
ବାଲୁଗାଁ,{ସଞ୍ଜୀବ କୁମାର}: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟସ୍ଥ କହେଁଇପୁର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସ୍ଥଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି |ଆଜି ନୟାଗଡ ପୋଲିସ ଟ୍ରେନିଂ ସ୍କୁଲର ଦୁଇ ଜଣ କର୍ମଚାରୀ ନିଜ ପରିବାର ୫ ଜଣ ସଦସ୍ୟଙ୍କ ସହ ଚିଲିକା ଭ୍ରମଣ ପାଇଁ ଏକ ଟାଟା ନାନୋ କାର ଯୋଗେ ଆସିଥିଲେ।
ଭ୍ରମଣ ସାରି ଅପରାହ୍ନ ୩:୩୦ ଘଟିକା ସମୟରେ ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରଲରର ପଛପଟୁ ସେମାନଙ୍କ ନାନୋ କାରଟି ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ସହ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ମହିଳା ଜଣକ ନାମ ବୈଜୟନ୍ତୀ ପଟ୍ଟନାୟକ, ବୟସ (୫୨) ଓ ଆହତ ଚାରିଜଣ ହେଲେ ଏ ସନ୍ତୋଷ କୁମାର, ଏ ଜ୍ୟୋତି, ଏ ଦିନେଶ କୁମାର ଏବଂ ସାଧୁ ଚରଣ ପଟ୍ଟନାୟକ ବୋଲି ଜଣାପଡିଛି ।
ସୂଚନା ପାଇ ବାଣପୁର ଆଇ ଆଇ ସି ସଞ୍ଜୟ ପଟ୍ଟନାୟକ, ଏସ. ଆଇ ଓ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ, ଆଦି ଘଟଣାସ୍ଥଳରେ ପହଁଚି ଅଗ୍ନିଶମ ବାହିନୀ ଯୋଗେ ଆହତଙ୍କୁ ଉଦ୍ଧାର କରିଥିଲେ। ଏହା ସହ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡ଼ିକାଲକୁ ପଠାଇଥିଲେ।



