
ଭୁବନେଶ୍ୱର, ୧୪/୦୩/୨୧(ଜିଲ୍ଲା ଖବର) : ତେଜିଲା ଜଙ୍ଗଲ ନିଆଁ ରାଜନୀତି । କ୍ଷେତ୍ର ପରିଦର୍ଶନରେ ଗଲା ବିଜେପିର ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ । ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଶିମିଳିପାଳ ଗଲା ୧୩ ଜଣିଆ ବିଧାୟକ ଟିମ । ଏହି ଟିମରେ ମୟୁରଭଞ୍ଜର ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଜାତା ମୁର୍ମୁ, ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ ଓ ବିଜେପିର ୨ ସାଙ୍ଗଠନିକ ଜିଲ୍ଲା ରାଇରଙ୍ଗପୁର ଓ ବାରିପଦାର ସଭାପତି ମଧ୍ୟ ସାମିଲ ରହିଛନ୍ତି । ଜଙ୍ଗଲ ନିଆଁର ସାମ୍ପ୍ରତିକ ସ୍ଥିତି କଣ ରହିଛି ଓ ବନ୍ୟ ଜନ୍ତୁ କେତେ ପରିମାଣରେ ପ୍ରଭାବିତ ହୋଇଛନ୍ତି ଏହାର ଗ୍ରାଉଣ୍ଡ ଜିରୋରୁ ତଥ୍ୟ ସଂଗ୍ରହ କରିବ ଏହି ଟିମ । ସ୍ଥିତି ଅନୁଧ୍ୟାନ ସହ ରାଜ୍ୟ ସରକାର ଜଙ୍ଗଲ ନିଆଁ ନେଇ ଯେଉଁ ତଥ୍ୟ ଦେଉଛନ୍ତି ଏହାର ଅନୁଧ୍ୟାନ କରିବ ଦଳ । ଏ ନେଇ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିବ ଦଳ ।


