ଆଉ ଜଣେ ସାଲବେଗ, କଟକର ସମଦ ଚାଚାଙ୍କ କଣ୍ଠରୁ ବାହାରୁଛି ମହାପ୍ରଭୁଙ୍କ ପାଇଁ ଭକ୍ତିପୂତ ଭଜନ

50

କଟକ,୧୪/୦୩/୨୧(ଜିଲ୍ଲା ଖବର) : ପୁଣି ସାମ୍ନାକୁ ଆସିଲେ ଆଉ ଜଣେ ସାଲବେଗ । ନିଜ କଣ୍ଠରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭଜନ ଗାଇ ସମସ୍ତଙ୍କୁ ଭକ୍ତିପୂତ କରିଲେ କଟକର ସମଦ ଚାଚା । ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ତାଙ୍କର ଏହି ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ସହଯୋଗର ହାତ ବଢାଇଛନ୍ତି ଓଲିଉଡ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ । ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନାୟକଙ୍କ ନିର୍ଦ୍ଦେଶନାରେ ଷ୍ଟୁଡ଼ିଓରେ ରେକର୍ଡ କରାଯାଇଛି ତାଙ୍କର ଭଜନ । ଲୀଳାମୟ ମହାପ୍ରଭୁ । ତୁମ ଭକ୍ତି ଓ ପ୍ରେମ ଯୋଗୁଁ ଦୁନିଆ ଦେଖିପାରୁନଥିବା ବ୍ୟକ୍ତିଙ୍କ କଣ୍ଠରୁ ବାହାରୁଛି ସୁନ୍ଦର ଭଜନ । ଯାହାକୁ ଶୁଣିବା ପରେ ଭକ୍ତିପୂତ ହୋଇ ଉଠୁଛନ୍ତି ଜଗନ୍ନାଥ ପ୍ରେମୀ । ନାଁ ଅବଦୁଲ ସମଦ ନିଜାମୀ । ଘର କଟକ ଜିଲ୍ଲା ପ୍ରହରାଜପୁରରେ । ଧର୍ମରୁ ସେ ଜଣେ ମୁସଲମାନ । ହେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ତାଙ୍କର ରହିଛି ଅହେତୁକ ଶ୍ରଦ୍ଧା ଓ ଭକ୍ତି । ସେ ଜଣେ ଦୃଷ୍ଟିହୀନ । ହେଲେ ୧୯୭୪ ମସିହାରୁ ଗୀତ ଶିଖିବା ପାଇଁ ତାଙ୍କ ଭିତରେ ଥିଲା ଅକୁଣ୍ଠ ଇଚ୍ଛା । କିନ୍ତୁ ଆର୍ଥିକ ସଙ୍କଟ ଯୋଗୁଁ ସେ ଆଗକୁ ଯାଇପାରିନଥିଲେ । ଏହି ସମୟରେ ଅବଦୁଲଙ୍କୁ ସହଯୋଗର ହାତ ବଢାଇଥିଲେ ଅବସର ପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ୍ତ କୁମାର ଆଚାର‌୍ୟ୍ୟ । ଅବଦୁଲଙ୍କୁ ସେ ନିଜର ଶିଷ୍ୟ ରୂପ ଗ୍ରହଣ କରି ଗୀତ ଗାଇବାର ସୁଯୋଗ ଦେଇଥିଲେ ।

ହଟିଆ ଠାକୁର ଗୀତ ଗାଇବା ପରେ ତାହା ସୋସିଆଲ ମିଡିଆରେ ଭାଇରାଲ ହୋଇଥଲା । ତା ପରେ ଲୋକେ ତାଙ୍କୁ ଜାଣିପାରିଲେ । ହେଲେ ସେ ଆଗକୁ ବଢ଼ି ପାରୁ ନଥିଲେ । ତେବେ ତାଙ୍କ ଏହି ପ୍ରତିଭାକୁ ଦେଖି ସମାଜସେବୀ ବର୍ଷା ପ୍ରିୟଦର୍ଶନୀଙ୍କ ସହଯୋଗରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନାୟକଙ୍କ ନିର୍ଦ୍ଦେଶନାରେ ସମଦ ଚାଚା କଟକର ପ୍ରତିଭା ଷ୍ଟୁଡିଓରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଇଁ ଭଜନ ରେକର୍ଡ କରିଛନ୍ତି ।

ସୋସିଆଲ ମିଡିଆରେ ଚାଚାଙ୍କ ଗୀତ ଶୁଣିବା ପରେ ତାଙ୍କ ବିଷୟରେ ଜାଣିବାକୁ ପାଇଥିଲେ ଅଭିନେତ୍ରୀ ତଥା ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ । ତାଙ୍କ ସ୍ୱର କିଭଳି ଆଗକୁ ପହଞ୍ଚି ପାରିବ ସେଇଟା ହିଁ ମୁଖ୍ୟ ପ୍ରୟାସ ଥିଲା । କୋରାପୁଟର ନମିତାଙ୍କୁ ଯେଉଁଭଳି ଭାବେ ଗୀତ ଗାଇବାରେ ସାହାଯ୍ୟ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମାନନ୍ଦ ନାୟକ । ସେହିଭଳି ଭାବେ ସେ ସମଦ ଚାଚାଙ୍କୁ ବି ସହଯୋଗ କରିଛନ୍ତି । ଆଗାମୀ ସମୟରେ ଆହୁରି ଏଭଳି ପ୍ରତିଭାଙ୍କୁ ଆଗକୁ ସୁଯୋଗ ଦିଆଯିବ ବୋଲି ସେ କହିଛନ୍ତି । ଜଗନ୍ନାଥଙ୍କ ପ୍ରତି ସମର୍ପଣ ଓ ଭଲ ପାଇବା ତାଙ୍କୁ ଆଗକୁ ନେଇ ଆସିଛି । ଭିକାରୀ ବଳ ତାଙ୍କ ସହ ମୋ ଗୁରୁ ଥିଲେ । ତେବେ ତାଙ୍କୁ ସଙ୍ଗୀତ ନିର୍ଦ୍ଦେଶନା ଦେବାରେ କୌଣସି ଅସୁବିଧା ହେଲା ନାହିଁ । ତାଙ୍କ ଇଛା ଥିଲା ମୋ ସହ ଗୀତ ଗାଇବା ପାଇଁ । ତେବେ ତାଙ୍କର ଏହି ଇଛାକୁ ବର୍ଷା ପୂରଣ କରିଛନ୍ତି ବୋଲି କହିଛନ୍ତି ପ୍ରେମାନନ୍ଦ ନାୟକ ।