
ନୂଆଦିଲ୍ଲୀ ୨୬/୦୨/୨୧ (ଜିଲ୍ଲା ଖବର) : ଭାରତୀୟ କ୍ରିକେଟ ଟିମ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ଇଂଲଣ୍ଡ ବିପକ୍ଷରେ ଗୁରୁବାର ୩ୟ ଟେଷ୍ଟ ମ୍ୟାଚରେ ୧୦ ୱିକେଟ୍ରେ ଇଂଲଣ୍ଡକୁ ପରାସ୍ତ କରି ସିରିଜରେ ୨-୧ ରେ ଅଗ୍ରଣୀ ଲାଭ କରିଛି । ଏହା ସହିତ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଘରୋଇ ମାଟିରେ ସର୍ବାଧିକ ଟେଷ୍ଟ ମ୍ୟାଚ ଜିତିଛି ଟିମ ଇଣ୍ଡିଆ । ପୂର୍ବରୁ ଏହି ରେକର୍ଡ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ନାମରେ ରହିଥିଲା । ଧୋନିଙ୍କ ନେତୃତ୍ୱରେ ଭାରତ ଘରୋଇ ମାଟିରେ ୩୦ ଟି ଟେଷ୍ଟ ମ୍ୟାଚ ଖେଳି ୨୧ ଟି ବିଜୟ ହାସଲ କରିଥିବା ବେଳେ ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତ ୨୯ଟି ଟେଷ୍ଟ ମ୍ୟାଚ ଖେଳି ୨୨ଟିରେ ବିଜୟୀ ହୋଇଛି । ଟେଷ୍ଟ ମ୍ୟାଚରେ ବିରାଟ କୋହଲି ମୋଟ ୩୫ଟି ବିଜୟ ହାସଲ କରିଥିବା ବେଳେ ମହେନ୍ଦ୍ର ସିଂହ ଧୋନୀ ୨୭ଟି, ସୌରଭ ଗାଙ୍ଗୁଲୀ ୨୧ଟି ଓ ମହମ୍ମଦ ଆଝାରୁଦ୍ଦୀନ ୧୪ଟି ଜିତିଥିଲେ ।



