
ମୟୁରଭଞ୍ଜ,୧୦/୦୩/୨୧(ଜିଲ୍ଲା ଖବର) : ଜଳୁଛି ଶିମିଳିପାଳ । ଯାହାକୁ ନେଇ ଆଜି ଭଞ୍ଜସେନା ପକ୍ଷରୁ ୯ ଘଣ୍ଟିଆ ମୟୁରଭଞ୍ଜ ବନ୍ଦ ଡାକରା ଦିଆଯାଇଛି । ଶିମିଳିପାଳ ଜାତୀୟ ଉଦ୍ୟାନରେ ନିଆଁ ଲିଭାଇବାରେ ବିଫଳତାକୁ ନେଇ ବନ୍ଦ ଡାକରା ଦେଇଛି ଭଞ୍ଜସେନା । ଏ ନେଇ ସକାଳ ୬ଟାରୁ ଦୋକାନ ବଜାର ବନ୍ଦ ରହିଛି । ଏହି ବନ୍ଦରୁ ସମସ୍ତ ଜରୁରୀକାଳୀନ ସେବାଗୁଡିକୁ ବାଦ ଦିଆଯାଇଛି । ଶିମିଳିପାଳ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ଧରୁନି । ମଙ୍ଗଳବାର ଶିମିଳିପାଳ ଉତ୍ତର ଜୋନରେ ଥିବା ୬ଟି ରେଞ୍ଜର ୧୨ଗୋଟି ବିଟ୍ ଅଞ୍ଚଳରେ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସାଟେଲାଇଟ ରିପୋର୍ଟରୁ ସୂଚନା ମିଳିଛି ।ସେଥି ମଧ୍ୟରୁ ବରେହିପାଣି ରେଞ୍ଜରେ ୩ଟି ବିଟ, ଗୁଡୁଗୁଡ଼ିଆ ରେଞ୍ଜରେ ୩ଟି, ତାଲବନ୍ଧ ରେଞ୍ଜରେ ୨ଟି, କେନ୍ଦୁମୁଣ୍ଡି ରେଞ୍ଜରେ ୨ଟି, ଚହଲା ଓ ନଅଣା ରେଞ୍ଜରେ ଗୋଟିଏ ଲେଖାଏଁ ବିଟ୍ ଅଞ୍ଚଳରେ ସମୁଦାୟ ୯୩ଟି ସ୍ଥାନରେ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି । ଶିମିଳିପାଳରେ ଲାଗିଥିବା ନିଆଁ ଲିଭାଇବା ପାଇଁ ବନ ବିଭାଗ ସହ ଅଗ୍ନିଶମ ବିଭାଗର ୪ଟି ଟିମ ଜଙ୍ଗଲ ଭିତରକୁ ପ୍ରବେଶ କରିଛି । ମଙ୍ଗଳବାର ବାଲେଶ୍ବରରୁ ଗୋଟିଏ ୨୬ ଜଣିଆ ଓଡ୍ରାଫ ଟିମ ମଧ୍ୟ ନିୟୋଜିତ ହୋଇଛନ୍ତି ।



