
ହିଞ୍ଜିଳିକାଟୁ,୧୭/୦୨(ଜିଲ୍ଲା ଖବର) : ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ପାଇଁ ରାଜ୍ୟ ସରକାର ସର୍ବଶିକ୍ଷା ଅଭିଯାନ ନାଁରେ ସଭିଏଁ ପଢନ୍ତୁ ,ସଭିଏଁ ବଢ଼ନ୍ତୁ ନାରା ଦେଇ ପାଠପଢ଼ା ଉଦ୍ୟମ ଜାରି ରଖିଥିବା ବେଳେ କେଉଁଠି ନା କେଉଁଠି ଅପାରଗତା ସରକାରଙ୍କ ପାରିବାରପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନିଜ ଅଞ୍ଚଳ ହିଂଜିଳିକୁ ୧ ନଂ କରି ଗଢି ତୋଳିବା ପାଇଁ ସ୍ୱପ୍ନ ଦେଖୁଥିବା ବେଳେ ସେଣ୍ଟର ଅଫ ଏକ୍ସିଲେନ୍ସ ପାଇଁ ସାମିଲ ଥିବା ସ୍ଥାନୀୟ ପୋୖରାଞ୍ଚଳସ୍ଥିତ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟର ବିକଳ ଚିତ୍ର ପଦାକୁ ଆସିଛି ।ଆଉ ପିଲାଙ୍କ ପାଠ ପଢ଼ା ବେଳେ କିଛି ଅଘଟଣ ଘଟିଲେ ଦାୟୀ କିଏ ହେବ ,ସେ ନେଇ ପ୍ରଶ୍ନ ସୃଷ୍ଟି କରିଛି ।ସୂଚନା ପ୍ରକାରେ, ଗତ କିଛି ଦିନ ହେବ ହିଂଜିଳି ବୃନ୍ଦାବନ ବିଦ୍ୟାଳୟକୁ ଉଚ୍ଚ ପଦସ୍ତ ଅଧିକାରୀ ମାନେ ଆସି ପିଲାଙ୍କ ସହ ଭାବ ବିନିମୟ କରି ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କ ସମସ୍ୟା ଉପରେ ପଚାରି ବୁଝି ଫେରିଯା’ନ୍ତି ।କିନ୍ତୁ କାହାରି ଭିତ୍ତିଭୂମି ଉପରେ ନଜର ପଡ଼ୁ ନ ଥିବା ଭଳି ଜଣାପଡୁଛି ।ଜାନୁଆରୀ ୧୮ ତାରିଖରେ ମିନିପାର୍କ ଉଦ୍ଘାଟନ ସହ ସ୍ମାର୍ଟ କ୍ଲାସରୁମରେ ଜିଲ୍ଳାପାଳ ପାଠ ପଢ଼ାଇଥିଲେ ।ଜାନୁଆରୀ ୨୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ତଥା କ୍ରୀଡ଼ା ବିଭାଗ ଅତିରିକ୍ତ ସଚିବ ଆର. ଭିନିଲ କ୍ରିଷ୍ଣାଙ୍କ ଗସ୍ତ ଓ ଫେବ୍ରୁଆରୀ ୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ ସଚିବ ଡଃ ପ୍ରଦୀପ୍ତ କୁମାର ମହାପାତ୍ର ଓ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାସ ବୃନ୍ଦାବନ ବିଦ୍ୟାଳୟକୁ ଆସି ଭିତ୍ତିଭୂମି ପରଖିଥିଲେ ।ସେହିଭଳି ଗତ ୧ ତାରିଖରେ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼ ବିଡ଼ିଓ ,ଅନ୍ୟ କନିଷ୍ଠ ଓ ସହକାରୀ ଯନ୍ତ୍ରୀ ମିଶି ସମୁଦାୟ ୩୩ଜଣ କର୍ମଚାରୀ ସ୍ମାର୍ଟ କ୍ଲାସ ବୁଲି ଦେଖି ଫେରିଥିଲେ ।ତେବେ ଜିଲ୍ଳାପାଳ ,ନୋଡ଼ାଲ ଅଫିସର ଓ ଜିଲ୍ଲା ଶିକ୍ଷାଧିକାରୀ ଘନ ଘନ ଗସ୍ତ କରୁଥିଲେ ବି ଭିତ୍ତିଭୂମି ପ୍ରତି କାହାରି ନିଘା ନ ଥିବା ଦେଖିବାକୁ ମିଳିଛି ।ଅନ୍ୟପକ୍ଷରେ ଉକ୍ତ ବିଦ୍ୟାଳୟ ପରିସରରେ କେନ୍ଦ୍ରୀୟ ବିଦ୍ୟାଳୟ ରହିଥିବା ହେତୁ ବିଦ୍ୟାର୍ଥୀଙ୍କ ସମସ୍ୟା ବି ଉପୁଜୁଛି ।ଶିକ୍ଷଣୀୟ ପରିବେଶ ଓ କ୍ରୀଡ଼ା ପାଇଁ ବାଧା ସୃଷ୍ଟି ହୋଇଥିବା ବିଦ୍ୟାର୍ଥୀ ଅଭିଯୋଗ କରିଛନ୍ତି।ତେବେ ଉପରୋକ୍ତ ସମସ୍ୟା ପ୍ରତି ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ଜୋର ଧରିଛି ।
ରଜନୀକାନ୍ତ ପାତ୍ର ହିଂଜିଳି କାଟୁ





