“ଶବ୍ଦର ସାରଥି ଭାଷିଲେ ଭାରତୀ
ତୃପ୍ତ ଗହନ ମଣ୍ଡଳେ,
ଯହିଁ ଶବ୍ଦରଥ ଭୂଲିନାହିଁ ପଥ
ମାତୃମୁଖ ଶୀର୍ଷକୂଳେ ” | ୧
“ଶବ୍ଦକୁ ଶବ୍ଦରେ ଯୋଖି ଦିଅ ଥରେ
ଉତ୍କଳୀୟ କବିଗଣ,
ମାତୃ ମମତାର ପରିଚୟ ମିଳୁ
ଭାଷାପ୍ରେମେ ପ୍ରତିକ୍ଷଣ” |୨
“ଜନ୍ମଭୂଇଁ ସୁଖ ମାଆ ପଦ ବାକ୍ଯ
ବୀର ସନ୍ତାନ ହିଁ ମଣେ,
ଏନ୍ତୁଡ଼ି ମାଟିକୁ ଧରେ ସେ କୋଳେଇ
ସତ୍ଯ ଧର୍ମ ଭାଷା ଜ୍ଞାନେ” |
“ମାଟି ମା’ ସ୍ପନ୍ଦନେ ପାହାଡ଼ ପବନେ
ମହକେ ଭାଷା ଉଦ୍ଯାନ ,
ଭାଷା ପାରଦର୍ଶୀ ବିଦୁଷ ମହର୍ଷି
ନିତି ତୋଳେ ଶବ୍ଦ ଜ୍ଞାନ “|୪
“ଭାଷାରେ ମମତା ଭାଷାରେ ସଂହିତା
ସାଧୁଜନେ ଗୁଞ୍ଜରିତ,
ଭାଷାରେ ଏକତ୍ୱ ଭାଷାରେ ବନ୍ଧୁତ୍ୱ
ଉଡ଼୍ରପୁତ୍ରେ ପ୍ରମାଣିତ” |୫
“ସଂସ୍କୃତି ମର୍ଯ୍ଯାଦା ପରମ୍ପରା ସୁଧା
ପରିପୂର୍ଣ୍ଣ ମାତୃକୋଳେ,
ଶୋଭାର ଭଣ୍ଡାର ବୈଭବ ସମ୍ଭାର
ବାରିପଡ଼େ ଭାଷାବଳେ ” |୬
“ଭାଷାର ଲାଳିତ୍ଯ ଭାଷାର ସାରଲ୍ଯ
ମାତୃଜଠେ ପ୍ରସ୍ଫୁରିତ,
ମାଟି ମା’ ମମତା ମା’ ଶବ୍ଦେ ଅସ୍ମିତା
ଯୋଗ୍ଯସୁତେ ମୁଖରିତ” |୭
“ମାତୃଭୂମି ଭାଷା ମେଣ୍ଟେ କଣ୍ଠ ତୃଷା
ଅମୃତ ତା’ ଭୂଇଁ ପଦ,
ମାତୃଭୂଇଁ ଝର ହୃଦେ ରକ୍ତ ଧାର
ଲେଖିଉଠେ ପୁଣ୍ଯବେଦ” |୮
“ଶବ୍ଦର ବସନ୍ତ କେବେ ନୁହେଁ ଅନ୍ତ
ଭାଷା ବକୁଳର ବନେ,
ବିଦ୍ୱାନ କୋକିଳ ଗାଏ ଶବ୍ଦ ସ୍ୱରେ
ମଶୀ ବଲ୍ଲକୀର ସ୍ୱନେ,|୯
“ଉଗାଳ ଉଗାଳ ଉଡ଼୍ର ମଶୀ ବଳ
ଭାଷା ପାଇଁ ରାଜନୀତି,
ଭାଷା ଉପନୀତ ଭାଷା ଉଚ୍ଛ୍ବସିତ
ଯହିଁ ପିତାମହ ପ୍ରୀତି” |୧୦
“ମାଟି ଭାଷା ତୋ’ର ଅହରହ କାନ୍ଦେ
ଆଧୁନିକତାରେ ପୋତି,
ହଜାଇ ଚାଲିଛି ପୂର୍ବସୂରୀ ନୀତି
ଲୁହରେ ଭିଜାଇ ପୋଥି” |୧୧
“ହୁଅ ମୁସିଲିମ୍ ଅବା ଖ୍ରୀଷ୍ଟିୟାନ୍
ଉତ୍କଳ ଯଦି ତୋ’ ଦ୍ୱାର,
ଜଗନ୍ନାଥ ଧାମେ ଭାଇ ଭାଇ ଆମେ
ଉଚ୍ଚ ଆମ ମାତୃସ୍ୱର” |୧୨
“ଯେଉଁ ଦିନ ଶିଶୁ ଡାଡ଼ି ମମି ଭୂଲି
ବାପା ବୋଉ ଦେବ ଡାକି,
ସେ ଦିନ ଜାଣିବ ଉତ୍କଳ ଭାରତୀ
ହସୁଥିବ ମଥା ଟେକି” |୧୩
“ବିଦେଶୀ ଭାଷାକୁ ସମ୍ମାନ ଦେଇଣ
ରଖ ମାତୃଭାଷା ପ୍ରୀତି,
ଶିକ୍ଷିତ ନିଶ୍ଚୟ ଏଇ ମୋ’ କଳିଙ୍ଗ
ପୂର୍ବରୁ ରହିଛି ସାକ୍ଷୀ” |୧୪
“ପିତୃପିତାମହ ଜୀବନ୍ତ ସେ ଦିଅଁ
ମୃତ୍ଯୁ ଛୁଇଁନାହିଁ ପ୍ରାଣେ,
ପ୍ରାଚ୍ଯ ଭାଷା ରୀତି ଜାଜ୍ଜୁଲ୍ଯ ସୁକୃତି
ଚେତ୍ତିଦେଖ ଦିବ୍ଯ ଜ୍ଞାନେ |୧୫
“ଏନ୍ତୁଡ଼ି ଶାଳର ଉହ୍ମାଇ ଶେକରେ
ଶରୀର ଦିଶିଲା ତେଜ,
ତେଲ ହଳଦୀରେ ତନୁକୁ ମଜାଇ
ଗଢ଼ିଲା ମା’ ଯେଉଁ ବୀଜ |୧୬
ସେ ବୀଜ ତୁ ପରା ଉଠରେ ଉଠରେ
ବିଶାଳ ଦ୍ରୁମଟେ ସାଜି,
ଉତ୍କଳ ଭୂଇଁର ତୃଷ୍ଣା ମେଣ୍ଟି ଯାଉ
ମାତୃଭାଷା କଣ୍ଠେ ଭଜି “|୧୭
“ଜପାମାଳି କର ମାତୃଭାଷା ତୋର
ସ୍ନେହ- ଶ୍ରଦ୍ଧା- ଭକ୍ତି ଦେଇ,
ମାତୃ ମମତାର ପଣତ କାନିରୁ
ଗଙ୍ଗାଜଳ ଯାଏ ବହି” |୧୮
ଶିଶୁ ବୀର ତୁମେ ମାତୃଭୂଇଁ ପ୍ରୀତି
ହୃଦୟେ ଜଗାଇ ଦେଖ,
ହସିବ ଏଇ ତୋ’ ଉତ୍କଳ ଜନନୀ
ଉଡ଼୍ର ଭାଷା ଟେକି ରଖ |୧୯|
ଜୀବନ ପ୍ରଦୀପ ମାଟି ଶସ୍ଯ ଦୂବ
ମାଟି ଖାଦ୍ଯ ଭୂଲ ନାହିଁ ,
ହେ ମାଟି ଦାୟଦ ଲଢ଼ି ଉଠ ବାବୁ
ମା’ ପାଦୁକା ତୁଣ୍ଡେ ପାଇ |୨୦|
ଦେଖରେ ଦେଖ ତୁ ଉତ୍କଳ ସନ୍ତାନ
