
ଜଟଣୀ,୩/୦୩(ଜିଲ୍ଲା ଖବର) : ଜଟଣୀ ବ୍ଲକ କନ୍ତିଆ ଗ୍ରାମରେ ଶିଳୁପୁଆ ନାମରେ ଥିବା ମୁଣ୍ଡିଆକୁ ଏକ ବେସରକାରୀ ସଂସ୍ଥାକୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ନିଲାମ କରିଥିବା ହେତୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏଥିରୁ ମୋରମ ଚାଲାଣ ବେଳେ ଗ୍ରାମବାସୀମାନେ ସମବେତ ହୋଇ ଦୃଢ଼ ବିରୋଧ କରିଥିଲେ । ଏହି ସମୟରେ ଜଟଣୀ ତହସିଲଦାର, ଜଟଣୀ ଥାନାଧିକାରୀ ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତାମାନେ କିଂକର୍ତବ୍ୟବିମୁଢ଼ ହୋଇଯାଇଥିଲେ । ଅପରପକ୍ଷରେ ଜଟଣୀ ତହସିଲର ୧୧ଟି ମୌଜାରେ ଏଖାରଜାତ ମାହାଲ ଜମି ସମସ୍ୟା ୨୦୧୩ ମସିହାରୁ ଲାଗିରହିଛି । ଏଥିପାଇଁ ବିଭିନ୍ନ ସରକାରୀ ଯୋଜନାରୁ କନ୍ତିଆ ସମେତ ଉକ୍ତ ମୌଜା ବାସିନ୍ଦାମାନେ ବଂଚିତ ହୋଇଆସୁଛନ୍ତି । ଏପରିକି ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇପାରୁନଥିବା ବେଳେ ଜମି କ୍ରୟ ବିକ୍ରୟ ମଧ୍ୟ କରିପାରୁନାହାନ୍ତି । ଏପରି ସ୍ଥିତିରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଗ୍ରାମର ଏହି ମୁଣ୍ଡିଆକୁ କିପରି ନିଲାମ କଲେ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ମୁଣ୍ଡିଆରୁ ମୋରମ ଖନନ କିମ୍ବା ଉତୋଳନ କରିବାକୁ ଦିଆଯିବ ନାହିଁ ବୋଲି ଖନନକାରୀ ଦଳ ଓ ପ୍ରଶାସନକୁ ଗ୍ରାମବାସୀମାନେ ଘଉଡ଼ାଇ ଦେଇଥିଲେ । ଏନେଇ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଓ ଓଡ଼ିଶା ରାଜସ୍ୱ ସଚିବଙ୍କୁ ଅଭିଯୋଗ କରାଯାଇଥିବାର ଗ୍ରାମବାସୀମାନେ ସୂଚନା ଦେଇଛନ୍ତି । ଏହି ବିରୋଧ ସମୟରେ ପଦ୍ମଚରଣ ସୁବୁଦ୍ଧି, ଦୁର୍ଯ୍ୟୋଧନ ପ୍ରଧାନ, ସନ୍ତୋଷ ବଡ଼ଜେନା, ଶଶାଙ୍କ ଶେଖର ସାମନ୍ତସିଂହାର, ବିଚିତ୍ରାନନ୍ଦ ସାମନ୍ତରାୟ, ସୁରେଶ ପାଇକରାୟ ଓ ଅନେକ ଗ୍ରାମବାସୀ ଉପସ୍ଥିତ ରହିଥିଲେ । ଏ ସଂପର୍କରେ ଜଟଣୀସ୍ଥିତ ପୁରୀ ଶ୍ରୀମନ୍ଦିର ତହସିଲର ସହପ୍ରଶାସକ ଅନୀଲ ପାଣିଗ୍ରାହୀ କହନ୍ତି ଏହି ମୁଣ୍ଡିଆକୁ ସ୍ୱଳ୍ପକାଳ ପାଇଁ ନିଲାମ ଦିଆଯାଇଛି ବୋଲି କହିଛନ୍ତି ।
ରୀପୋର୍ଟ,ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର



