
- ସୁନ୍ଦରଗଡ଼,୨୦/୧/୨୧-(ବିଶ୍ବରଂଜନ ହୋତା): ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ୨୦୧୮ ମସିହାରେ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ। ତାହା ପୂର୍ବରୁ ସେ ଉକ୍ତ ସଂସଦର କ୍ରିକେଟ୍ ସମ୍ପାଦକ ଭାବରେ ସୁଚାରୁ ରୂପେ କାର୍ଯ୍ୟ ସମ୍ପାଦନ କରିଥିଲେ। ତାଙ୍କ କାର୍ଯ୍ୟକାଳ ସମୟରେ ସୁନ୍ଦରଗଡ଼ରେ କ୍ରିକେଟ୍ ଖେଳର ପୁନରୁଦ୍ଧାର ଓ ପ୍ରଗତି କରି ଅନେକ ସୁନାମ ଅର୍ଜନ କରିଥିଲେ। ଏହି ସମୟରେ କ୍ରିକେଟ୍ ଖେଳରେ ନବ ପ୍ରତିଭା ଅନ୍ୱେଷଣ ଓ ତାଙ୍କର କ୍ରୀଡ଼ା କୌଶଳ ଅଭିବୃଦ୍ଧି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରି ସୁନ୍ଦରଗଡ଼ ତଥା ରାଜ୍ୟରେ ବେଶ୍ ସୁନାମ ପାଇଥିଲେ। ଏହା ପରେ ଜିଲ୍ଲା କ୍ରୀଡ଼ା ସଂସଦର ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହେବା ପରେ ଅନ୍ୟ ସବୁ ଖେଳ ଗୁଡ଼ିକ କିପରି ପ୍ରାଧାନ୍ୟ ପାଇ ପାରିବ ସେହି ଉପରେ ଗୁରୁତ୍ଵ ପ୍ରଦାନ କରିଥିଲେ।ସମ୍ପୂର୍ଣ୍ଣ ଦଳକୁ ସାଙ୍ଗରେ ନେଇ ଏକ ଦକ୍ଷ ସଂଗଠକ ଭାବରେ ଅନେକ ପ୍ରତିଯୋଗିତାର ମଙ୍ଗୁଆଳ ସାଜିଥିଲେ ପ୍ରଭାତ। ତାଙ୍କ ପ୍ରୋତ୍ସାହନରେ ସୁନ୍ଦରଗଡ଼ ୨୦୧୮-୧୯ ସାହାଣୀ କପ୍ ରେ ଉପବିଜେତା ହୋଇଥିଲା ଏବଂ ୨୦୧୯-୨୦ ସାହାଣୀ କପ୍ ରେ ଚମ୍ପିୟାନ ହୋଇପାରିଥିଲା। କ୍ରିକେଟ୍ ର ଉନ୍ନତି ପାଇଁ ତାଙ୍କ ଅନବରତ ପ୍ରୟାସ ଫଳରେ ଏହି ବର୍ଷ ଜିଲ୍ଲାର ଦୁଇ ଜଣ ଖେଳାଳୀ ରାଜ୍ୟ ଟି-୨୦ ଦଳରେ ମନୋନୀତ ହେବାର ସୌଭାଗ୍ୟ ମିଳିଥିଲା।ଜିଲ୍ଲାର ଜଣେ ଦକ୍ଷ କ୍ରୀଡ଼ା ସଂଗଠକ ଭାବରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ପ୍ରଭାତ। ଆଗରୁ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ଓ ଓଡ଼ିଶା ଫୁଟବଲ୍ ଆସୋସିଏସନ୍ ର ସମ୍ମାନଜନକ ଅର୍ଥବ୍ୟାପାର କମିଟିରେ ସେ ସ୍ଥାନ ପାଇଛନ୍ତି। ସଦ୍ୟ ପ୍ରକାଶିତ ଖବର ଅନୁଯାୟୀ ସମ୍ମାନଜନକ ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ଯୁଗ୍ମ ସମ୍ପାଦକ ଭାବରେ ସେ ନିର୍ଦ୍ଵନ୍ଦରେ ନିର୍ବାଚିତ ହୋଇ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗୌରବ ଆଣଛନ୍ତି। ଏହି ଖବର ମିଳିଲା ପରେ ସୁନ୍ଦରଗଡ଼ ରେ ଖୁସିର ଲହରୀ ଖେଳିଯାଇଛି। ଜିଲ୍ଲାର ବହୁ ଖେଳାଳୀ ଓ ସଂଗଠକ ତାଙ୍କୁ ତାଙ୍କର ଏହି ନୂତନ ଦାୟିତ୍ବ ପାଇଁ ଶୁଭକାମନା ଜଣାଇଛନ୍ତି। ତାଙ୍କ ପ୍ରତିକ୍ରିୟାରେ ରେ ଶ୍ରୀ ଭୋଳ ଜିଲ୍ଲା ତଥା ରାଜ୍ୟ ପାଇଁ ସଦା ସର୍ବଦା ଚେଷ୍ଟିତ ରହିବା ସହ ସମ୍ପୂର୍ଣ୍ଣ ପ୍ରତିବଦ୍ଧତା ସହିତ କାର୍ଯ୍ୟ କରିବେ ବୋଲି ଜଣାଇବା ସହିତ ଜିଲ୍ଲାର ସମସ୍ତ ବର୍ଗର ଲୋକଙ୍କ ସହଯୋଗ କାମନା କରିଛନ୍ତି ତଥା ଓଡ଼ିଶା ଅଲିମ୍ପିକ୍ ଆସୋସିଏସନର ସମସ୍ତ ସଦସ୍ୟ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଏବଂ ଶ୍ରୀ ଆଶୀର୍ବାଦ ବେହେରାଙ୍କୁ ତାଙ୍କ ପ୍ରେରଣା ପ୍ରଦାନ ପାଇଁ ଧନ୍ୟବାଦ୍ ଜଣାଇଛନ୍ତି
ସୁନ୍ଦରଗଡ଼





