୍ଟ ପହଁଚିବାପରେ ସେଠାରେ ଡାକ୍ତରମାନେ ଯେଉଁ ଅର୍ଥ ଦାବି କରିଥିଲେ ତାହା ଏମାନଙ୍କ ନିକଟରେ ସମ୍ଭବ ହୋଇ ପାରିବ ନାହିଁ । ତେଣୁ ବାଧ୍ୟ ହୋଇ ସୁରେନ୍ଦ୍ରଙ୍କୁ ଘରର ଚାରିକୋଣ ଆବଦ୍ଧ ମଧ୍ୟରେ ରଖି ଆଶୁ ଚିକିତ୍ସା କରୁଛନ୍ତି ପରିବାର ଲୋକେ । ସରକାରଙ୍କ ପକ୍ଷରୁ ଖାଦ୍ୟ ଯୋଜନାରେ ଚାଉଳ,ଗହମ ମିଳିଯାଉଥିବାରୁ ଏହି ପରିବାର ଜିବନ ଜିଉର୍ଥିବା କହିଛନ୍ତି ସୁରେନ୍ଦ୍ରଙ୍କ ଧର୍ମପତ୍ନୀ ନିଆଶା । ତେଣୁ ସରକାର ଏଥିପ୍ରତି ଦୃଷ୍ଟିଦେଇ କର୍କଟ ରୋଗରେ ଛଟପଟ ହେଉଥିବା ସୁରେନ୍ଦ୍ରଙ୍କୁ ଚିକିତ୍ସାରେ ସାହାଯ୍ୟ କରିବାକୁ ଗ୍ରାମବାସୀ ଓ ସୁରେନ୍ଦ୍ରଙ୍କ ପରିବାର ଲୋକେ ଗୁହାରୀ କରିଛନ୍ତି ।
ରୀପୋର୍ଟ,ସଞ୍ଜୀବ କୁମାର


