ରାଉରକେଲା ବିପିୟୁଟି କ୍ୟାମ୍ପସରେ ହେବାକୁ ଥିବା ହକି ଷ୍ଟାଡିୟମର ସ୍ଥାନ ଅନୁଧ୍ୟାନ କଲେ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ

130

ସୁନ୍ଦରଗଡ଼/ରାଉରକେଲା, ୧୯ ଜାନୁୟାରୀ ୨୦୨{ବିଶ୍ବରଂଜନ ହୋତା}ଭୁବନେଶ୍ୱର ସହିତ ରାଉରକେଲାରେ ୨୦୨୩ ପୁରୁଷ ହକି ବିଶ୍ୱକପ ଆୟୋଜନ ହେବାକୁ ଯାଉଛି। ଏଥିପାଇଁ ରାଉରକେଲାର ବିପିୟୁଟି କ୍ୟାମ୍ପସରେ ନିର୍ମାଣ ହେବାକୁ ଥିବା ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମର ସ୍ଥାନ ମଙ୍ଗଳବାର ଦିନ ଅନୁଧ୍ୟାନ କରିଛନ୍ତି ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ଟିମ୍।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ, କ୍ରୀଡ଼ା ଓ ଯୁବ ସେବା ବିଭାଗର ସ୍ୱତନ୍ତ୍ର ସଚିବ ଆର୍ ଭିନିଲ କ୍ରୀଷ୍ଣା, ପୂର୍ତ୍ତ ବିଭାଗର ସଚିବ ଡକ୍ଟର କ୍ରୀଷନ କୁମାର ରାଉରକେଲା ଗସ୍ତରେ ଆସି ବିପିୟୁଟି କ୍ୟାମ୍ପସ ପରିଦର୍ଶନ କରିଥିଲେ। ଏହି ଟିମ୍ ପ୍ରସ୍ତାବିତ ସ୍ଥାନର କେଉଁଠାରେ ଷ୍ଟାଡିୟମ ନିର୍ମାଣ ହେବ ଏବଂ ଷ୍ଟାଡିୟମରେ କେଉଁ କେଉଁ ସୁବିଧା ରହିବ ସେ ବିଷୟରେ ଅନୁଧ୍ୟାନ ଓ ଆଲୋଚନା କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ, ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ, ଆରଏମସି କମିଶନର ଦିବ୍ୟଜ୍ୟୋତି ପରିଡ଼ା, ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍ ଏବଂ ରାଉରକେଲା ଏସପି ଏମ କେ ଭାମୁ ପ୍ରମୁଖ ଉପସ୍ଥିତ ଥିଲେ।

ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ଅନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ ନିର୍ମାଣ କରିବାକୁ ଗତ କିଛିଦିନ ତଳେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ଏଥିରେ ଏକାସାଙ୍ଗରେ ୨୦ ହଜାର ଦର୍ଶକ ବସି ଖେଳ ଉପଭୋଗ କରିବାର କ୍ଷମତା ରହିବ। ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ଆନୁଷଙ୍ଗିକ ଭିତ୍ତିଭୂମି ସୁଦୃଢ଼ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

ଜିଲ୍ଲାରେ ହକିର ପ୍ରସାର ପାଇଁ ସମସ୍ତ ୧୭ଟି ବ୍ଲକରେ ଆଷ୍ଟ୍ରୋ ଟର୍ଫ ହକି ଷ୍ଟାଡିୟମ ମଧ୍ୟ ନିର୍ମାଣ କରାଯାଉଛି। ଏହି ଷ୍ଟାଡିୟମଗୁଡ଼ିକ ଏଫଆଇଏଚର ମାନଦଣ୍ଡ ଅନୁଯାୟୀ ନିର୍ମାଣ କରାଯିବା ସହ ଏଠାରେ ସ୍ଥାନୀୟ ଖେଳାଳିମାନଙ୍କ ତାଲିମ ପାଇଁ ବିଭିନ୍ନ ବ୍ୟବସ୍ଥା ରହିବ।