Sunday, October 11, 2026
Home ଜାତୀୟ ସେନା ପ୍ରତିରକ୍ଷାବାହିନୀକୁ କଲର୍ସ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

ସେନା ପ୍ରତିରକ୍ଷାବାହିନୀକୁ କଲର୍ସ ସମ୍ମାନ ପ୍ରଦାନ କଲେ ରାଷ୍ଟ୍ରପତି

35
ରାଷ୍ଟ୍ରପତି, ଶ୍ରୀ ରାମନାଥ କୋବିନ୍ଦ

ବ୍ରହ୍ମପୁର, ସେପ୍ଟେମ୍ବର ୨୮ : ଭାରତର ମାନନୀୟ ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଶ୍ରୀ ରାମନାଥ କୋବିନ୍ଦ ୨୮ ସେପ୍ଟେମ୍ବର ୨୦୧୯ରେ ଗୋପାଳପୁର ସେନା ଷ୍ଟେସନଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ରାଷ୍ଟ୍ରପତି କଲର୍ସ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱାଧୀନ ବାହିନୀ ଭାବେ ୨୫ ବର୍ଷର ଉଲ୍ଲେଖନୀୟ ସେବା ଲାଗି ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଆର୍ମୀ ଏଡି କେନ୍ଦ୍ରର ଲେଫ୍ଟନାଣ୍ଟ ବିବେକ ବିଜୟ ମୋରେ ସେନା ବାୟୁ ପ୍ରତିରକ୍ଷା ବାହିନୀ ପକ୍ଷରୁ ରାଷ୍ଟ୍ରପତିଙ୍କ ଠାରୁ କଲର୍ସ ସମ୍ମାନ ଗ୍ରହଣ କରିଥିଲେ ।

ଭାରତୀୟ ସ୍ଥଳ ସେନାର ଗୌରବପୂର୍ଣ୍ଣ ସମ୍ମାନ ମଧ୍ୟରେ ପ୍ରେସିଡେଣ୍ଟ କଲର୍ସ ଆୱାର୍ଡ ହେଉଛି ସର୍ବୋଚ୍ଚ ସମ୍ମାନ । ଯୁଦ୍ଧ ଏବଂ ଶାନ୍ତି ପ୍ରକ୍ରିୟାରେ ସେନାବାହିନୀର ପ୍ରଦର୍ଶନ ଏବଂ ଉପଲବ୍ଧି ଆଧାରରେ ରାଷ୍ଟ୍ରପତି କଲର୍ସ ଆୱାର୍ଡ ପ୍ରଦାନ କରାଯିବା ଲାଗି ସୈନ୍ୟ ବାହିନୀର ଚୟନ କରାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେନା ବାୟୁ ପ୍ରତିରକ୍ଷାର ବହୁ ସୈନ୍ୟ ଦଳ ବିଭିନ୍ନ ସୈନ୍ୟ ଅଭିଯାନରେ ଭାଗ ନେଇଥିଲେ । ଏଥିମଧ୍ୟରେ ବର୍ମା ଅଭିଯାନ, ଇମ୍ଫାଲ ଓ କୋହିମା ଘେରାବନ୍ଦୀ, ରେଙ୍ଗୁନ ପୁନଃଦଖଲ, ଆରାକାନ ମାୟିତକିୟିନା, ହଂକଂ, ସିଙ୍ଗାପୁର, ମଲାୟା, ବାହାରିନ, ଇରାକ ଏବଂ ପାରସ୍ୟ ସୈନ୍ୟ ଅଭିଯାନ ସାମିଲ । ଏଥିପାଇଁ ବହୁ ବୀରତ୍ୱ ସମ୍ମାନ ମଧ୍ୟ ମିଳିଛି । ଏସବୁ ସମ୍ମାନ ମଧ୍ୟରେ ୪ଟି ମିଲିଟାରୀ କ୍ରସ, ବ୍ରିଟିଶ ସାମ୍ରାଜ୍ୟର ଏକ ପଦକ, ୭ଟି ଭାରତୀୟ ବିଶିଷ୍ଟ ସେବା ପଦକ ଏବଂ ବ୍ରିଟିଶ ସାମ୍ରାଜ୍ୟର ଦୁଇଟି ସମ୍ମାନ ପତ୍ର ସାମିଲ ରହିଛି । ସେନା ବାୟୁ ପ୍ରତିରକ୍ଷା ବାହିନୀ ୧୯୪୦ ପରଠାରୁ ଆର୍ଟିଲାରୀର ଏକ ଅଂଶବିଶେଷ ରୂପେ କାର୍ୟ୍ୟ କରିଆସୁଛି ।

