
ଖୋର୍ଦ୍ଧା,(ସଞ୍ଜୀବ କୁମାର): ଜଟଣୀ ପୌର ପରିଷଦ ଅନ୍ତର୍ଗତ କୁଦିଆରୀ ଗ୍ରାମ ଜନକଲ୍ୟାଣ ମଣ୍ଡପରେ ରବିବାର ଜଟଣୀ କଂଗ୍ରେସର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସ୍ଥିତିବାନ ପ୍ରଜାଙ୍କୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀଙ୍କ ନାମରେ ରେକର୍ଡ଼ ହୋଇଥିବା ପ୍ରଜାଙ୍କ ସାତ ପୁରୁଷର ସ୍ଥିତିବାନ ଜମି ନ ଫେରାଇଲେ ମାର୍ଚ୍ଚ ୧ ତାରିଖ ଜଟଣୀ କଂଗ୍ରେସ ରାଜ୍ୟ ସଚିବାଳୟକୁ ଘେରିବ ବୋଲି ସ୍ଥାନୀୟ ବିଧାୟକ ସୁରେଶ କୁମାର ରାଉତରାୟ ଘୋଷଣା କରିଛନ୍ତି । ପ୍ରାରମ୍ଭରେ ଖୁଦୁପୁର ଛକଠାରୁ ଜଟଣୀ ସହର ମୁଖ୍ୟ ରାସ୍ତାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ଶୋଭାଯାତ୍ରା କୁଦିଆରୀ ଜନ କଲ୍ୟାଣ ମଣ୍ଡପକୁ ଆସିଥିଲା।
ଜମିର ମାଲିକ ଶ୍ରୀଜଗନ୍ନାଥ ହୋଇଥିବାରୁ ସବ୍ ରେଜିଷ୍ଟାରଙ୍କ କାର୍ଯ୍ୟାଳୟରେ ପ୍ରଜାଙ୍କ ଜମି ବିକା କିଣା କରାଯାଉ ନାହିଁ । ଫଳରେ ବିଭିନ୍ନ କ୍ଷେତ୍ରରେ ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବା ବେଳେ ଜରୁରୀ ସମୟରେ ଅର୍ଥର ଆବଶ୍ୟକତା ମେଣ୍ଟାଇବାରେ ଅସଫଳ ହେଉଛନ୍ତି । ଏହାଛଡ଼ା ଜଟଣୀ ନିର୍ବାଚନ ମଣ୍ଡଳୀ ବିଭିନ୍ନ ମୌଜାରେ ଥିବା ସର୍ବସାଧାରଣ ସ୍ଥାନକୁ ରାଜ୍ୟ ସରକାର ଇଡ଼କୋ ଜରିଆରେ ଶାଗ ମାଛ ଦରରେ ହସ୍ତାନ୍ତର ଉଦ୍ୟମକୁ ବିଧାୟକ ଦୃଢ଼ ବିରୋଧ କରିଥିଲେ ।
ଜଟଣୀ ପୌର ପରିଷଦର ପୂର୍ବତନ ପୌରାଧ୍ୟକ୍ଷ ସଂଗ୍ରାମ କେଶରୀ ରାଉତରାୟ, ଆଇନଜୀବୀ ଉମାକାନ୍ତ ମହାପାତ୍ର, ସୁନିଲ କୁମାର ରାଉତରାୟ ପୂର୍ବତନ କାଉନସିଲର ନୌସୀର ଅଲ୍ଲୀ,ଅନନ୍ତ ବେହେରା, ଲୁସେନ ରାୟ ଅଞ୍ଜଳି ମହାନ୍ତି, କଳିଙ୍ଗ ସାହୁ, କୋଇଲି ସୁବୁଦ୍ଧି, ଲକ୍ଷ୍ମୀଧର ବିଶ୍ୱାଳ, ରହେମା ବିବି, ପୂର୍ବତନ ସରପଞ୍ଚ ଧନେଶ୍ୱର ରାଉତ ପ୍ରମୁଖ ଉଦବୋଧନ ଦେଇଥିଲେ।


