Thursday, November 12, 2026
Home ଆଞ୍ଚଳିକ ଜରିପାଲ ତଳେ ୫ ପ୍ରାଣୀ ,ଘରଦିଅ ନହେଲେ ମୃତ୍ୟୁ

ଜରିପାଲ ତଳେ ୫ ପ୍ରାଣୀ ,ଘରଦିଅ ନହେଲେ ମୃତ୍ୟୁ

38

ଜଟଣୀ,୧୫/୦୨(ଜିଲ୍ଲା ଖବର) : କେନ୍ଦ୍ର ଓ ରାଜ୍ୟ ସରକାର ଗରୀବ ଅସହାୟମାନଙ୍କୁ ଥଇଥାନ କରିବାପାଇଁ ଏବଂ ସେମାନଙ୍କୁ ସେମାନଙ୍କ ବାସଗୃହରେ ରଖିବାଲାଗି ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି । ହେଲେ ଦିର୍ଘ ୮ବର୍ଷରୁ ଜଣେ ଅସହାୟ ଦିନମଜୁରୀଆ ବର୍ଗର ବ୍ୟକ୍ତି ୫ପ୍ରାଣୀ କୁଟୁମ୍ବକୁ ନେଇ ଏକ ଜରିପାଲ ତଳେ କାଳତିପାତ କରୁଥିବା ଘଟଣା ପ୍ରଶାସନର ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ସାହାଯ୍ୟ ପରିବର୍ତେ ପ୍ରତାରଣା କରି ଛାଡିଥିବା ଜଟଣୀବ୍ଲକ୍ ଅନ୍ତର୍ଗତ ବେଣାପଜଂରୀ ପଚାଂୟତ ଅଧିନସ୍ଥ ବୁଢାଙ୍ଗରା ଗ୍ରାମର ଅସହାୟ ମୂରଲୀ ସିଂହଙ୍କ ନିକଟରେ ଦେଖିବାକୁ ମିଳିଛି । ମାତ୍ର ବିଡମ୍ବନାର ବିଷୟ ମୂରଲୀ ବାରମ୍ବାର ବ୍ଲକକୁ ଦୈାଡିବାପରେ ତତ୍କାଳିନ ବିଡିଓଙ୍କ ପ୍ରତାରଣା ପରେ ବ୍ଲକ ଦ୍ୱାର ଆଉ ଉଠିବି ନାହିଁ । ଅବହେଳିତ ପ୍ରଶାସନ ଏଣିକି ଘର ଖଣ୍ଡିଏ ଦେଉ ନଚେତ ଆମ୍ଭମାନଙ୍କୁ ମୃତ୍ୟୁ ଦେଉ ବୋଲି ଛଳଛଳ ନୟନରେ କୋହଭରା କଣ୍ଠରେ କହିଛନ୍ତି ମୂରଲୀ । ସୁଚନାନୁସାରେ, ଜଟଣୀବ୍ଲକ ବେଣାପଜଂରୀ ପଚାଂୟତ ବୁଢାଙ୍ଗରା ଗ୍ରାମର ଟାଙ୍ଗିଉପରେ ମୂରଲୀ ସିଂଙ୍କ ପରିବାର ରହନ୍ତି । ପରିବାର ମଧ୍ୟରେ ସ୍ତ୍ରୀ,୨ଝିଅ ଏବଂ ଏକ ପୁଅ ରହିଛନ୍ତି । ଏହି ପରିବାରକୁ ନେଇ ମୂରଲୀ ମୂଲମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି । ଦିର୍ଘ ୮ବର୍ଷଧରି ଘରଖଣ୍ଡିଏ ପାଇଁ ପ୍ରଶାସନକୁ ଗୁହାରୀକରିଥିଲେ ମଧ୍ୟ କେହି ଶୁଣିଲେ ନାହିଁ । ତେବେ ଏନେଇ ଜଟଣୀବ୍ଲକକୁ ବାରମ୍ବାର ଦୈାଡିଥିଲେ । ମାତ୍ର ତତ୍କାଳିନ ବିଡିଓ ବାସୁଦେବ ମାହାରୀ ତାଙ୍କୁ ବିଭିନ୍ନ କଟୁଭାଷା କହିବା ସହିତ ନାଲିଆଖି ଦେଖାଇ ଛାଡିଦେଇଥିବା କହିଛନ୍ତି ମୂରଲୀ । ଏପରିକି ବ୍ଲକକୁ ଆସିଲେ ଥାନାରେ ଦେଇଦେବି ବୋଲି କହି ଭୟଭିତ କରିଛାଡିଦେଇଥିଲେ । ତେବେ ୨୦୧୯ ମେ” ୩ତାରିଖରେ ହୋଇଥିବା ସାମୁଦ୍ରୀକ ଝଡ ଫନିରେ ମୂରଲୀଙ୍କ ଏହି ଝୁମ୍ପୁଡିଘରଟି ସମ୍ପୁର୍ଣ୍ଣଧରାଶାୟୀ ହୋଇଯାଇଥିଲା । ଏନେଇ ସରକାରଙ୍କ ପକ୍ଷରୁ ଜରିପାଲ,୫୦୦ଟଙ୍କା ଇତ୍ୟାଦି ମିଳିଥିଲା । ସେଥିରେ ମୂରଲୀଙ୍କୁ ମଧ୍ୟ ଜରିପାଲଟିଏ ମିଳିଥିଲା । ଜରିପାଲ ପକାଇ ମୂରଲୀ ବର୍ଷବର୍ଷରୁ ଏହିଘରେ ପରିବାର ନେଇ ଚଳିଆସୁଥିଲେ । ନିକଟରେ କେତେକ ବ୍ୟକ୍ତି ବ୍ଲକରେ ଯାଇ ମୂରଲୀଙ୍କ ଏହି ସମସ୍ୟା ଜଣାଇବାପରେ ସରପଚଂଙ୍କ ମାଧ୍ୟମରେ ବ୍ଲକପକ୍ଷରୁ ୨୦୧୮ ମସିହାରେ ଏକ ଇନ୍ଦିରାଆବାସ ଯୋଜନା ମିଳିଥିଲା । ଏହି ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଟଙ୍କା ମୂରଲୀଙ୍କୁ ମିଳିବାପରେ ମୂରଲୀ ଏଥିରେ ଆଉକିଛି ଧାରକରଜ କରି ଟଙ୍କାମିଶାଇ ଘରନିର୍ମାଣ କାର୍ଯ୍ୟାରମ୍ଭ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ଆଉ ମିଳିନଥିଲା । ଏଥିପାଇଁ ବ୍ଲକରେ ନିବେଦନ କରିବାପରେ ତୁମର ଘର ସରକାରୀଜମିରେ ରହିଛି । ତେଣୁ ତୁମକୁ ଏହି ଯୋଜନା ମିଳିପାରିବ ନାହିଁ ବୋଲି ବିଡିଓ ଓ ସରପଚଂ କହିଥିଲେ । ହେଲେ ଏହି ଜମିରେ ମୋତେ ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିଛି ଏବଂ ମୋର ନିଜସ୍ୱଜମି ନାହିଁ ବୋଲି ମୂରଲୀ ପ୍ରତିଉତର ରଖିବାପରେ କିଛି କରିହେବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ରୋକଠୋକ କୁହାଯାଇଥିଲା । ତେଣୁ ନିରୁପାୟ ହୋଇ ମୂରଲୀ ଭାଗ୍ୟକୁ ଆଦରୀ ଚୁପରହିଗଲେ ବୋଲି କହୁଛନ୍ତି । ନିକଟରେ ମୂରଲୀଙ୍କ ଏକ ଛୋଟଝିଅକୁ ଏହି ଝୁମ୍ପୁଡିଘରେ ସାପ କାମୁଡିଦେବା ଫଳରେ ଝିଅଟି ଗୁରୁତର ହୋଇଯାଇଥିଲା ବେଳେ ଆଉ ଏକ ଝିଅଟି କୂଅରେ ପଡିଯାଇଥିଲା । ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର କରାଯାଇଥିଲା । ମୂରଲୀଙ୍କ ସମସ୍ୟା ଏତିକିରେ ସିମିତ ନାହିଁ । ବାପା ସୁକଦେବ ସିଂ ୬୫ବର୍ଷ ବୟସରେ ପୃଷ୍ଟିହିନତା ଯୋଗୁଁ ମୃତ୍ୟୁ ଘଟିଥିବା ବେଳେ ମା” କର୍କଟ ରୋଗରେ ପଡି ମୃତ୍ୟୁବରଣ କରିଥିଲେ । ଘରେ ଏକମାତ୍ର ରୋଜଗାରକ୍ଷମ ମୂରଲୀ, ନିଜର ବାପା ଓ ମାଙ୍କ ପାଇଁ ଅର୍ଥଖର୍ଚ୍ଚ ନକରିପାରିବାରୁ ସେମାନେ ଅକ୍ଳାନ୍ତରେ ପ୍ରାଣହରାଇଥିବା କହିଛନ୍ତି । ଏସବୁ ଘଟଣା ମାନବଜାତିର ଛାତି ଥରାଇଦେବାଭଳି ଲାଗୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଆଖି ବୁଜିଦେଇଥିବାଭଳି ମନେହୁଏ । ଭୂମିହୀନ ,ଅସହାୟ ଓ ଅବହେଳିତ ଅବସ୍ଥାରେ ରହିଥିବା ମୂରଲୀଙ୍କ ଏକମାତ୍ର ସରକାରୀ ଯୋଜନା ହେଉଛି ଟଙ୍କିକିଆ ଚାଉଳ ମିଳୁଥିବା ରାସନକାର୍ଡ ଖଣ୍ଡିଏ । ନେତାମନ୍ତ୍ରୀମାନେ ନିର୍ବାଚନ ସମୟରେ ଅନେକଥର ପ୍ରତିଶୃତି ଦେଇଥିଲେ । ହେଲେ ସେମାନେ ସେବେଠାରୁ ଆଉ କେହି ଏଠାକୁ ଆସି ନାହାନ୍ତି ବୋଲି ମୂରଲୀ କହିଛନ୍ତି । ଅବହେଳାର ସୀମାପାର ହୋଇଯାଇଛି । ଛିଣ୍ଡାଜରିପାଲ ତଳେ ୫ପ୍ରାଣୀ କୁଟୁମ୍ବକୁ ନେଇ ଆଉ ଏଣିକି ରହିବା ଅସହ୍ୟ ହେଲାଣି । ଏଣିକି ପ୍ରଶାସନ ମୋତେ ମୁଣ୍ଡଗୁଜିଂବାକୁ ଘର ଖଣ୍ଡିଏ ଦିଅନ୍ତୁ ନତବା ଆମକୁ ମୃତ୍ୟୁ ଦେଇଦିଅନ୍ତୁ ବୋଲି କହିଛନ୍ତି ମୂରଲୀ । ଏନେଇ ବେଣାପଜଂରୀ ସରପଚଂ ସେକ ରିଆଜ ଅଲୀ କୁହନ୍ତୀ, ବୁଢାଙ୍ଗରା ଟାଙ୍ଗି ଅଂଚଳରେ ରହୁଥିବା ମୂରଲୀଙ୍କ ଘରକୁ ମୁଁ ଯାଇ ତଦନ୍ତ କରି ଇନ୍ଦିରାଆବାସ ଯୋଜନା ପାଇଁ ସୁପାରିସ କରିଥିଲି । ଏଥିରେ ତାଙ୍କୁ ମଧ୍ୟ ୨୦ହଜାର ଟଙ୍କା ମିଳିଛି । ଫନି ସମୟରେ ହେଉଥିବା ତଦନ୍ତପରେ ମୂରଲୀ ରହୁଥିବା ଜମିଟି ଜଗନ୍ନାଥ ମହାପ୍ରଭୂଙ୍କ ରେକର୍ଡଭୂକ୍ତ ହୋଇଥିବା ନେଇ ତତ୍କାଳିନ ବିଡିଓ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ । ସରକାରଙ୍କ ନିର୍ଦ୍ଧେଶକ୍ରମେ ଶ୍ରୀଜଗନ୍ନାଥ ଜମିକୁ ସରକାରଙ୍କ କୈାଣସି ଉନ୍ନତିମୂଳକ ଯୋଜନା ପ୍ରଦାନ ହୋଇପାରିବ ନାହିଁ । ଆଗକୁ ସରକାର ଓ ପ୍ରଶାସନ ଯାହା ନିର୍ଣ୍ଣେୟ ନେବେ ତାହା କାର୍ଯ୍ୟକାରୀ କରାଯିବ । ତେବେ ଦେଖିବାକୁ ବାକି ରହିଲା ବାସହୀନ ମୂରଲୀ କେବେ ବାସୋପଯୋଗୀ ହେବେ ।

ସଞ୍ଜୀବ କୁମାର ,ଖୋର୍ଦ୍ଧା