ମାହାଙ୍ଗା ଟ୍ରିପଲ୍‌ମର୍ଡର ଘଟଣା, ତଦନ୍ତ ସଂପର୍କରେ ଡିଜିପିଙ୍କୁ ଚିଠି ଲେଖିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି

7

କଟକ୧୮/୦୨(ଜିଲ୍ଲା ଖବର): ମାହାଙ୍ଗା ଟ୍ରିପଲ୍‌ମର୍ଡର ଘଟଣାର ତଦନ୍ତ ସଂପର୍କରେ ଡିଜିପିଙ୍କୁ ଚିଠି ଲେଖିଲେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ରାଜନୈତିକ ହତ୍ୟା ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ଶ୍ୱେତପତ୍ର ମାଧ୍ୟମରେ ପୋଲିସ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି ।  ମାହାଙ୍ଗା ବିଜେପି ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟା ଏବଂ ସେମାନଙ୍କୁ ହତ୍ୟା କରିଥିବା ମୁଖ୍ୟ ଅପରାଧୀ ପ୍ରଫୁଲ ବିଶ୍ୱାଳଙ୍କ ସଡକ ଦୁର୍ଘଟଣାର ହୋଇଥିବା ମୃତ୍ୟୁର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉ । କେତେ ଦିନ ଯାଏଁ ବିଜେପି ନେତାମାନେ ରାଜନୈତିକ ହତ୍ୟାର ଶିକାର ହେବେ? ପୋଲିସ ଶାସକ ଦଳ ଚାପରେ ଆଇନ ମନ୍ତ୍ରୀଙ୍କୁ ଗିରଫ କରିବା ତ ଦୂରର କଥା ତାଙ୍କୁ ତଦନ୍ତ ପରିସରଭୃକ୍ତ କରୁନାହିଁ ।ମାହାଙ୍ଗା ହତ୍ୟାକାଣ୍ଡ ପରେ ପ୍ରଫୁଲ ବିଶ୍ୱାଳଙ୍କୁ ମନ୍ତ୍ରୀ ପ୍ରତାପ ଜେନା ଅଣ୍ଡରଗ୍ରାଉଣ୍ଡ କରି ରଖିଥିଲେ । ଓଡିଶାରେ ଅପରାଧ ହାର ବୃଦ୍ଧି ପାଇବାରେ ଲାଗିଛି । ଗାଡି ଦୁର୍ଘଟଣାରେ ପ୍ରଫୁଲ ବିଶ୍ୱାଳଙ୍କ ଶରୀରରେ ଗଭୀର ଆଘାତ ଲାଗିଥିବାବେଳେ କିପରି ତାଙ୍କ ବାଇକ, ମୋବାଇଲ ଏବଂ ହେଲମେଟ ସୁରକ୍ଷିତ ଥିଲା ବୋଲି ପ୍ରଶ୍ନ କରିଛନ୍ତି ସମୀର ମହାନ୍ତି ।ଏହା ସହ ଘଟଣାରେ ୧୨ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହେବା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏତଲାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ଥିବାବେଳେ ପୋଲିସ ତାଙ୍କୁ କାହିଁକି ଗିରଫ କରୁନାହିଁ ବୋଲି ମୃତକ ପରିବାର ଲୋକ ବାରମ୍ବାର ଅଭିଯୋଗ କରିଆସୁଛନ୍ତି । ତେଣୁ ଘଟଣାର ତନ୍ତ କେତେଦୂର ଆଗେଇଛି ତାହାର ତଦନ୍ତ କରିବାକୁ ଦାବି ହୋଇଛି ।