ପିତୃପିତା କାର୍ଯ୍ଯ ଦେଖ,
ଶିଖରେ ଶିଖ ତୁ ପୂର୍ବପିତୃ ଶିକ୍ଷା
ଉଡ଼ାଇ ଜ୍ଞାନ ବୈରଖ |୨୧
କାହିଁଗଲା ତୋ’ର ପିତୃମହ ଗାଥା
ପଡ଼ିଛୁ ଘୂମେଇ ଆଜି,
କାହିଁଗଲା ତୋ’ର ମାଆ ମୁଖ କଥା
ଗଲୁ କି ପାଶ୍ଚ୍ଯାତେ ମଜି |୨୨|
“ମାଟି ଭାଷା ବର୍ଣ୍ଣ ମାଟିପୁତ୍ର ଚିହ୍ନି
ମାଟିର ଅସ୍ମିତା ଗାଏ,
ଦିବ୍ଯ ଅନୁଭୂତି ଅନ୍ତିମ ତା’ ଲକ୍ଷ୍ଯ
ଭାଷାରୁ ଶୁଦ୍ଧତା ପାଏ” |୨୩
“ମାଟି ବୀର ପ୍ରେମ ମାଟି ତା’ ଆଶ୍ରମ
ଆଶ୍ରା ମାଆ ଭାଷା ଗୀତି,
ମାଟି ମାଆ କାନି ବୈରଖ ପ୍ରମାଣି
ଜୀବନେ ଲଭେ ପ୍ରଗତି” |୨୪
“ଲଭି ମାତୃ ରେଣୁ ନୋହିବି ମୁଁ ସ୍ଥାଣୁ
ମାତୃଜଠେ ମୋ’ ନିଃଶ୍ୱାସ
ସ୍ନେହ- ଶ୍ରଦ୍ଧା-ପ୍ରୀତି ହୃଦେ ମୋର ସ୍ମୃତି
ଓଡ଼୍ର ମୋ’ ଆତ୍ମ ପ୍ରଦେଶ” |୨୫
ଏଇ ମୋ’ ପ୍ରଦେଶେ ଭାଷାବୀର ପଣେ
ଫକୀର ମୋହନ ଜନ୍ମି,
କଲମ ମୁନରୁ ମଲମ ଝରାଇ
ଉପଶମେ ଅର୍ପି ରଶ୍ମୀ |୨୬|
ଗୋପବନ୍ଧୁ ଦୁଃଖୀ ରଙ୍କି ଦୀନବନ୍ଧୁ
ନିର୍ଲୋଭୀ ପଣରେ ଶ୍ରେଷ୍ଠ,
ମାଟିର ଅସ୍ମିତା ବଖାଣି ବଖାଣି
ଆଦରି ମାଟି ମା’ ପୃଷ୍ଠ |୨୭|
ରାଧାନାଥ ବୀର ବାହାଦୂର୍ କବି
ଚିଲିକା ନୀଳାମ୍ବୁ ଛବି,
ଲେଖିଲେ ଭାଷାରେ ଉତ୍କଳର ରାଣୀ
ଚିଲିକାକୁ ଭାବି ଭାବି |୨୮|
ଓଡ଼ିଆ ଭାଷା ମୋ’ ଭାରିତ ବଢ଼ିଆ
ମାଆ କୋଳୁ ଦେଲି ଶୁଣି,
ଶୁଣିଲା ଦିନରୁ ଗୁଣି ହୁଏ ନିତି
ଓଡ଼ିଆ ମୋ’ ମାତୃବାଣୀ |୨୯|
ବାଣୀ ଶୁଣି କର୍ଣ୍ଣେ ଯେଉଁ ଭାଷା କହୁ
ସେତ ବର୍ଣ୍ଣବୋଧ ଶିକ୍ଷା,
ଶିକ୍ଷା ପ୍ରଚ଼ଳନ ଜନନୀ ବଚ଼ନ
ଗୁରୁଦାନ ପୁଣ୍ଯ ଦୀକ୍ଷା |୩୦|
