
ସୁନ୍ଦରଗଡ଼[ବିଶ୍ବରଂଜନ ହୋତା]: ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ମାଧ୍ୟମରେ ସହଭାଗିତା ମୂଳକ ଅଣୁଯୋଜନା ପ୍ରସ୍ତୁତ କରାଯାଇ ଗ୍ରାମ୍ୟ ସ୍ତରରେ ଅତି ଗରିବ ପରିବାରଙ୍କୁ ଚିହ୍ନଟ କରାଯାଇଛି। ନିସ୍ଵ, ସମ୍ବଳହୀନ, ଭୂମି ହୀନ ଶ୍ରେଣୀର ଏହି ପରିବାର ମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନିମନ୍ତେ ବ୍ୟାପକ ପ୍ରୟାସ କରାଯାଉଛି। ଏହି ପରିବାର ମାନଙ୍କୁ ଏକ ବିକଳ୍ପ ରୋଜଗାରର ପନ୍ଥା ଯୋଗାଇବା ନିମନ୍ତେ ବିଭିନ୍ନ ବିଭାଗ ସହିତ ସୁସମନ୍ମୟ ରକ୍ଷା କରି ଏକାଭିମୁଖୀତା ମାଧ୍ୟମରେ ସହଯୋଗ କରାଯାଉଛି।
ଏହି ପରିପ୍ରେକ୍ଷୀରେ ଉଜ୍ଜଲପୁର କ୍ଷେତ୍ର ପରିଚାଲନା ଏକକ ତରଫରୁ ସାନପତ୍ରାପାଲି ସେକ୍ସନର ୫ ଟି ବନ ସୁରକ୍ଷା ସମିତିର ୨୪ ଜଣ ଅତିଗରିବ ପରିବାରଙ୍କୁ ଦ୍ଵିତୀୟ ପର୍ଯ୍ୟାୟରେ ପୁଣି ୨୫ଟି ଲେଖାଏଁ କୁକୁଡା ଚିଆଁ ମାଗଣାରେ ସୁନ୍ଦରଗଡ ପ୍ରାଣୀଧନ ବିଭାଗର ସହାୟତାରେ ବଣ୍ଟନ କରାଯାଇଛି। ଏଥି ନିମନ୍ତେ କର୍ଲାଘାଟି ବନ ସୁରକ୍ଷା ସମିତି କାର୍ଯ୍ୟ।ଳୟରେ ଆୟୋଜିତ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସବଡେଗା ଗୋଷ୍ଠୀ ପ୍ରାଣୀଧନ ଚିକିତ୍ସାଧିକାରୀ ଡ. ଆଲାନ ରାଜ କୁଲଲୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି କୁକୁଡା ପାଳନର ଉପକାରିତା, ଟୀକାକରଣ, କୁକୁଡା ମାନଙ୍କ ବିଭିନ୍ନ ରୋଗ ଓ ତାର ପ୍ରତିକାର ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଡାଇନିଡ଼ିହି ବନ ସୁରକ୍ଷା ସମିତିର ୮ ଜଣ, କର୍ଲାଘାଟୀ ବନ ସୁରକ୍ଷା ସମିତିର ୪ ଜଣ, ଠିନଠିନୀଗୁଡା ଓ ପୋଗ୍ରାମୁଣ୍ଡା ବନ ସୁରକ୍ଷା ସମିତିର ୫ ଜଣ ଲେଖାଏଁ ତଥା ନୂଆଡ଼ିହି ବନ ସୁରକ୍ଷା ସମିତିର ୨ ଜଣ ଅତି ଗରିବ ପରିବାରଙ୍କୁ ଏଥିରେ ସାମିଲ କରାଯାଇଛି। ସଂପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଂଯୋଜକ ରାଜେସ କୁମାର ମହାପାତ୍ର, ସହଯୋଗୀ ଅନୁଷ୍ଠାନ ସେବକର ଉନ୍ନୟନ ଅଧିକାରୀ ମନୋରଞ୍ଜନ ମଲ୍ଲିକ, ପ୍ରାଣୀଧନ ନିରିକ୍ଷକ ସୁରେଶ ଟପ୍ନୋ ପ୍ରମୁଖ ପରିଚାଲନା କରିଥିଲେ।





