Home ଜିଲ୍ଲା ସୁନ୍ଦରଗଡ଼ରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ, ଜିଲ୍ଲାର ୮ଟି କେନ୍ଦ୍ରରେ ଆରମ୍ଭ ହେଲା ଟିକାକରଣ ଅଭିଯାନ

ସୁନ୍ଦରଗଡ଼ରେ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ, ଜିଲ୍ଲାର ୮ଟି କେନ୍ଦ୍ରରେ ଆରମ୍ଭ ହେଲା ଟିକାକରଣ ଅଭିଯାନ

47

ସୁନ୍ଦରଗଡ଼, ୧୬ ଜାନୁୟାରୀ ୨୦୨୧(ବିଶ୍ବରଂଜନ ହୋତା): ସାରା ଦେଶରେ ଜାନୁୟାରୀ ୧୬ ତାରିଖରୁ ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ ଆରମ୍ଭ ହେଇଛି। ଏହି ପ୍ରକ୍ରିୟାରେ ସୁନ୍ଦରଗଡ଼ ଜିଲ୍ଲା ସାମିଲ ହୋଇଛି। ଆଗ ଧାଡ଼ିର କରୋନା ଯୋଦ୍ଧା ଭାବେ ପରିଚିତ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମଚାରୀମାନଙ୍କୁ ଟିକା ଦେବା ପାଇଁ ଜିଲ୍ଲାରେ ୮ଟି କେନ୍ଦ୍ର କରାଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୧୧ ହଜାର ୫୦ଟି ଟିକା ଆସିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଟିକାକରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଏମସିଏଚ ଏବଂ ରାଉରକେଲା ସରକାରୀ ଚିକିତ୍ସାଳୟ ସମେତ ୮ଟି କେନ୍ଦ୍ରରେ ଟିକା ଦିଆଯିବା ଲାଗି ବ୍ୟବସ୍ଥା କରାଯାଇଛି।

ରାଉରକେଲାର କୋଏଲନଗରସ୍ଥିତ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଜେପି ହସ୍ପିଟାଲରେ ମଧ୍ୟ ଟିକାକରଣ କେନ୍ଦ୍ର କରାଯାଇଛି। ସେହିପରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟ, ରାଜଗାଙ୍ଗପୁର ଏବଂ ମଙ୍ଗସପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକାଦାନ କେନ୍ଦ୍ର ଖୋଲାଯାଇଛି।

ଟିକାକରଣ ଶୁଭାରମ୍ଭ ଲାଗି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ତଳସରା ବିଧାୟକ ଶ୍ରୀ ଭବାନୀ ଶଙ୍କର ଭୋଇ,ମାନ୍ୟବର ସୁନ୍ଦରଗଡ଼ ସଦର ବିଧାୟିକା କୁସୁମ ଟେଟେ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଏମା ଏକ୍କା, ଜିଲ୍ଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସରୋଜ କୁମାର ମିଶ୍ର ଙ୍କ ସହିତ ଜିଲ୍ଲା ଅନ୍ୟ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।

‘‘ପ୍ରଥମ ପର୍ଯ୍ୟାୟ ଟିକାକରଣ ପାଇଁ ସୁନ୍ଦରଗଡ଼ ଜିଲ୍ଲା ପ୍ରସ୍ତୁତ ହୋଇ ରହିଛି। ଏହି ପର୍ଯ୍ୟାୟରେ ଜିଲ୍ଲାର ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଟିକା ଦିଆଯିବ। ଏଥିରେ ଡାକ୍ତରଙ୍କଠାରୁ ଆରମ୍ଭ କରି ସଫେଇ କର୍ମଚାରୀମାନେ ଅଛନ୍ତି। ପ୍ରତି କେନ୍ଦ୍ରରେ ପ୍ରଥମ ଦିନ ୧୦୦ଟି ଲେଖାଏଁ ଟିକା ଦେବା ଲାଗି ବ୍ୟବସ୍ଥା କରାଯାଇଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଟିକା ଦାନ ପ୍ରକ୍ରିୟା ଜାରି ରହିବ। ଟିକା ନେବାକୁ ସ୍ୱାସ୍ଥ୍ୟ କର୍ମୀ ଓ ସଫେଇ କର୍ମୀମାନେ ସ୍ୱେଚ୍ଛାକୃତ ଭାବେ ଆଗେଇ ଆସିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଜିଲ୍ଲା ଟିକା ଭଣ୍ଡାରରେ କୋଭିଡ୍ ଟିକା ରହିଛି। ଏହାକୁ ସ୍ୱତନ୍ତ୍ର ଗାଡ଼ିରେ ୮ଟି କେନ୍ଦ୍ରରେ ପହଞ୍ଚାଇବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ପ୍ରତି କେନ୍ଦ୍ରରେ ଟିକାକରଣ ଲାଗି ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କୁ ନେଇ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ପ୍ରତ୍ୟେକ ବ୍ୟକ୍ତିଙ୍କୁ ଟିକା ନେବା ପରେ ନିରୀକ୍ଷଣ କେନ୍ଦ୍ରରେ କିଛି ସମୟ ପାଇଁ ରଖାଯିବ। ସେହିପରି କାହାଠାରେ କୌଣସି ପ୍ରକାର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଲେ ତା’ର ତୁରନ୍ତ ପ୍ରତିକାର ପାଇଁ ବ୍ୟବସ୍ଥା କରାଯାଇଛି।

ଜାନୁୟାରୀ ୧୨ ତାରିଖରେ କୋଭିଡ୍ ଟିକା ଓଡ଼ିଶାରେ ପହଞ୍ଚିଥିଲା। ୧୩ ତାରିଖରେ ଏହି ଟିକା ବିଭିନ୍ନ ଜିଲ୍ଲାକୁ ପଠା ଯାଇଥିଲା। ସୁନ୍ଦରଗଡ଼ ଜିଲ୍ଲା ପାଇଁ ୧୧ ହଜାର ୫୦ ଟିକା ସ୍ୱତନ୍ତ୍ର ଗାଡ଼ିରେ ଆସିଥିଲା। ଏହାକୁ ଜିଲ୍ଲା ଟିକା ଭଣ୍ଡାରରେ ସୁରକ୍ଷିତ ଭାବେ ରଖା ଯାଇଛି।

ସୁନ୍ଦରଗଡ଼