Thursday, November 12, 2026
Home ଜିଲ୍ଲା ଚନ୍ଦ୍ରପୁର: କଳାହାତୀର କାରିଗରୀ ପରିବାର ଆବାସ ଯୋଜନାରୁ ବଂଚିତ

ଚନ୍ଦ୍ରପୁର: କଳାହାତୀର କାରିଗରୀ ପରିବାର ଆବାସ ଯୋଜନାରୁ ବଂଚିତ

132

ଚନ୍ଦ୍ରପୁର,(କୈଳାଶ ମାଳବିଶୋୟୀ): ରାୟଗଡାଯେଉଁଠି ମଣିଷ ପେଟ ପାଇଁ ଦିନରାତି ଏକ କଲାପରେ ମଧ୍ୟ ପେଟ ପୁରୁନି ସେଠି ଭଲ ଘର ଖଣ୍ଡେ ପାଇବାର ସ୍ୱପ୍ନ ଦେଖିବା ମରୀଚିକା ସଦୃଶ।ଏହିଭଳି ଏକ ଗରିବ ବାଉଁଶ କାରୀଗରୀ ପରିବାର ଚନ୍ଦ୍ରପୁର ବ୍ଲକ ପିଷ୍କାପଙ୍ଗ ପଂଚାୟତର କଳାହାତୀ ଗାଁରେ ଦେଖିବାକୁ ମିଳିଥିଲା।ପରିବାରର ମୁଖ୍ୟ ଶ୍ୟାମ ମାମ୍ବଲାକା(୪୮) ଓ ସ୍ତ୍ରୀ ଶିକିରି ମାମ୍ବଲାକାଙ୍କ ସହିତ ଦୁଇପୁଅ ତିନି ଝିଅ ଗୋଟେ ଝାଟିମାଟି କୁଡ଼ିଆରେ ରହୁଛନ୍ତି।ସକାଳର ସୂର୍ଯ୍ୟ ହାତିଉର ଡଙ୍ଗରର ମଥାନକୁ ଉଠିବା ଆଗରୁ ସ୍ବାମିସ୍ତ୍ରୀ ଶ୍ୟାମ ଓ ଶାକରି ଘରୁ ବାହାରି ପଡୁଥିଲେ ବାଉଁଶ ସଂଗ୍ରହ ଉଦ୍ଧେଶ୍ୟରେ ଅଗନାଅଗନି ଜଙ୍ଗଲ ମଧ୍ୟକୁ।ସପ୍ତାହର ତିନିଦିନ ବାଉଁଶ କାଟି ଘରକୁ ବୋହିକି ଆଣିବା ପରେ ଅବଶିଷ୍ଟ ଚାରିଦିନ ବାଉଁଶ ସାଇଜ ମୁତାବକ କାଟି,ପାତ ବନେଇ ସେଥିରେ କୁଲା,ପାଚିଆ,
ବାଉନ୍ସିଆ,ଝୁଡ଼ି,ଟୋକେଇ,ତାଟି ଓ ଅନ୍ୟାନ୍ୟ ସାମଗ୍ରୀ ମାନ ବନେଇଥାନ୍ତି ଏହି ଦମ୍ପତି।ଦୁଇ ଜଣ କଠିନ ପରିଶ୍ରମ କଲେ ଦିନକୁ ତିନୋଟି କୁଲା ବାହାରେ।

ଏସବୁକୁ ନେଇ ଗାଁ ଗାଁ ବୁଲିବୁଲି ବିକିଲେ ତିନୋଟି କୁଳାକୁ ୩ଶହ ଟଙ୍କା ମିଳେ।ଏବେ ବଜାରରେ ଅବା ଗାଁ ମାନଙ୍କରେ ଏହି ସବୁ ସାମଗ୍ରୀର ଚାହିଦା କମିଯାଇଥିବାରୁ ବେଳେବେଳେ ବିକ୍ରି ନକରିପାରି ଘସରକୁ ଫେରି ଆସିବାକୁ ହୁଏ।ସରକାରୀ ଚାଉଳ ଗଣ୍ଡାକ ଯୋଗୁ ମାସର କିଛିଦିନ ନିଜେ ଅଧାପେଟ ଖାଇ ପିଲା ମାନଙ୍କ ପେଟ ପୁରାଇବାକୁ ପଡୁଥିବା ବେଳେ ଏହି କୌଳିକ ବୃତ୍ତି ବାଉଁଶ କାମ ଆଉ ସାଥ ଦେଉନି।ଏତେ ପ୍ରାଣୀ କୁଟୁମ୍ବକୁ ନେଇ କିପରି ଚଳିବେ ଅନେକ ଦୁଶ୍ଚିନ୍ତାରେ ଥିବା ଏହି ଦମ୍ପତୀଙ୍କୁ ଆହୁରି ଅଧିକା କଷ୍ଟ ଦେଉଛି ଚଳିବା ପାଇଁ ଘର ଖଣ୍ଡିକକୁ ନେଇ। ଏବେ ତାଙ୍କର ଘର କହିଲେ ବଣର ଝାଟି ଗଛର ଡାଳରେ କାଁଥ ଆଉ ଛାତ କହିଲେ ଚିରାଫଟା ପଲିଥିନିରେ ଢଙ୍କା ଘର।ବର୍ଷା,ଶୀତ ଓ ଖରା ଦିନେ ଭୟଙ୍କର ସରୀସୃପ ମାନଙ୍କ କୁଡ଼ିଆ ଭିତରକୁ ଅନୁପ୍ରବେଶ ଅନେକ ଭୟର କାରଣ ସାଜିଥାଏ।୧୨ବର୍ଷର ବଡ଼ପୁଅ ପେଟର ଭୋକ ଆଉ ବାପାମାଆର ଦୁଃଖ ସହି ନପାରି ଘରୁ ଛୁପି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଚାଲିଯାଇଛି।ଗ୍ରାମବାସୀଙ୍କ କହିବା କଥା ଆମ ଗାଆଁରେ ଶ୍ୟାମ ସବୁଠୁ ବେଶି ଅସୁବିଧାରେ ଚଳୁଛି।ପେଟର ଭୋକ ଅପେକ୍ଷା ରାତ୍ରିର ଆଶ୍ରୟ ତା’ପାଇଁ ନିରାପଦ ନୁହେଁ।ଏଣୁ ସରକାର ତାକୁ ଆବାସ ଯୋଜନାରେ ଘର ଖଣ୍ଡେ ଦେଲେ ବହୁତ ଉପକାର ହୁଅନ୍ତା ବୋଲି ଗ୍ରାମବାସୀ ଅନୁରୋଧ କରିଛନ୍ତି।ଶ୍ୟାମ ଘରଖଣ୍ଡେ ପାଇଁ ଅନେକ ବାର ପଞ୍ଚାୟତରୁ ବ୍ଲକ ଦୌଡ଼ି ସାରିଲାଣି,ଅନେକ ପ୍ରତିଶ୍ରୁତି ମିଳୁଛି ସିନା ଘର ଖଣ୍ଡେ ମିଳୁନି।ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ଏହି ଗରିବ ପରିବାର ପ୍ରତି ସଦୟ ହେବାକୁ ସାଧାରଣରେ ଅନୁରୋଧ ହେଉଛି।