ଦୀକ୍ଷିତ ଜୀବନ ଭାଷା ମୂଳଜ୍ଞାନ
ଜପାମାଳା ଧ୍ବନି -ଲିପି,
ଲିପି ମୋ’ ଭାଷାକୁ କରେ ରୁଦ୍ଧିବନ୍ତ
ଅକ୍ଷର ନୀତିକୁ ଜପି |୩୧|
ଜପି ଜପି ଶବ୍ଦ ଭାଷା ହୁଏ ଶୁଦ୍ଧ
ମାଆ ଉଚ୍ଚାରଣୁ ପଢ଼ି,
ପଢ଼ି ପଢ଼ି ଭାଷା ଶବ୍ଦକୋଷ ଆଶା
ପୂର୍ବସୂରୀଛନ୍ତି ଗଢ଼ି |୩୨|
ଗଢ଼ିଥିଲେ ଦୃଢ଼େ ଭାଷା ତୀକ୍ଷ୍ଣ ଧାରେ
ଭାଷାକୁ ଅମୃତ ପୁରେ,
ପୁର ପଲ୍ଲୀ ଦ୍ବାରେ ଭାଷା ପ୍ରୀତି ସ୍ବରେ
ଗୁଞ୍ଜରିତ ଅବନୀରେ |୩୩|
ଅବନୀ ମଣ୍ଡଳେ ଭାଷାର ଲଗନେ
ଧନ୍ଯ ଆଜି କବି ବୀର,
ବୀରତ୍ୱ ଗାରିମା ଡ଼ିଣ୍ଡିମ ବଜାଇ
କାବ୍ୟ କବିତା ତା’ ସ୍ବର |୩୪
ସ୍ବର ଉଠାଅ ହେ ଉତ୍କଳ ସନ୍ତାନ
ଭାଷା ମନ୍ତ୍ର ନୀତି ଧରି,
ଧରିତ୍ରୀ କୋଳରେ ଆନନ୍ଦ ଭୋଳରେ
ଯା’ ତୁ ମାତୃପଦ ବାରି |୩୫
ବାରି ବାରି ପଦ ଶବ୍ଦେ ଗୁଣି ଗୁଣି
ହୃଦ ତୋ’ ମହକି ଉଠୁ,
ଉଠରେ ଉଠରେ କଳିଙ୍ଗ ସନ୍ତାନ
କହି ଶ୍ରେଷ୍ଠ ତୁ ଅନ୍ଯଠୁ |୩୬
ଅନ୍ଯଠାରୁ ତୁହିଁ ମହତ ବୋଲାଇ
ଭାଷାର କଲେ ସଂଯମ ,
ସଂଯମତା ତୋ’ର ବିଦେଶୀ ଶିଖିବେ
ରହିବ ତୋ’ର ସୁନାମ |୩୭
ସୁନାମ ରହିଛି ଭାଷା ମହକିଛି
ଐତିହ୍ଯ ସେ କାଳଜୟୀ,
କାଳଜୟୀ ଆମ ପୂର୍ବସୂରୀ ଦେଖ
ଭାଷା ପ୍ରୀତିଛନ୍ତି ଗାଇ |୩୮
ଗାଇ ମାତୃ ଗୀତି ରଖ ଭାଷା ପ୍ରୀତି
ହସିବ ଏ ଓଡ଼୍ରଧାମ,
ଓଡ଼୍ରଧାମେ ନିଜ ବିତାଇ ଜୀବନ
ବିତରି ଭାଷାରେ ପ୍ରେମ |୩୯
ପ୍ରେମେ ଉଠ ତେଜି ଭାଷାର ମହତେ
ଶାଶ୍ବତ ପ୍ରେମର ପରି,
ପରୀରାଇଜରୁ ଓହ୍ଲାଇ କବିତା
ହସୁ ଅଳଙ୍କାର ଧରି |୪୦
ଭଜରାମ ସେଠୀ,ନିରାଳ, ଆସିକା, ଗଞ୍ଜାମ


