Saturday, October 10, 2026
Home ଆଞ୍ଚଳିକ ଓ ସି ଏ ଭିଜନ୍-୨୦୨୪ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ

ଓ ସି ଏ ଭିଜନ୍-୨୦୨୪ କନିଷ୍ଠ କ୍ରିକେଟ୍ ପ୍ରତିଯୋଗିତା ଉଦଘାଟିତ

28

ସୁନ୍ଦରଗଡ,୨୮/୦୨(ଜିଲ୍ଲା ଖବର) : ଓ ସି ଏ ର ସମ୍ପାଦକ ସଞ୍ଜୟ ବେହେରା ଓ ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କ ପରିକଳ୍ପିତ ଓ ସି ଏ ଭିଜନ୍-୨୦୨୪ (ଜିଲ୍ଲାସ୍ତରୀୟ ଆନ୍ତଃ କ୍ଳବ୍ କ୍ରିକେଟ୍ ପ୍ରତିଯୋଗିତା) କନିଷ୍ଠ ବର୍ଗ ପାଇଁ ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଠାରେ ଅବସ୍ଥିତ ରାଜଗାଙ୍ଗପୁର ଆଥଲେଟିକ୍ ଆସୋସିଏସନର ଷ୍ଟାଡିୟମରେ ଉଦଘାଟିତ ହୋଇ ଯାଇଛି। ଏହି ବର୍ଷ ଏହି ପ୍ରତିଯୋଗିତା ଏକ ନୂଆ ସ୍ୱରୁପରେ ଖେଳା ଯାଉଅଛି।ଏହି ପ୍ରତିଯୋଗିତାରେ ୧୪ ଓ ୧୬ ବର୍ଷରୁ କମ୍ ଆୟୁର ଖେଳାଳୀ ଅଂଶଗ୍ରହଣ କରିପାରିବେ। ପ୍ରତ୍ୟେକ ଦଳକୁ ୧୪ବର୍ଷରୁ କମ୍ ଆୟୁ ର ୫ ଜଣ ଏବଂ ୧୬ ବର୍ଷରୁ କମ୍ ଆୟୁ ର ୧୦ ଜଣ ଖେଳାଳୀ ଚୟନ କରିବାକୁ ପଡ଼ିବ। ଦଳର ୧୧ଜଣ ଖେଳାଳିଙ୍କ ମଧ୍ୟରେ ୧୪ ବର୍ଷରୁ କମ୍ ଆୟୁ ର ୪ ଜଣ ଖେଳାଳୀ ଖେଳିବା ଅପରିହାର୍ଯ୍ୟ ବୋଲି ନିୟମ କରାଯାଇଛି।ଏହି ପ୍ରତିଯୋଗିତାର ମୂଳ ଲକ୍ଷ୍ୟ ରାଜ୍ୟ ପାଇଁ ଏକ ସୁଦୃଢ଼ କନିଷ୍ଠ ଦଳ ଗଠନ କରିବା ସହିତ ପ୍ରତିଭା ଅନ୍ୱେଷଣ କରି ଓସିଏର ଆବାସିକ ଏକାଡେମୀ ରେ ତାଲିମ୍ ଭୁକ୍ତ କରିବା ବୋଲି ଜିଲ୍ଲା କ୍ରୀଡ଼ା ସଂସଦ ସମ୍ପାଦକ ଶ୍ରୀ ପ୍ରଭାତ କୁମାର ଭୋଳ ପ୍ରକାଶ କରିଛନ୍ତି।ଏହି ପରିପ୍ରେକ୍ଷୀରେ ରାଜଗାଙ୍ଗପୁର ଠାରେ ୪ଟି ଏବଂ ବଡ଼ଗାଁ ରେ ୩ଟି ଦଳ ଯଥାକ୍ରମେ ୬ ଓ ୩ଟି ଲିଗ୍ ମ୍ୟାଚ୍ ଖେଳିବେ ଏବଂ ଫାଇନାଲ ମ୍ୟାଚ୍ ରାଜଗାଙ୍ଗପୁର ଷ୍ଟାଡିୟମ୍ ରେ ଖେଳାଯିବ ବୋଲି ଶ୍ରୀ ଭୋଳ ସୂଚନା ଦେଇଛନ୍ତି।