
ଖୋର୍ଦ୍ଧା,(ସଞ୍ଜୀବ କୁମାର): ଜାନୁଆରୀ ୮ରୁ କେବଳ ୧୦ମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ସ୍କୁଲ ଯିବେ । ଏଥିପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରାଯାଇଛି ।
୧. କଂଟେନମେଂଟ ଜୋନ ବାହାରେ ଥିବା ସ୍କୁଲ ଖୋଲିବାକୁ ଅନୁମତି ମିଳିବ । ଯେଉଁ ଛାତ୍ରଛାତ୍ରୀ, ଶିକ୍ଷକ ଓ କର୍ମଚାରୀମାନେ କଂଟେନମେଂଟ ଜୋନରେ ରହୁଥିବେ ସେମାନେ ସ୍କୁଲକୁ ଆସିପାରିବେ ନାହିଁ ।
୨. ସ୍କୁଲର ସମସ୍ତ ଉପକରଣ, ଲାଇବ୍ରେରୀ, ଲାବରୋଟୋରୀ, ପାଣି ଟାଙ୍କି, ରୋଷେଇଘର, ଶୌଚାଳୟ ଆଦି ସାନିଟାଇଜ କରାଯିବ ।
୩. ଯେଉଁ ସ୍କୁଲରେ ପିଇବା ପାଣି ଓ ପର୍ଯ୍ୟାପ୍ତ ଶୌଚାଳୟର ବ୍ୟବସ୍ଥା ନଥିବ ତାହା ଖୋଲିବ ନାହିଁ ।
୪. ହଷ୍ଟେଲ ଖୋଲିବ ନାହିଁ ।
୫. ପିଲାମାନେ ସ୍କୁଲ ବସ ବଦଳରେ ଅଭିଭାବକଙ୍କ ସହ ଆସିବା ପାଇଁ ପରାମର୍ଶ ଦିଆଯାଇଛି । ଯଦି ସ୍କୁଲ ବସରେ ଆସିବେ ତେବେ ବସ ସାନିଟାଇଜ କରାଯିବା ସହ ସିଟ ସଂଖ୍ୟାର ୫୦% ସ୍ଥାନରେ ହିଁ ପିଲା ବସିବେ । ଅର୍ଥାତ ସାମାଜିକ ଦୂରତା ରକ୍ଷା କରାଯିବ ।
୬. ସବୁ ପିଲାଙ୍କୁ ସ୍କୁଲ ଆସିବା ବାଧ୍ୟତାମୂଳକ ନୁହେଁ । କେବଳ ଅଭିଭାବକ ଓ ଛାତ୍ରଛାତ୍ରୀ ଚାହିଁଲେ ହିଁ ସ୍କୁଲ ଆସିପାରିବେ ।
୭. ବିଦ୍ୟାଳୟରେ ୬ ଫୁଟର ସାମାଜିକ ଦୂରତା ରକ୍ଷା କରିବାକୁ ପଡ଼ିବ ।
୮. ରୋଲନମ୍ବର ଆଧାରରେ କେଉଁ ଆସନରେ ପିଲା ବସିବେ ତାହାକୁ ସ୍କୁଲ କର୍ତୃପକ୍ଷ ନିଶ୍ଚିତ କରିବେ ।
୯. ଷ୍ଟାଫରୁମରେ ବି ସାମାଜିକ ଦୂରତା ରକ୍ଷା କରାଯିବ ।
୧୦. ପ୍ରତି ସ୍କୁଲରେ ରାଜ୍ୟ ହେଲପଲାଇନ ନମ୍ବର ଉଲ୍ଳେଖ କରାଯିବ । କୋଭିଡ଼ ୧୯ ସତର୍କତାମୂଳକ ପୋଷ୍ଟର ବି ଲଗାଯିବ ।
୧୧. କ୍ଲାସରୁମର ଆକାରକୁ ଅନୁଶୀଳନ କରି ଅତିବେଶୀରେ ୨୦ରୁ ୨୫ ଛାତ୍ରଛାତ୍ରୀ ବସିବେ ।
୧୨. ପିଲାମାନେ ନିଜ ଘରୁ ଖାଦ୍ୟ ଆଣିବେ ଓ ଖାଦ୍ୟକୁ ନିଜ ସାଙ୍ଗକୁ ଦେବେନାହିଁ । ଏନେଇ ପରାମର୍ଶ ଦିଆଯାଇଛି ।






