
ସୁନ୍ଦରଗଡ଼ : (ବିଶ୍ବରଂଜନ ହୋତା)୬୧ ତମ ଆନ୍ତଃ ଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ” ସାହାଣୀ କପ୍” – ୨୦୨୦-୨୧ ଆସନ୍ତା ଫେବୃଆରି ୬ ତାରିଖ ରୁ ସୁନ୍ଦରଗଡ଼ରେ ଅନୁଷ୍ଠିତ କରିବାକୁ ଫୁଟବଲ୍ ଆସୋସିଏସନ୍ ଅଫ ଓଡ଼ିଶା ସ୍ଥିର କରିଛି। ଏହି ପରିପ୍ରେକ୍ଷୀରେ ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ପରିସରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ଏହି ପ୍ରତିଯୋଗିତା ବିଷୟରେ ପୁଙ୍ଖାନୁପୁଙ୍ଖ ବିବରଣୀ ପ୍ରଦାନ କରିଥିଲେ। ପ୍ରାପ୍ତ ସୂଚନା ଅନୁଯାୟୀ ୨୯ ଜିଲ୍ଲାର ୩୨ ଟି ଦଳ ଏହି ପ୍ରତିଯୋଗିତାରେ ଚାରିଟି ଜୋନ୍ ରେ ପୂର୍ବ ନିର୍ଦ୍ଧାରିତ ଚାରିଟି ଫୁଟବଲ୍ ପଡ଼ିଆରେ ତାଙ୍କର କ୍ରୀଡ଼ା ନୈପୁଣ୍ୟ ପ୍ରଦର୍ଶନ କରିବେ। ଏହି ପ୍ରତିଯୋଗିତା ପାଇଁ ତସଲାଡ଼ିହି ଷ୍ଟାଡିୟମ୍,ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ, ଗୋପବନ୍ଧୁ ଷ୍ଟାଡିୟମ୍ ଏବଂ ଭବାନିପୁର୍ ସ୍ପୋର୍ଟସ ହଷ୍ଟେଲ ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ହୋଇ ସାରିଛି ବୋଲି ପ୍ରକାଶ କରିଛନ୍ତି ସମ୍ପାଦକ ପ୍ରଭାତ କୁମାର ଭୋଳ। ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ଶ୍ରୀ ଭୋଳ ଏହି ପ୍ରତିଯୋଗିତା ଆୟୋଜନରେ ଜିଲ୍ଲା ପ୍ରଶାସନର ସହାୟତା ପାଇଁ ଭୂୟସୀ ପ୍ରଶଂସା କରିଥିଲେ। ଏହି ପ୍ରତିଯୋଗିତାରେ ୨୮ ଜଣ ରେଫରୀ, ୪ ଜଣ ମ୍ୟାଚ୍ କମିଶନର,୫ ଜଣ ଚୟନକର୍ତା ଏବଂ ଜଣେ ପର୍ଯ୍ୟବେକ୍ଷକ ଫାଓ ତରଫରୁ ନିୟୋଜିତ ହୋଇଛନ୍ତି। ଆସନ୍ତା କାଲିର ଉଦଘାଟନୀ ସମାରୋହରେ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ଏବଂ ଫେବୃଆରୀ ୧୪ ତାରିଖ ଉଦଯାପନୀ ସମାରୋହରେ ଫାଓ ସମ୍ପାଦକ ଶ୍ରୀ ଆଶୀର୍ବାଦ ବେହେରା ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ପ୍ରଦାନ କରିଛନ୍ତି ଶ୍ରୀ ଭୋଳ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ସଂସଦର ସମ୍ପାଦକ ପ୍ରଭାତ କୁମାର ଭୋଳ, ଫାଓ ଉପସଭାପତି ରାଜେନ୍ଦ୍ର ମହାନ୍ତି,ଫାଓ ରେଫରି ମୁଖ୍ୟ ତଥା ମ୍ୟାଚ୍ କମିଶନର ଦୁର୍ଗାମାଧବ ନାଏକ,ସହ – ସମ୍ପାଦକ ଜୟଦେବ ପାତ୍ର, ଉପସଭାପତି ଚିତ୍ତରଂଜନ ବହିଦାର,ସଂସଦର କାଉନସିଲ ସଦସ୍ୟ ଅଶ୍ଵିନୀ ଭୋଳ,ଶିଶିର ପଟେଲ୍, ଅଜୟ ବହିଦାର ଏବଂ ବିଶ୍ବରଂଜନ ହୋତା ପ୍ରମୁଖ ଉପସ୍ଥିତ ଥିଲେ।



