Sunday, November 15, 2026
Home ଆଞ୍ଚଳିକ ଉପରବସ୍ତ ରାସ୍ତା ମରଣଯନ୍ତା ଘଟଣା ଅଭିଯୋଗପରେ ଠିକାଦାର ତତ୍ପରତା ଦେଖାଇଲେ, ଅଧାରୁ କାମଛାଡି ପୁଣି ଛୁ

ଉପରବସ୍ତ ରାସ୍ତା ମରଣଯନ୍ତା ଘଟଣା ଅଭିଯୋଗପରେ ଠିକାଦାର ତତ୍ପରତା ଦେଖାଇଲେ, ଅଧାରୁ କାମଛାଡି ପୁଣି ଛୁ

29

ଜଟଣୀ,୨୫/୦୨(ଜିଲ୍ଲା ଖବର) : ଜଟଣୀ ବ୍ଲକ ଅନ୍ତର୍ଗତ ଉପରବସ୍ତର ମୂଖ୍ୟ ରାସ୍ତା ମରଣଯନ୍ତା ପାଲଟିଯାଇଥିବା ନେଇ ଗ୍ରାମବାସୀମାନେ ସରକାରଙ୍କ ନିକଟରେ ଅଭିଯୋଗ କରିଥିଲେ । ତେବେ ଏନେଇ ସରକାରଙ୍କ ନିକଟରେ ବାରମ୍ବାର ଅଭିଯୋଗପରେ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ମାଧ୍ୟମରେ ଠିକାଦାର ଚୟନକରି ରାସ୍ତା ନିର୍ମାଣଲାଗି କାର୍ଯ୍ୟାଦେଶ ମିଳିଥିଲା । କାର୍ଯ୍ୟାଦେଶ ପାଇବାର ୧୦ମାସ ମଧ୍ୟରେ କାର୍ଯ୍ୟସାରିବାକୁ ନିର୍ଦ୍ଧେଶ ରହିଥିବା ବେଳେ ବର୍ଷବର୍ଷ ବିତିଯାଇଥିଲେ ସୁଧା କାର୍ଯ୍ୟଶେଷ ହୋଇପାରୁ ନାହିଁ । ରାସ୍ତାରେ ବାଲି,ଚିପ୍ସ,ମେଂଟାଲ ଇତ୍ୟାଦି ପକାଇ ଠିକାଦାର କାମ ବନ୍ଦ କରିଦେବା ଫଳରେ ଲୋକମାନେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଛନ୍ତି । ତେବେ ଏନେଇ ଲୋକମାନଙ୍କ ଦ୍ୱାରା ଅଭିଯୋଗ ହେବାପରେ ସଂପୃକ୍ତ ଠିକାଦାର ଦିର୍ଘ ୮ମାସପରେ ଅଳ୍ପକିଛି ଅଂଶ କାମକରି ପୁଣି କିଛିଦିନ ହେଲା ଛୁ ମାରିଥିବା ଅଭିଯୋଗ ହୋଇଛି । ଜଟଣୀବ୍ଲକ ଅନ୍ତର୍ଗତ ପଦନପୁର ପଚାଂୟତ ଅଧିନସ୍ଥ ଉପରବସ୍ତ ଗ୍ରାମକୁ ସଂଯୋଗ ମୂଖ୍ୟରାସ୍ତା ଏବେ ମରଣଯନ୍ତା ପାଲଟିଛି । ଜଟଣୀବ୍ଲକଠାରୁ ଉପରବସ୍ତ ପର୍ଯ୍ୟନ୍ତ ୪କି:ମି ବାଟ ଗ୍ରାମବାସୀଙ୍କ ପାଇଁ ଅଭିଷାପ ପାଲଟିଯାଇଛି । ଏହି ରାସ୍ତାପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକଯୋଜନା ମାଧ୍ୟମରେ ରାସ୍ତାର ନିର୍ମାଣକାର୍ଯ୍ୟ ଠିକାଦାରଙ୍କୁ ଦିଆଯାଇଥିବା ବେଳେ ଠିକାଦାର କାର୍ଯ୍ୟାରମ୍ଭ କରିବାଲାଗି ରାସ୍ତା ମଝିରେ ମେଂଟାଲ,ଚିପ୍ସ ପ୍ରଭୃତି ରାସ୍ତାରେ ଜମାଇଦେଇ ଏକବର୍ଷ ହେଲା କୁଆଡେ ଚମ୍ପଟ ମାରିଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଆସୁଛନ୍ତି । ନିର୍ମାଣର ୧୦ମାସ ମଧ୍ୟରେ କାମ ସାରିବାକୁ ଫଳକରେ ପ୍ରତିଶୃତି ଦେଇଥିବା ବେଳେ କାର୍ଯ୍ୟସରିବାର ଶେଷ ଅବଧୀ ଇତିମଧ୍ୟରେ ୯ମାସ ବିତିଯାଇଛି । ହେଲେ ରାସ୍ତାକାମ ସରିବା ପରିବର୍ତେ ଏବେ ମରଣଯନ୍ତା ପାଲଟିଗଲାଣି । କିନ୍ତୁ ସରକାରୀ କଳ ଏବଂ ଠିକାସଂସ୍ଥା ଏନେଇ ନିଦାବିଷ୍ଣୁ ସାଜିଛନ୍ତି ବୋଲି ଗ୍ରାମବାସୀମାନେ ମତପ୍ରକାଶ କରିଛନ୍ତି । ପ୍ରତିଦିନ ଛୋଟବଡ ଦୁର୍ଘଟଣାମାନ ଘଟୁଥିଲେ ମଧ୍ୟ ଗ୍ରାମବାସୀମାନେ ଭାଗ୍ୟକୁ ଆଦରି ପଡିରହିଛନ୍ତି ବୋଲି ଗ୍ରାମବାସୀମାନେ କ୍ଷୋଭପ୍ରକାଶ କରି କହିଛନ୍ତି । ଏହି ରାସ୍ତାଦେଇ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀ ଏବଂ କେନ୍ଦ୍ରୀୟ ଗବେଷଣା ପ୍ରତିଷ୍ଠାନ ନାଇଜରର ୨ନଂ ଫାଟକ ଦେଇ ଯାଉଥିବା ଲୋକମାନେ ମଧ୍ୟ ସମସ୍ୟାରେ ପଡିଥାନ୍ତି । ଲୋକମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ରାସ୍ତା ଧୀରେଧୀରେ ଲୋକମାନଙ୍କ ପାଇଁ କାଳ ହୋଇଯାଇଥିଲା ବୋଲି ଗ୍ରାମବାସୀମାନେ କହିଛନ୍ତି । ବ୍ଲକଠାରୁ ଉପରବସ୍ତଗ୍ରାମ ପାଇଁ ୪କି:ମି ରାସ୍ତା ରହିଛି । ଏହି ରାସ୍ତାବର୍ଷାଦିନେ କାଦୁଅପଙ୍କରେ ମରଣଯନ୍ତା ପାଲଟିଯାଏ । ତେବେ ଏନେଇ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଭାରତ ସରକାରଙ୍କ ଉନ୍ନୟନ ମନ୍ତ୍ରାଳୟ ଅନୁଦାନରେ ଠିକାଦାର ମାଧ୍ୟମରେ ୧୪୪.୩୧ ଲକ୍ଷଟଙ୍କା ବ୍ୟୟଅଟକଳ ହୋଇଥିଲା ବେଳେ ଏହାର ରକ୍ଷଣାବେକ୍ଷଣ ପାଇଁ ସରକାର ୫ବର୍ଷକୁ ୧୧.୫୪ଲକ୍ଷ ଟଙ୍କା ବ୍ୟୟବରାଦ କରିଛନ୍ତି । ଏହି ୪କି:ମି ରାସ୍ତାରେ ୩.୧୫୦କି:ମି ପିଚୁ ରାସ୍ତା ନିର୍ମାଣ ସହିତ ୦.୮୫୦ କି:ମି ପକ୍କା ରାସ୍ତା ରହିବ । ସେଥିରେ ୪ଟି ଶଙ୍ଖ ନିର୍ମାଣପାଇଁ ଚୁକ୍ତି ରହିଛି । ଠିକାଦାର ଏହି ରାସ୍ତାକାର୍ଯ୍ୟ ୨୦୧୯ ମସିହା ଅଗଷ୍ଟ ୧୯ ତାରିଖରେ ଆରମ୍ଭ କରି ୨୦୨୦ ମସିହା ମେ” ମାସ ୧୮ ତାରିଖରେ ସାରିବାକୁ ଲିଖିତ ପ୍ରତିଶୃତି ଦେଇଥିଲେ । ମାତ୍ର ଏହି ରାସ୍ତା ଆଜି ପର୍ଯ୍ୟନ୍ତ ସରିପାରିଲା ନାହିଁ । ଅଭିଯୋଗପରେ ପର୍ଯ୍ୟାୟକ୍ରମେ ଅଳ୍ପକିଛି କାମକରି ବାରମ୍ବାର ଠକୁଥିବା ଲୋକେ କହିଛନ୍ତି । ଏହି ରାସ୍ତାକାର୍ଯ୍ୟ ପାଇଁ ଠିକାଦାର ରାସ୍ତାରେ ଆଣି ବାଲି,ଗୋଡି,ମେଂଟାଲ ଇତ୍ୟାଦି ପକାଇ ରାସ୍ତାକଡରୁ ମାଟି କାଢିଦେଇଥିବା ଲୋକେ ଅଭିଯୋଗ କରିଥିଲେ । ରାସ୍ତାକାମ ମନ୍ଥରଗତିରେ କରିବା ସହିତ ବାହାରୁ ମାଟିଆଣି ରାସ୍ତାକଡ ଲେବଲିଂ କରିବା ପରିବର୍ତେ ରାସ୍ତାକଡରୁ ମାଟିକାଢି ଖାଲ କରିପକାିଇଥିଲେ । ଫଳରେ ଅସରାଏ ବର୍ଷାରେ ଉକ୍ତଖାଲରେ ମାଟିଧସି ଖାଲଖମା ସୃଷ୍ଟି ହୋଇଯାଇଥିଲା । ଚୁକ୍ତି ଅନୁସାରେ ପିଚୁ ରାସ୍ତାର ଉଭୟ ପାଶ୍ୱର୍ରେ ମାଟି ଫିଲିଙ୍ଗ କରିବା କଥା । କିନ୍ତୁ ମାଟି ରାସ୍ତାକଡରୁ କାଢି ରାସ୍ତା ଉଚ୍ଚା କରାଯାଇଛି । ମାଟି କାମପାଇଁ ୭୨୯୦.୦୪ଘ.ମି ତଥା ୧୨୦୫ ଟ୍ରକ ମାଟି ପକାଇବାକୁ ଲିଖିତ ଚୁକ୍ତି କରିଛନ୍ତି । ତେବେ ଏନେଇ ଠିକାଦାର ଏବଂ ଯନ୍ତ୍ରୀଙ୍କୁ ଗ୍ରାମବାସୀମାନେ ଅଭିଯୋଗ କରିଥିଲେ ହେଁ କେହି କିଛି ଶୁଣିବାକୁ ନାରାଜ ହୋଇଥିଲେ । ଅନ୍ୟ ପକ୍ଷରେ ରାସ୍ତାମଝିରେ ଜମିରହିଥିବା ବାଲି,ଗୋଡି ଉପରେ ଟ୍ରାକ୍ଟର, ଟ୍ରକ ଯାଇ ରାସ୍ତାସାରା ବାଲିଗୋଡି ଜମିରହି ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥିଲା । ମାତ୍ର କାର୍ଯ୍ୟାରମ୍ଭର ୮ମାସ ତଥା ୨୦୨୦ ମାର୍ଚ୍ଚମାସଠାରୁ ମହାମାରୀ କରୋନା ସଂକ୍ରମଣ ଯୋଗୁଁ ସରକାରଙ୍କ ପକ୍ଷରୁ ସମସ୍ତ କାର୍ଯ୍ୟରେ ଅଙ୍କୁଶ ଲାଗିଯାଇଥିଲା । ଅନ୍ୟ ପକ୍ଷରେ ଏହି ରାସ୍ତାକାମ ପରବର୍ତି ସମୟରେ ଜଟଣୀର ହରିଭାଇନା ଛକ-ତଳଖେତା ମୂଖ୍ୟରାସ୍ତାର କାମ ଆରମ୍ଭ ହୋଇଥିଲା ବେଳେ କରୋନା ସମୟରେ ବନ୍ଦ ରହିଥିଲା । ଏବେ ଏହି ରାସ୍ତାକାମ ସରିବାର ୪ମାସ ବିତିଯାଇଥିଲେ ମଧ୍ୟ ଉପରବସ୍ତ ରାସ୍ତାର ନିର୍ମାଣ କାର୍ଯ୍ୟାରମ୍ଭ ହୋଇପାରିନାହିଁ । ଫଳରେ ଲୋକମାନଙ୍କ ମଧ୍ୟରେ ସରକାରୀ କଳ ଏବଂ ଠିକାଦାରଙ୍କ ପ୍ରତି ଅହିଷ୍ଣୁତା ବଢିବାରେ ଲାଗିଛି । ସ୍ଥାନୀୟ ଲୋକେ ଠିକାଦାରଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଯୋଗାଯୋଗ ହୋଇପାରୁ ନାହିଁ ବୋଲି କହିଛନ୍ତି । ତେଣୁ ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେଇ ତୁରନ୍ତ କାର୍ଯ୍ୟ ସାରିବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।
ରୀପୋର୍ଟ,ସଞ୍ଜୀବ କୁମାର