ଏହାକୁ ୧୯୯୪ରେ ଏକ ସ୍ୱତନ୍ତ୍ର ସଶସ୍ତ୍ର ସୈନ୍ୟ ବାହିନୀ ଭାବେ ମାନ୍ୟତା ମିଳିଥିଲା । ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ୨ଟି ଅଶୋକ ଚକ୍ର, ୨ଟି କୀର୍ତ୍ତି ଚକ୍ର, ୨୦ଟି ବୀର ଚକ୍ର, ୯ଟି ଶୌର୍ୟ୍ୟ ଚକ୍ର, ୧୧୩ଟି ସେନା ପଦକ ଏବଂ ୫୫ଟି ମ୍ୟାନସନ ଇନ ଡେସପ୍ୟାଚ ସହିତ ୧୯୭୧ର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ୪ଟି ସମ୍ମାନଜନକ ଉପାଧିରେ ମଧ୍ୟ ସମ୍ମାନିତ କରାଯାଇଥିଲା । ପୂର୍ବସୂରୀମାନଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଉଚ୍ଚ ମାନକକୁ ବଜାୟ ରଖିବା ଲାଗି ଏହା ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିଥାଏ ଯଦ୍ଦ୍ୱାରା ରାଷ୍ଟ୍ର ସେବା ସେମାନଙ୍କର ପ୍ରମୁଖ ଲକ୍ଷ୍ୟ ହୋଇ ରହିବ ।

ଏହି ଅବସରରେ ବ୍ରିଗେଡିୟର ରାଜୀବ ଶ୍ରୀବାସ୍ତବଙ୍କ ନେତୃତ୍ୱରେ ରାଷ୍ଟ୍ରପତିଙ୍କୁ ଏକ ଭବ୍ୟ ପରେଡ ମାଧ୍ୟମରେ ରାଷ୍ଟ୍ରୀୟ ଅଭିବାଦନ ପ୍ରଦାନ କରାଯାଇଥିଲା । ସେନା ବାୟୁ ପ୍ରତିରକ୍ଷା ବାହିନୀର ସୈନିକମାନଙ୍କୁ ସମ୍ମାନ ପ୍ରଦାନ କରାଯିବା ନେଇ ରାଷ୍ଟ୍ରପତି ସନ୍ତୋଷ ବ୍ୟକ୍ତ କରିଥିଲେ । ନିଜ ଅଭିଭାଷଣରେ ରାଷ୍ଟ୍ରପତି ରାଷ୍ଟ୍ରର ଏକତା,ଅଖଣ୍ଡତା ଓ ସାର୍ବଭୌମତ୍ୱ ରକ୍ଷା କରିବାରେ ଭାରତୀୟ ସଶସ୍ତ୍ର ସେନାବାହିନୀ ଓ ସେନା ବାୟୁ ପ୍ରତିରକ୍ଷା ବାହିନୀର ଗୌରବଶାଳୀ ପରମ୍ପରାକୁ ସ୍ମରଣ କରିଥିଲେ । ଏଥିସହିତ ଉପସ୍ଥିତ ସମସ୍ତ ସେନା ଅଧିକାରୀ ଓ କର୍ମଚାରୀମାନଙ୍କୁ ଶୁଭେଚ୍ଛା ଓ ସାଧୁବାଦ ଜଣାଇଥିଲେ ।

ଏହି କାର୍ୟ୍ୟକ୍ରମରେ ପ୍ରମୁଖ ଅତିଥିମାନଙ୍କ ମଧ୍ୟରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସ୍ଥଳସେନା ମୁଖ୍ୟ ତଥା ଚିଫ ଅଫ ଆର୍ମୀ ଷ୍ଟାଫ ଜେନେରାଲ ବିପିନ ରାୱତ, ସେନା ବାୟୁ ପ୍ରତିରକ୍ଷା ବାହିନୀ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଅଶ୍ୱିନୀ କୁମାରଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । (ସ୍ରୋତ ପିଆବି)