
ଭୁବନେଶ୍ୱର,୨୦/୦୨(ସଞ୍ଜୀବ କୁମାର) : ସାବଧାନ! ହେଳା କଲେ ଭେଳା ବୁଡ଼ିବ । ଏବେଠୁ ସତର୍କ ହେବାକୁ ପଡ଼ିବ । ମାସ୍କ, ସାମାଜିକ ଦୂରତା ଆଉ ହାତ ନଧୋଇଲେ, ପୁଣି ସାଂଘାତିକ ହେବ ସ୍ଥିତି । କରୋନା ଫେରିପାରେ । ଏମିତି ଆଶଙ୍କା କଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ । ମହାରାଷ୍ଟ୍ର, କେରଳ ଆଉ ଗୁଜରାଟ୍ରେ ଭୟଙ୍କର ହୋଇ ଫେରିଲାଣି କରୋନା । ମହାରାଷ୍ଟ୍ର ଓ ଗୁଜରାଟର କେତେକ ସହରରେ ରାତି କର୍ଫ୍ୟୁ ଫେରିଛି ।
କୋଭିଡ ୧୯ର ଭୟ କମିଛି । ସଂକ୍ରମଣ କମିଛି ସତ ହେଲେ ଏବେ ବି କରୋନା ରହିଛି । ନିଜକୁ ସୁରକ୍ଷିତ ରଖିବାକୁ କୋଭିଡ ନିୟମାବଳୀକୁ ଦୃଢ଼ଭାବେ ପାଳନ କରିବା ଉଚିତ୍ ବୋଲି କହିଛନ୍ତି ବିଶିଷ୍ଟ ନ୍ୟୁରୋ ସର୍ଜନ ତଥା ଶିକ୍ଷା ଓ ଅନୁନ୍ଧାନ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅଶୋକ କୁମାର ମହାପାତ୍ର । କରୋନା ଭାଇରସ୍ର ବ୍ରିଟେନ୍ ଷ୍ଟ୍ରେନ୍ ନିକଟରେ ଭାରତରେ ଦେଖାଦେଇଛି । ପୂର୍ବ ଭାଇରସ୍ ଠାରୁ ଏହା ୫୦% ଅଧିକ ବ୍ୟାପିବ ।ବର୍ତ୍ତମାନ ଏହି ଷ୍ଟ୍ରେନ୍ ଭାରତରେ ଚିହ୍ନଟ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଓ ବ୍ରାଜିଲ୍ର ଷ୍ଟ୍ରେନ୍ ମଧ୍ୟ ଦେଶରେ ଚିହ୍ନଟ ହୋଇସାରିଲାଣି । ତେଣୁ ଏହି ରୋଗକୁ ନେଇ ଯେ ଆଉ ଭୟ ନାହିଁ, ତାହା ଭାବିବା ଭୁଲ୍ ।
ଏବେ କିନ୍ତୁ ନା’ ମାସ୍କ ବ୍ୟବହାର କରୁଛନ୍ତି କି ସାମାଜିକ ଦୂରତା ପାଳନ କରୁଛନ୍ତି । କେତେକ ଲୋକ ମୁହଁ ତଳକୁ କିମ୍ବା ବେକରେ ମାସ୍କ ଲଗାଇବା ଦେଖିବାକୁ ମିଳୁଛି । ଏଭଳି ମାସ୍କ ପିନ୍ଧିବାର କୌଣସି ମୂଲ୍ୟ ନାହିଁ ।
ଭାକ୍ସିନ୍ ଆସିଯିବା ଦ୍ୱାରା ଏହା ଭାଇରସ୍କୁ ନିଶ୍ଚିତ ଭାବରେ ପ୍ରତିରୋଧ କରିବାରେ ସକ୍ଷମ ହୋଇପାରିବା । ତଥାପି ଲୋକେ ନିଜକୁ ସୁରକ୍ଷିତ ବୋଲି ଭାବିବା ଉଚିତ୍ ନୁହେଁ । ତେଣୁ ଆମକୁ ଆଗଭଳି ମାସ୍କ, ସାନିଟାଇଜର ଆଉ ସାମାଜିକ ଦୂରତା ମାନି ଚଳିବାକୁ ହେବ ।




