Home ଆଞ୍ଚଳିକ ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ସୁସଜ୍ଜିତ ହେବେ ଶ୍ରୀଜିଉ

ଆଜି ପବିତ୍ର ମାଘ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ ଗଜ ଉଦ୍ଧାରଣ ବେଶରେ ସୁସଜ୍ଜିତ ହେବେ ଶ୍ରୀଜିଉ

51

ପୁରୀ,୨୭/୦୨/୨୧ (ଜିଲ୍ଲା ଖଵର) : ଆଜି ପବିତ୍ର ମାଘ ପୁର୍ଣିମା । ଏହି ଅବସରରେ ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଗଜଉଧାରଣ ବେଶ ଅନୁଷ୍ଠିତ ହେବ ।  ଏହି ବେଶରେ ଶ୍ରୀଜଗନ୍ନାଥ ଚତୁର୍ଭୁଜ ହୋଇ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରି ଠାକୁର ଗରୁଡ ଉପରେ ବସିବା ଭଙ୍ଗୀରେ ଥାଇ ଲକ୍ଷ୍ମୀ ପ୍ରତିମାଙ୍କୁ କୋଳରେ ଧାରଣ କରିବେ । ଶ୍ରୀ ବଳଭଦ୍ର ଚତୁଃହସ୍ତରେ ଶଙ୍ଖ, ଚକ୍ର, ହଳ, ମୁଷଳ ଧାରଣ କରି ବାସୁଦେବଙ୍କ ରୂପରେ ବିରାଜମାନ କରିବେ । ସେହିପରି ଦେବୀ ସୁଭଦ୍ରା ଶ୍ରୀକୃଷ୍ଣଙ୍କ ସଦୃଶ ପାଦ ଛନ୍ଦି ଏକ ପଦ୍ମ କଢ଼ ଧରି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମଧ୍ୟାନ ଧୂପ ପରେ ଶ୍ରୀମନ୍ଦିର ରତ୍ନସିଂହାସନ ଉପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହେବ । ସନ୍ଧ୍ୟାଧୂପ ପରେ ଠାକୁରଙ୍କୁ ଖିରି ଓ ଅମାଲୁ ଭୋଗ କରାଯିବ । ପୌରାଣିକ କଥା ବସ୍ତୁ ଅନୁଯାୟୀ ଏକଦା ବରୁଣ ହ୍ରଦରେ ଗଜରାଜ ସ୍ନାନ କରୁଥିବା ବେଳେ କୁମ୍ଭୀର ତାଙ୍କୁ ଆକ୍ରମଣ କରିଥିଲା । ଗଜରାଜ କ୍ଷତବୀକ୍ଷତ ଅବସ୍ଥାରେ ବିକଳ ହୋଇ ଉଦ୍ଧାର ପାଇଁ ଭଗବାନଙ୍କୁ ପ୍ରାର୍ଥନା କରିଥିଲେ । ଭକ୍ତର ଡାକ ଶୁଣି ଠାକୁର କୁମ୍ଭୀର କବଳରୁ ଗଜରାଜଙ୍କୁ ଉଦ୍ଧାର କରିଥିଲେ । ସେହି ସ୍ମୃତିରେ ଶହଶହ ବର୍ଷ ଧରି ଠାକୁରଙ୍କ ଏହି ଗଜଉଦ୍ଧାରଣ ବେଶ ଶ୍ରୀମନ୍ଦିରରେ  ଅନୁଷ୍ଠିତ ହୋଇ ଆସୁଛି ।