Home ଆଞ୍ଚଳିକ ସୁନ୍ଦରଗଡ଼ ଜିତିଲା ସାହାଣୀ କପ୍

ସୁନ୍ଦରଗଡ଼ ଜିତିଲା ସାହାଣୀ କପ୍

31

ସୁନ୍ଦରଗଡ଼,୧୪/୨(ଜିଲ୍ଲା ଖବର) : ସୁନ୍ଦରଗଡ଼ ଭବାନିପୁର ସ୍ପୋର୍ଟସ ହଷ୍ଟେଲ ଷ୍ଟାଡିୟମ୍ ରେ ଅନୁଷ୍ଠିତ ହୋଇଥିଲା ୬୧ତମ ଆନ୍ତଃ ଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ” ସାହାଣୀ କପ୍”। ଆଜି ଫାଇନାଲ ମ୍ୟାଚରେ ସଂଘର୍ଷ ହୋଇଥିଲା କଟକ ଓ ଆୟୋଜକ ସୁନ୍ଦରଗଡ଼ ଜିଲ୍ଲା ମଧ୍ୟରେ। ଏହି ସଂଘର୍ଷପୂର୍ଣ ମ୍ୟାଚ୍ ରେ ଖେଳ ସମାପନ ଯାଏଁ କେହି କାହାକୁ ଗୋଲ୍ ଦେଇ ପାରିନଥିଲେ। କେତେବେଳେ ସୁନ୍ଦରଗଡ଼ ତ କେତେବେଳେ କଟକ ପ୍ରାଧାନ୍ୟ ବିସ୍ତାର କରି ଚାଲିଥିଲେ। ମାତ୍ର ସମସ୍ତ ପ୍ରୟାସ ସତ୍ତ୍ୱେ ମ୍ୟାଚ୍ ଅମିମାଂସିତ ରହିଥିଲା । ଏଣୁ ପେନାଲ୍ଟି ସୁଟ ଆଉଟ୍ ରେ ନିର୍ଣ୍ଣୟ ହୋଇଥିଲା ମ୍ୟାଚ୍ ରେ ଫଳାଫଳ। ଏଥିରେ ସୁନ୍ଦରଗଡ଼ ଜିଲ୍ଲା କଟକ ଜିଲ୍ଲାକୁ ୪-୨ ଗୋଲ୍ ବ୍ୟବଧାନରେ ପରାସ୍ତ କରି ଚାମ୍ପିଅନ ବିବେଚିତ ହେଲା। କ୍ରମାଗତ ଭାବରେ ସୁନ୍ଦରଗଡ଼ ଦୁଇ ବର୍ଷ ଧରି ଏହି ସମ୍ମାନଜନକ ସାହାଣୀ କପ୍ ରେ ଚାମ୍ପିଅନ ହୋଇ ଆସୁଅଛି। ଆଜିର ଏହି ମ୍ୟାଚ୍ ରେ ଫାଓ ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା ଯୋଗ ଦେବାର କାର୍ଯ୍ୟକ୍ରମ ଥିଲେ ହେଁ ବ୍ୟକ୍ତିଗତ କାରଣରୁ ସେ ଯୋଗ ଦେଇ ପାରିନଥିଲେ ଓ ତାଙ୍କ ଶୁଭେଚ୍ଛା ବାର୍ତ୍ତା ପଠାଇଥିଲେ।ଏହି ଅବସରରେ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ସମ୍ପାଦକ ଶ୍ରୀ ଅଭିଜିତ ପାଲ୍ ମୁଖ୍ୟଅତିଥି ଭାବରେ ଯୋଗଦେଇ ଖେଳାଳିଙ୍କ ଉତ୍ସାହ ବର୍ଦ୍ଧନ କରିଥିଲେ। ଫାଓ ଉପସଭାପତି ରବି ନାରାୟଣ ପଣ୍ଡା, ବରଗଡ଼ କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ କିଶୋର କୁମାର ମିଶ୍ର, ସୁନ୍ଦରଗଡ଼ ପରିବହନ ଅଧିକାରୀ ରାମଦାସ ଟୁଡୁ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ।
