
ଖୋର୍ଦ୍ଧାରୋଡ,୦୨/୦୧(ସଞ୍ଜୀବ କୁମାର): ପୁର୍ବତଟ ରେଳପଥର ଖୋର୍ଦ୍ଧାରୋଡ ମଣ୍ଡଳ ରେଳସୁରକ୍ଷାବଳ ଏବଂ ରେଳପଥ ପୁଲିସର ଅତୁଳନୀୟ ସେବା ଯୋଗାଇଛି । ମହାମାରୀ କୋଭିଡ-୧୯ର ଲକଡାଉନ ବିପତି ସମୟରେ ୩୭ହଜାର ୭୪୫ଜଣ ଓଡିଆ ପ୍ରବାସୀଙ୍କୁ ସେମାନଙ୍କ ଭିଟାମାଟିରେ ପହଁଚାଇ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ସେହିପରି ରେଳଯାତ୍ରୀଙ୍କ ସୁରକ୍ଷା ଏବଂ ରେଳସମ୍ପତି ସହିତ ଅସହାୟ ନିରୀହଙ୍କ ସେବାରେ ରେଳସୁରକ୍ଷାବଳ ଏବଂ ରେଳପଥ ପୁଲିସ ବଦ୍ଧପରିକର ବୋଲି ଆୟୋଜିତ ଏକ ବୈଠକରେ ଖୋର୍ଦ୍ଧାରୋଡ ରେଳସୁରକ୍ଷାବଳର ଓସି ବିଦ୍ୟାଧର ବାରିକ ଏବଂ ରେଳପଥ ପୁଲିସର ଓଆଇସି ଧରଣୀଧର ପ୍ରଧାନ କହିଛନ୍ତି ।
ଗତ ୨୦୨୦ ଆର୍ଥିକ ବର୍ଷରେ ରେଳପଥ ସମ୍ପତି ଓ ଯାତ୍ରୀମାନଙ୍କ ସୁରକ୍ଷାଲାଗି ୩୦୬ଟି ଅପରାଧୀଙ୍କ ନାମରେ ମାମଲା ରୁଜୁ ହୋଇଛି । ସେଥିରେ ୩୦୬ଜଣଙ୍କୁ ଗିରଫ କରିବା ସହିତ ସେମାନଙ୍କଠାରୁ ଫାଇନ ବାବଦରେ ୪୦ହଜାର ୧୫୦ଟଙ୍କା ଆଦାୟ କରିଛି । ଏଥି ସହିତ ଆରପିୟୁପି ଧାରାନୁସାରେ ୧୨ଟି କେଶ ଦାୟର କରିଥିବା ସ୍ଥଳେ ୨୫୪୬ଜଣଙ୍କୁ ଗିରଫ କରାଯାଇଛି । ସେହିପରି କମର୍ସିର୍ଆଲ ବିଭାଗ ସହିତ ମିଳିତଭାବେ ରେଳସୁରକ୍ଷାବଳ କର୍ମଚାରୀଙ୍କୁ ନିୟୋଜିତ କରାଇ ୧୧୮୦ଟି କେଶ ପଜିଂକୃତ କରିଛନ୍ତି ।
ଏ ବାବଦରେ ୫,୪୨,୯୨୧ଟଙ୍କା ଫାଇନ ଆଦାୟ କରାଯାଇଛି । ରେଳସୁରକ୍ଷାବଳ ଓ ରେଳପଥ ପୁଲିସର ମିଳିତ ସହଯୋଗରେ ୧୧୮୯ଟି ଟ୍ରେନରେ ଏସକର୍ଟଭାବେ କାର୍ଯ୍ୟକରିବାଲାଗି ୪୯୬୮ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ । ଅନ୍ୟପକ୍ଷରେ ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରେଳଚଳାଚଳ ସ୍ୱଭାବିକ ହୋଇନଥିବା ବେଳେ ବର୍ତମାନସୁଧା ମୋଟ ୫୬ଟି ସ୍ୱତନ୍ତ୍ରଟ୍ରେନ ଚଳାଚଳ କରୁଛି । ସେଥିରେ ମଧ୍ୟ ଅବିରତଭାବେ ସୁରକ୍ଷାକାର୍ଯ୍ୟ କରିଆସୁଛି ରେଳସୁରକ୍ଷାବଳ ବୋଲି ଓସି ଶ୍ରୀ ବାରିକ କହିଛନ୍ତି ।
ଏହା ବ୍ୟତିତ ମହାମାରୀ କୋଭିଡ ସମୟରେ ୪,୫୦୦ଜଣ ବ୍ୟକ୍ତିଙ୍କୁ ରେଳସୁରକ୍ଷାବଳ ଖାଦ୍ୟ ଯୋଗାଇ ଆସିଥିବା ବେଳେ ବିଭିନ୍ନ ସଂଗଠନ ଓ ଆଇଆରସିଟିସି ସହିତ ମିଳିତଭାବେ ମୋଟ ୫୦ହଜାରରୁ ଉର୍ଦ୍ଧ୍ୱ ଅସହାୟଙ୍କୁ ଖାଦ୍ୟ ଯୋଗାଇଛି । ସେହିପରି ରେଳସୁରକ୍ଷାବଳ ପକ୍ଷରୁ ମହିଳାମାନଙ୍କ ସୁରକ୍ଷାଲାଗି “ସୁଭଦ୍ରା ବାହିନୀ’ ପରିବର୍ତେ “ମେରୀ ସହେଲୀ’ ମାଧ୍ୟମରେ ସହାୟତା ଯୋଗାଇଦିଆଯିବ । ସେହିକ୍ରମରେ ରେଳପଥ ପୁଲିସ ପକ୍ଷରୁ ୨୦୨୦ ଆର୍ଥିକ ବର୍ଷର ଜାନୁୟାରୀ ରୁ ଡିସେମ୍ବର ମାସ ମଧ୍ୟରେ ୮୯ଟି ବିଭିନ୍ନ ମାମଲା ରୁଜୁ ହୋଇଛି ।
ଏଥି ମଧ୍ୟରେ ୩୯ଟି ଅପମୃତ୍ୟୁ ମାମଲା ରହିଛି । ଭୀକ୍ଷାବୃତି ଓ ଲୁଟ ପ୍ରଭୃତି ମାମଲାରେ ୧୨ଜଣଙ୍କୁ ଗିରଫ କରିଛି । ଏଥି ସହିତ ୮୯ଜଣ ଶିଶୁଙ୍କୁ ଉଦ୍ଧାର କରି ବାଳାଶ୍ରମକୁ ପଠାଇଛି । ମହିଳା ଏବଂ ଶିଶୁ ସୁରକ୍ଷାଲାଗି ସ୍ୱତନ୍ତ୍ର ମହିଳା ଓ ଶିଶୁ ଡେସ୍କ ଖୋଲାଯାଇଛି । ଫଳରେ ସେମାନେ ଏହାର ସୁବିଧା ପାଇପାରିବେ ବୋଲି ରେଳପଥ ପୁଲିସର ଓଆଇସି ଧରଣୀଧର ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍୍ରମରେ ଆରପିଏଫ ସବଇନ୍ସପେକ୍ଟର ଦିଲୀପ କୁମାର ସେଠୀ,ହାବିଲଦାର କୃପାସିନ୍ଧୁ ସାମନ୍ତରାୟ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ



