
ଭୁବନେଶ୍ୱର୨0/0୨ ଜିଲ୍ଲା ଖବର : ଆଜିବି ଗୃହ ଅଚଳ । ଚାଷୀ ସମସ୍ୟା ନେଇ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ । ଆଗେଇ ପାରିଲାନି ଗୃହ । ଏହାପରେ ଗୃହକୁ ଅପରାହ୍ନ ୪ଟା ଯାଏ ମୁଲତବୀ ରଖାଯାଇଛି । ଅନ୍ୟପଟେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଆଜି ଧାନମଣ୍ଡି ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବିଧାନସଭାରେ ଉତ୍ତର ରଖି ସେ କହିଛନ୍ତି ଯେ, ଚଳିତ ବର୍ଷ ରେକର୍ଡ ପରିମାଣର ଧାନ ସଂଗ୍ରହ କରାଯାଇଛି । ଅନ୍ୟପଟେ ଆଜି ପୂର୍ବାହ୍ନ ୧୦ଟା ୩୦ ସମୟରେ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା ।ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ହାତରେ ପ୍ଲାକାର୍ଡ ଧରି ପ୍ରବଳ ହଟ୍ଟଗୋଳ କରିଥିଲେ । ଧାନ ସମସ୍ୟା ନେଇ ଉଭୟ ବିଜେପି ଓ କଂଗ୍ରେସ ନାରାବାଜି କରିଥିଲେ । ଏହାପରେ ୧୧ଟା ୩୦ ଯାଏ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ପୁଣି ଥରେ ସାଢେ ଏଗାରଟାରେ ଗୃହ କାର୍ୟ୍ୟ ଆରମ୍ଭ ହୋଇଥିଲା । ଏହାପରେ ଗୃହରେ ଧାନ ସଂଗ୍ରହ ଉପରେ ଉତ୍ତର ରଖିଥିଲେ ମନ୍ତ୍ରୀ । ଚଳିତ ବର୍ଷ ୫୫.୦୩ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଛି । ଗତ ବର୍ଷ ୪୫.୬୧ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯାଇଥିଲା । ଯାହାକି ପୂର୍ବ ବର୍ଷ ଅପେକ୍ଷା ଅଧିକ ବୋଲି ସେ ସୂଚନା ଦେଇଛନ୍ତି । ତେବେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହ କାର୍ୟ୍ୟ ଚାଲିପାରିନଥିଲା । ଏହାପରେ ଅପରାହ୍ନ ୪ଟା ଯାଏ ଗୃହକୁ ମୁଲତବୀ ରଖାଯାଇଛି ।