ଫାଓ ଉପସଭାପତି ରାଜେନ୍ଦ୍ର ମହାନ୍ତି,ସଂସଦ ଉପସଭାପତି ପୌଷଚନ୍ଦ୍ର ପଟେଲ୍ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଅକୁଣ୍ଠ ସହଯୋଗ ପାଇଁ ରାଜେନ୍ଦ୍ର ପଣ୍ଡା,ରାଜା ପଟ୍ଟନାୟକ,ଅଶ୍ଵିନୀ ନାଏକ,ଦେବେନ୍ଦ୍ର ଖର୍ସେଲ୍,ଯୋଗେଶ୍ୱର ଭୋଇ ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା। ଏହି ମ୍ୟାଚ୍ ରେ କିଶନ ଦାଶ,ବିପୁଳ ବିଦ୍ୟାଧର, ଆଶୀର୍ବାଦ କାନୁନଗୋ,ସହଦେବ ମୁଚିମ୍ ଓ ଅରୁଣ ନାଏକ ରେଫରୀ ଭାବରେ ଖେଳ ପରିଚାଳନା କରିଥିବା ବେଳେ ଦୁର୍ଗାମାଧବ ନାଏକ ମ୍ୟାଚ୍ କମିଶନର ଭାବରେ ଦାୟିତ୍ବ ତୁଲାଇଥିଲେ ଏବଂ ନିତ୍ୟାନନ୍ଦ ଦାସ,କାର୍ତ୍ତିକ ରକ୍ସା,ହୃଦୟ ରଞ୍ଜନ ସିଂ ଏବଂ ମହମ୍ମଦ ଆସିଫ୍ ଚୟନକର୍ତ୍ତା ଭାବରେ ଉପସ୍ଥିତ ଥିଲେ। ଏହି ମ୍ୟାଚରେ ସୁନ୍ଦରଗଡ଼ର ମହେଶ ପ୍ରଧାନ ମ୍ୟାନ ଅଫ ଦି ମ୍ୟାଚ୍, ଅମିତ୍ ତନ୍ତୀ ଶ୍ରେଷ୍ଠ ଗୋଲରକ୍ଷକ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ,ବିକାଶ ସାହୁ ଶ୍ରେଷ୍ଠ ଉଦୀୟମାନ ଖେଳାଳୀ, କଟକ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବରେ ପୁରସ୍କୃତ ହୋଇଥିଲେ। ସୁନ୍ଦରଗଡ଼ର ଖେଳାଳୀ କିଶୋର ଖଡିଆଙ୍କୁ ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ସାହାଣୀ ପରିବାର ତରଫରୁ ଦଶ ହଜାର ଟଙ୍କା ନଗଦ ପ୍ରଦାନ କରିଥିଲେ। ପ୍ରଥମ ଥର ପାଇଁ ଗୌରୀ ଶଙ୍କର ସାହାଣୀ ଟ୍ରଷ୍ଟ ତରଫରୁ ଉପବିଜେତା ଦଳକୁ ଦଶ ହଜାର ଟଙ୍କା ଏବଂ ବିଜେତା ଦଳକୁ ପନ୍ଦର ହଜାର ଟଙ୍କା ନଗଦ ପ୍ରଦାନ କରାଯାଇଥିଲା। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାତ କୁମାର ଭୋଳ ବିଜେତା ଦଳକୁ ଏକ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି। ସଂସଦ ତରଫରୁ ଦଳର ପ୍ରଶିକ୍ଷକ ସମାପ୍ତେନ୍ଦୁ ମେହେର ଓ ମ୍ୟାନେଜର ରୋମାଞ୍ଚ ଭାଇଂସାଲ ଙ୍କୁ ତାଙ୍କର ଅକଥନୀୟ ପ୍ରୟାସ ପାଇଁ ବିଶେଷ ଧନ୍ୟବାଦ୍ ପ୍ରଦାନ କରାଯାଇଛି। ଆଜି ଏହି ଅବସରରେ ସଂସଦର ସଦସ୍ୟ ପ୍ରଶାନ୍ତ ପଟେଲ୍,ଶିଶିର ପଟେଲ୍, ଅଜୟ ବହିଦାର, ବିମଳ ବୋଷ, ବିରମିତ୍ର କାଲୋ,ଆଶିଷ ଦେ,ଜୟଦେବ ପାତ୍ର,ସୁରଜ୍ ଭାଇଂଶାଲ,ଅକ୍ଷୟ ନାଏକ,ନିତ୍ୟ କୁମାର ବଳ ପ୍ରମୁଖ ସହଯୋଗ କରିଥିଲେ। ସଦସ୍ୟ ବିଶ୍ବରଂଜନ ହୋତା ମଞ୍ଚ ପରିଚାଳନା କରିଥିଲେ।
ବିଶ୍ବରଂଜନ ହୋତା, ସୁନ୍ଦରଗଡ଼