
ସୁନ୍ଦରଗଡ଼,(ବିଶ୍ବରଂଜନ ହୋତା): ନୂଆ ବର୍ଷ ପୂର୍ବରୁ ଦୁର୍ନୀତି ଅଭିଯୋଗରେ ନବୀନ ସରକାର ଗତ କାଲି ୬ ଅଧିକାରୀଙ୍କୁ ବିଦା କରିବା ପରେ ମଧ୍ୟ ସରକାରୀ ବାବୁଙ୍କ ହୋସ୍ ଆସି ନାହିଁ। ଏତେ କଡା ପଦକ୍ଷେପ ପରେ ବି ସାହାସ କରୁଛନ୍ତି ଲାଞ୍ଚ ମାଗିବା ପାଇଁ ଲାଞ୍ଚୁଆ ଅଧିକାରୀ।
ବର୍ଷର ଶେଷ ଦିନରେ ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ସୁନ୍ଦରଗଡ଼ ପୌରପାଳିକାର ନିର୍ବାହୀ ଅଧିକାରୀ ଅଶୋକ କୁମାର ମିଶ୍ର।ପ୍ରାପ୍ତ ସୂଚନା ଅନୁଯାୟୀ ଅଭିଯୋଗକାରୀ ଝାରସୁଗୁଡ଼ାର ଅଧିବାସୀ ଶେଖ୍ ସାହିଦ୍ ହକ୍ ୨୦୧୭ ମସିହାରେ ପୌରପାଳିକାର କର୍ମଚାରୀଙ୍କ ପାଇଁ ଯୋଗାଇଥିବା ପୋଷାକ ବାବଦରେ ବକାୟା ପାଉଣା ପାଇବା ପାଇଁ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରିଥିଲେ।
ସେହି ସମୟରେ ନିର୍ବାହୀ ଅଧିକାରୀ ସେହି ପାଉଣା ଦେବା ପାଇଁ ପନ୍ଦର ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ବାବଦରେ ଅଭିଯୋଗକାରୀ ଭିଜିଲାନସ୍ ବିଭାଗରେ ଅଭିଯୋଗ କରିବା ପରେ ଜାଲ ବିଛାଇଥିଲେ ଭିଜିଲାନସ୍ ବିଭାଗ। ଯୋଜନା ଅନୁସାରେ ଅଭିଯୁକ୍ତ ପୋଷାକ ବେପାରୀଙ୍କ ଠାରୁ ତାଙ୍କ କାର୍ଯ୍ୟାଳୟରେ ପନ୍ଦର ହଜାର ଟଙ୍କା ନେଲା ବେଳେ ରାଉରକେଲା ଡିଭିଜନ ର ଅଧିକାରୀ ଧରିଥିଲେ ଅଭିଯୁକ୍ତ ନିର୍ବାହୀ ଅଧିକାରୀ ଙ୍କୁ।
ଅଭିଯୁକ୍ତ ଶ୍ରୀ ମିଶ୍ରଙ୍କ ଡାହାଣ ହାତ ଏବଂ ତାଙ୍କ ବଟୁଆ ର ରାସାୟନିକ ପରୀକ୍ଷା ସେ ଲାଞ୍ଚ ନେବା ଓ ରଖିଥିବା ସ୍ପଷ୍ଟ କରିଥିଲା। ଉକ୍ତ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ଓ ତାଙ୍କ ସରକାରୀ ସୁନ୍ଦରଗଡ଼ ବାସଭବନରେ ମଧ୍ୟ ଅଧିକାରୀ ଖୋଳତାଡ଼ କରିଛନ୍ତି। ଏହା ପରେ ଶ୍ରୀ ମିଶ୍ରଙ୍କୁ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।





