ଆଜିର ଉଦଘାଟନୀ ଉତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ମିଲ୍ଟନ ବିଲୁଙ୍ଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କୁ ମନ ପ୍ରାଣ ଦେଇ ଖେଳିବାକୁ ପରାମର୍ଶ ଦେଇଥିଲେ। ଉଦଘାଟନୀ ମ୍ୟାଚରେ ରାଉରକେଲାର ମହାବୀର ଲାୟନ୍ସ ଦଳ ପ୍ରଦୀପ ମିତ୍ତଲ ଙ୍କ ଅର୍ଦ୍ଧଶତକ(୫୪ ବଲ୍,୫୧ ରନ୍) ଏବଂ ଆକାଶ କିସାନ୍ ଙ୍କ ୪୩ ରନ୍(୪୫ ବଲ୍)ସହାୟତାରେ ୩୮.୧ ଓଭର୍ ରେ ୨୪୩ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ୨୪୪ ରନ୍ ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ରାଉରକେଲାର ସିଭିଲ ଚାର୍ଜରସ ଦଳ ମହାବୀର ଲାୟଂସ ର ପ୍ରିୟାଂଶୁ ସିଂହଙ୍କ( ୬.୦-୨୧ ରନ୍ – ୪ ୱିକେଟ) ଘାତକ ବୋଲିଂ ର ସମ୍ମୁଖୀନ ହୋଇ ନ ପାରି ୩୧.୫ ଓଭର ରେ ୧୦୯ ରନ୍ କରି ଅଲ୍ ଆଉଟ୍ ହୋଇ ଯାଇଥିଲା। ଏହି ମ୍ୟାଚରେ ନୀରଜ୍ ଚୌହାନ ଓ ରିତିକ ରାମ୍ ଆମ୍ପାୟାରିଂ ଦାୟିତ୍ବ ବହନ କରିଥିବା ବେଳେ କିଶୋର କାଏରି ଏବଂ ଗୌରବ ଅଗ୍ରୱାଲ ସ୍କୋରିଂ ଦାୟିତ୍ବ ନିର୍ବାହ କରିଥିଲେ। ଏହି ମ୍ୟାଚଟି ରାଜଗାଙ୍ଗପୁର ଆଥଲେଟିକ ଆସୋସିଏସନର ସମ୍ପାଦକ ଶ୍ରୀ ସଂଗ୍ରାମ କେଶରୀ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶ୍ରୀ ପ୍ରଭାତ କୁମାର ଭୋଳ ମଧ୍ୟ ଯୋଗ ଦେଇ ଖେଳାଳିଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ ଏବଂ ଏଭଳି ଏକ ଦୂରଦୃଷ୍ଟି ସମ୍ପୂର୍ଣ୍ଣ ପ୍ରତିଯୋଗିତାର ପରିକଳ୍ପନା ତଥା ଯଥାର୍ଥ ପ୍ରବନ୍ଧନ ପାଇଁ ଓସିଅର ସମ୍ପାଦକ ସଞ୍ଜୟ ବେହେରା ତଥା ଅଧ୍ୟକ୍ଷ ପଙ୍କଜ ଲୋଚନ ମହାନ୍ତିଙ୍କୁ ଧନ୍ୟବାଦ୍ ଅର୍ପଣ କରିଛନ୍ତି।
ଏହି ଓସିଏ ଭିଜନ ୨୦୨୪ ର ୧୯ ବର୍ଷରୁ କମ୍ ଆୟୁ ବର୍ଗ ଓ ବରିଷ୍ଠ ଦଳ ପାଇଁ ଖେଳାଳୀ ମାନେ ନିଜର ଡିଜିଟାଲ ଜନ୍ମ ପ୍ରମାଣପତ୍ର,ଆଧାର କାର୍ଡ ଏବଂ ସ୍କୁଲ ବା କଲେଜ ପ୍ରମାଣପତ୍ର ବା ମାର୍କ ସିଟ ସହିତ ଆସନ୍ତା ମାର୍ଚ୍ଚ ୫ ତାରିଖ ମଧ୍ୟରେ ଆବେଦନ କରିବାକୁ ଶ୍ରୀ ଭୋଳ ପ୍ରକାଶ କରିଛନ୍ତି। ଏହା ପାଇଁ ୯୯୩୭୦୮୫୭୨୫ ଏବଂ ୭୦୦୮୨୧୪୨୨୩ ନମ୍ବର ରେ ଯୋଗାଯୋଗ କରିବାକୁ ଅନୁରୋଧ।

ବିଶ୍ବରଂଜନ ହୋତା ,ସୁନ୍ଦରଗଡ଼