
ନୂଆଦିଲ୍ଲୀ,(ପିଆଇବି):ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ଭାରତର ପ୍ରଥମ ଚାଳକବିହୀନ ମେଟ୍ରୋ ରେଳ ସେବାର ଶୁଭାରମ୍ଭ କରିଚନ୍ତି । ଦିଲ୍ଲୀ ମେଟ୍ରୋର ମାଜେଣ୍ଟା ଲାଇନରେ ଏହି ରେଳ ଚଳାଚଳ ଆରମ୍ଭ ହୋଇଛି । ଆଜି ମଧ୍ୟ ଦିଲ୍ଲୀ ମେଟ୍ରୋର ବିମାନବନ୍ଦର ଏକ୍ସପ୍ରେସ ଲାଇନରେ ନ୍ୟାସନାଲ କମନ ମୋବିଲିଟି କାର୍ଡ ସେବାର ଶୁଭାରମ୍ଭ କରାଯାଇଛି ଯାହାକି ଗତବର୍ଷ ଅହମ୍ମଦାବାଦରେ ଆରମ୍ଭ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ଶ୍ରୀ ହରଦୀପ ସିଂ ପୁରୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହି ଅବସରରେ ଉପସ୍ଥିତ ଥିଲେ ।
ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମକୁ ସହରାଂଚଳ ଭବିଷ୍ୟତର ବିକାଶ ଦିଗରେ ଏକ ପ୍ରୟାସ ଭାବେ ଅଭିହିତ କରିଥିଲେ । ସେ କହିଥିଲେ ଯେ ଭବିଷ୍ୟତର ଆବଶ୍ୟକତା ପାଇଁ ଦେଶକୁ ପ୍ରସ୍ତୁତ କରିବା ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ସେ ଏହି ତଥ୍ୟ ଉପରେ ଆଲୋକପାତ କରି କହିଥିଲେ ଯେ କିଛି ଦଶନ୍ଧି ପୂର୍ବେ ଯେତେବେଳେ ସହରୀକରଣର ଚାହିଦା ଅନୁଭୂତ ହୋଇଥିଲା, ଭବିଷ୍ୟତର ଆବଶ୍ୟକତା ପ୍ରତି ସେତେଟା ଧ୍ୟାନ ଦିଆଯାଇନଥିଲା, ଅଧାପନ୍ତରିଆ କାମ କରାଯାଇଥିଲା ଏବଂ ଦ୍ୱନ୍ଦ୍ୱ ରହିଥିଲା । କିନ୍ତୁ ଆଜି ପରିସ୍ଥିତି ଭିନ୍ନ । ଆଧୁନିକ ଚିନ୍ତାଧାରା ହେଉଛି ସହରୀକରଣକୁ ଏକ ଆହ୍ୱାନ ଭାବେ ନୁହେଁ ବରଂ ଦେଶରେ ଉନ୍ନତ ଭିତ୍ତିଭୂମି ନିର୍ମାଣ କରିବାର ଏକ ସୁଯୋଗ ଭାବେ ଦେଖାଯିବା ଉଚିତ । ଏପରି ଏକ ସୁଯୋଗ ଯାହା ମାଧ୍ୟମରେ ଆମେ ଆମର ଜୀବନଧାରଣ ମାନକୁ ସୁଗମ କରିପାରିବା । ସେ କହିଥିଲେ ଏହି ଅଭିନବ ଚିନ୍ତାଧାରା ଏବେ ସହରୀକରଣର ପ୍ରତ୍ୟେକ ଦିଗରେ ଦେଖିବାକୁ ମିଳୁଛି । ସେ କହିଥିଲେ ଯେ ୨୦୧୪ରେ ମାତ୍ର ୫ଟି ସହରରେ ମେଟ୍ରୋ ରେଳ ସେବା ଥିଲା, ଆଜି ମେଟ୍ରୋ ରେଳ ୧୮ଟି ସହରରେ ରହିଛି । ୨୦୨୫ ସୁଦ୍ଧା, ଆମେ ଏହାକୁ ୨୫ଟି ସହରକୁ ବଢ଼ାଇବା ଲାଗି ଲକ୍ଷ୍ୟ ରଖିଛୁ । ୨୦୧୪ରେ ମାତ୍ର ୨୪୮ କିମି ମେଟ୍ରୋ ଲାଇନ ଦେଶରେ କାର୍ଯ୍ୟକ୍ଷମ ହୋଇଥିଲା ଏବଂ ଆଜି ଏହାର ତିନି ଗୁଣା ଅର୍ଥାତ ୭୦୦ କିମିରୁ ଅଧିକ ମେଟ୍ରୋ ଲାଇନ କାର୍ଯ୍ୟକ୍ଷମ ହୋଇସାରିଛି । ୨୦୨୫ ସୁଦ୍ଧା ଆମେ ଏହାକୁ ୧୭୦୦ କିମିକୁ ସମ୍ପ୍ରସାରିତ କରିବା ଲାଗି ପ୍ରୟାସ କରୁଛୁ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ଏଗୁଡ଼ିକ କେବଳ ତଥ୍ୟ ନୁହେଁ ବରଂ କୋଟି କୋଟି ଭାରତବାସୀଙ୍କ ସହଜ ଜୀବନଧାରଣରେ ଆସିଥିବା ସୁଧାରର ପ୍ରମାଣ । ଏଗୁଡ଼ିକ କେବଳ ଇଟା ଓ ପଥର, କଂକ୍ରିଟ ଓ ଲୁହାରେ ନିର୍ମିତ ଭିତିଭୂମି ନୁହେଁ, ବରଂ ଦେଶର ନାଗରିକ, ମଧ୍ୟମବର୍ଗଙ୍କ ଆଶା ଆକାଂକ୍ଷା ପୂରଣ ହେବାର ପ୍ରମାଣ ।
ପ୍ରଧାନମନ୍ତ୍ରୀ ମତବ୍ୟକ୍ତ କରି କହିଥିଲେ ଯେ ସରକାର ପ୍ରଥମ ଥର ଲାଗି ଏକ ମେଟ୍ରୋ ନୀତି ପ୍ରଣୟନ କରିଛନ୍ତି ଏବଂ ଏହାକୁ ଏକ ସ୍ୱୟଂସମ୍ପୂର୍ଣ୍ଣ ରଣନୀତି ସହିତ କାର୍ଯ୍ୟକାରୀ କରୁଛନ୍ତି । ସ୍ଥାନୀୟ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟ କରିବା, ସ୍ଥାନୀୟ ମାନକକୁ ପ୍ରୋତ୍ସାହନ ଦେବା, ମେକ ଇନ ଇଣ୍ଡିଆକୁ ସମ୍ପ୍ରସାରିତ କରିବା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିର ଉପଯୋଗ ଉପରେ ଜୋର ଦିଆଯାଉଛି । ସେ କହିଥିଲେ, ମେଟ୍ରୋ ରେଳ ସମ୍ପ୍ରସାରଣକୁ ସହରାଂଚଳର ଲୋକମାନଙ୍କର ଆବଶ୍ୟକତା ଏବଂ ସେଠାକାର ପେସାଦାର ଜୀବନ ଶୈଳୀ ଅନୁଯାୟୀ ଆଧୁନିକ ପରିବହନ ମାଧ୍ୟମର ଉପଯୋଗ କରାଯିବା ଉଚିତ । ଏହି କାରଣରୁ ବିଭିନ୍ନ ସହରରେ ବିଭିନ୍ନ ପ୍ରକାରର ମେଟ୍ରୋ ଉପରେ କାର୍ଯ୍ୟ କରାଯାଉଛି ।
ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକାରର ମେଟ୍ରୋ ରେଳ ସେବାର ତାଲିକା ଦେଇଥିଲେ ଯାହା ଉପରେ ବର୍ତମାନ କାର୍ଯ୍ୟ ଜାରି ରହିଛି । ଦିଲ୍ଲୀ ଏବଂ ମିରଟ ମଧ୍ୟରେ ରିଜିଓନାଲ ରାପିଡ ଟ୍ରାଞ୍ଜିଟ ସିଷ୍ଟମ(ଆରଆରଟିଏସ) ସମ୍ପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏହା ଦିଲ୍ଲୀ ଏବଂ ମିରଟ ମଧ୍ୟରେ ଦୂରତାକୁ ମାତ୍ର ଏକ ଘଂଟା ମଧ୍ୟରେ ସୀମିତ କରିଦେବ । ସେ କହିଥିଲେ, ଯେଉଁ ସହରରେ ଯାତ୍ରୀଙ୍କ ସଂଖ୍ୟା କମ ରହିଛି ସେଠାରେ ମେଟ୍ରୋ ଲାଇଟ ଭର୍ସନ ଦିଗରେ କାର୍ଯ୍ୟ କରାଯାଉଛି । ସାଧାରଣ ମେଟ୍ରୋ ପାଇଁ ହେଉଥିବା ଖର୍ଚ୍ଚ ତୁଳନାରେ ମେଟ୍ରୋ ଲାଇଟ ଭର୍ସନରେ ମାତ୍ର ୪୦ ପ୍ରତିଶତ ଖର୍ଚ୍ଚ ହେବ । କମସଂଖ୍ୟକ ଯାତ୍ରୀ ଯାତାୟାତ କରୁଥିବା ସହରରେ ମେଟ୍ରୋ ନିଓ ପାଇଁ କାର୍ଯ୍ୟ କରାଯାଉଥିବା ସମ୍ପର୍କରେ ମଧ୍ୟ ସେ ସୂଚନା ଦେଇଥିଲେ । ସାଧାରଣ ମେଟ୍ରୋ ଏବଂ ଏହା ମାତ୍ର ୨୫ ପ୍ରତିଶତ ଖର୍ଚ୍ଚରେ ନିର୍ମାଣ କରାଯିବ । ସେହିପରି ୱାଟର ମେଟ୍ରୋ ମଧ୍ୟ ଏକ ଅଭିନବ ଚିନ୍ତାଧାରା । ଅଧିକ ସଂଖ୍ୟାରେ ବଡ଼ ଜଳାଶୟ ଥିବା ସହରରେ ୱାଟର ମେଟ୍ରୋ ପାଇଁ କାମ ଜାରି ରହିଛି । ଏହା ଦ୍ୱୀପାଂଚଳରେ ରହୁଥିବା ଲୋକମାନଙ୍କୁ ଶେଷ ମାଇଲ ପର୍ଯ୍ୟନ୍ତ ଯୋଗାଯୋଗ ସୁବିଧା ପ୍ରଦାନ କରିବ ।
ପ୍ରଧାନମନ୍ତ୍ରୀ କହିଥିଲେ ଆଜି ମେଟ୍ରୋ ଆଉ ସାଧାରଣ ପରିବହନର ମାଧ୍ୟମ ହୋଇ ରହିନାହିଁ ବରଂ ପ୍ରଦୂଷଣ ହ୍ରାସ କରିବାର ଏକ ବଡ଼ ମାର୍ଗ ପାଲଟିଛି । ମେଟ୍ରୋ ନେଟୱର୍କ କାରଣରୁ ସଡ଼କରୁ ହଜାର ହଜାର ସଂଖ୍ୟାରେ ଗାଡ଼ି ସଂଖ୍ୟା ହ୍ରାସ ପାଇଛି, ଯାହାକି ଟ୍ରାଫିକ ଜାମ ଓ ପ୍ରଦୂଷଣର କାରଣ ସାଜିଥିଲା ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ମେଟ୍ରୋ ରେଳ ସମ୍ପ୍ରସାରଣ ଲାଗି ମେକ ଇନ ଇଣ୍ଡିଆ ଗୁରୁତ୍ୱପୂର୍ଣ୍ଣ । ମେକ ଇନ ଇଣ୍ଡିଆ ଖର୍ଚ୍ଚ କମାଇଥାଏ, ବିଦେଶୀ ମୁଦ୍ରା ସଂଚୟ କରିଥାଏ ଏବଂ ଦେଶର ଲୋକମାନଙ୍କୁ ଅଧିକ ନିଯୁକ୍ତି ସୁଯୋଗ ଦେଇଥାଏ । ସେ ଗୁରୁତ୍ୱାରୋପ କରି କହିଥିଲେ ଯେ ରୋଲିଂ ଷ୍ଟକର ମାନକୀକରଣ କରାଯିବା ଫଳରେ ପ୍ରତ୍ୟେକ କୋଚର ମୂଲ୍ୟ ବର୍ତମାନ ୧୨ କୋଟି ଟଙ୍କାରୁ ୮ କୋଟି ଟଙ୍କାକୁ ହ୍ରାସ ପାଇଛି । ଆଜି ଚାରିଟି ବଡ଼ କମ୍ପାନୀ ଦେଶରେ ମେଟ୍ରୋ କୋଚ ନିର୍ମାଣ କରୁଛନ୍ତି ଏବଂ ଡଜନରୁ ଅଧିକ କମ୍ପାନୀ ମେଟ୍ରୋର ବିଭିନ୍ନ ଉପକରଣ ନିର୍ମାଣ କ୍ଷେତ୍ରରେ ନିୟୋଜିତ ରହିଛନ୍ତି । ଏହା ମେକ ଇନ ଇଣ୍ଡିଆ ଏବଂ ଆତ୍ମନିର୍ଭରଶୀଳ ଭାରତ ଅଭିଯାନରେ ସହାୟକ ହେଉଛି ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ବିନା ଚାଳକରେ ମେଟ୍ରୋ ରେଳ ଚଳାଇବାର ଏହି ଉପଲବ୍ଧି ଫଳରେ ଆମ ଦେଶ ବିଶ୍ୱର ସେହି ହାତଗଣତି ଦେଶଗୁଡ଼ିକ ମଧ୍ୟରେ ସାମିଲ ହୋଇପାରିଛି ଯେଉଁଠି ଏହି ସୁବିଧା ରହିଛି । ସେ କହିଥିଲେ ଯେ ବ୍ରେକିଂ ସିଷ୍ଟମରେ ଯେତେବେଳେ ବ୍ରେକ ବ୍ୟବହାର କରାଯାଇଥାଏ ୫୦ ପ୍ରତିଶତ ବିଦ୍ୟୁତ ଶକ୍ତି ଗ୍ରୀଡକୁ ଚାଲିଯାଇଥାଏ । ଆଜି ମେଟ୍ରୋ ରେଳରେ ୧୩୦ ମେଗାୱାଟ ସୌର ଶକ୍ତି ଉପଯୋଗ କରାଯାଉଛି, ଯାହାକି ୬୦୦ ମେଗାୱାଟକୁ ବୃଦ୍ଧି କରାଯିବ ।
କମନ ମୋବିଲିଟି କାର୍ଡ ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଧୁନିକୀକରଣର ସମାନ ମାନକ ଏବଂ ସୁବିଧା ପ୍ରଦାନ କରିବା ଅତି ଗୁରୁତ୍ୱପୂର୍ଣ୍ଣ । ଜାତୀୟସ୍ତରରେ ଏହି କମନ ମୋବିଲିଟି କାର୍ଡର ପ୍ରଚଳନ କରାଯିବା ଏ ଦିଗରେ ଏକ ପ୍ରମୁଖ ପଦକ୍ଷେପ । ଏହି ଗୋଟିଏ କାର୍ଡ ଯାତ୍ରୀମାନଙ୍କୁ ଯେକୌଣସି ସ୍ଥାନକୁ, ଯେକୌଣସି ସାଧାରଣ ପରିବହନ ବ୍ୟବସ୍ଥାରେ ଯିବା ଲାଗି ସକ୍ଷମ କରିବ ।
କମନ ମୋବିଲିଟି କାର୍ଡର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ ସମସ୍ତ ବ୍ୟବସ୍ଥାର ଏକୀକରଣ ପ୍ରକ୍ରିୟା ଉପରେ ଗୁରୁତ୍ୱାରୋପ କରିଥିଲେ । ବ୍ୟବସ୍ଥାର ଏଭଳି ଏକୀକରଣ ଦ୍ୱାରା ଦେଶର ଦେଶର ସାମର୍ଥ୍ୟ ଅଧିକ ସମନ୍ୱିତ ଓ ଦକ୍ଷତାପୂର୍ଣ୍ଣ ଭାବେ ବୃଦ୍ଧି କରାଯାଇପାରିବ । “ଏକ ରାଷ୍ଟ୍ର ଏକ ମୋବିଲିଟି କାର୍ଡ ଭଳି ଆମ ସରକାର ବ୍ୟବସ୍ଥାଗୁଡ଼ିକର ଏକୀକରଣ ଲାଗି ବିଗତ ବର୍ଷଗୁଡ଼ିକରେ ଅନେକ ପଦକ୍ଷେପ ନେଇଛି”, ଶ୍ରୀ ମୋଦୀ କହିଥିଲେ ।
ଏକ ରାଷ୍ଟ୍ର, ଏକ ଫାସଟ୍ୟାଗ ସୁବିଧା ଦେଶର ସମସ୍ତ ରାଜପଥରେ ଯାତ୍ରାକୁ ବାଧାମୁକ୍ତ କରିଛି । ଏହା ଯାତ୍ରୀମାନଙ୍କୁ ଟ୍ରାଫିକ ଜାମ ଏବଂ ବିଳମ୍ବରୁ ମୁକ୍ତି ଦେଇଛି । ଏକ ରାଷ୍ଟ୍ର ଏକ ଟିକସ ବ୍ୟବସ୍ଥା ରୂପରେ ଜିଏସଟି ଟିକସ ବ୍ୟବସ୍ଥାରେ ରହିଥିବା ଜଟିଳତାକୁ ଦୂର କରିଛି ଏବଂ ପରୋକ୍ଷ ଟିକସ ବ୍ୟବସ୍ଥାରେ ସମାନତା ଆଣିଛି । ଏକ ରାଷ୍ଟ୍ର ଏକ ପାୱାର ଗ୍ରୀଡ ଦେଶର ପ୍ରତ୍ୟେକ ଭାଗରେ ଯଥେଷ୍ଟ ଓ ନିରନ୍ତର ବିଦ୍ୟୁତ ଉପଲବ୍ଧତା ସୁନିଶ୍ଚିତ କରିଛି । ବିଦ୍ୟୁତ ଅପଚୟ ହ୍ରାସ ପାଇଛି ।
ଏକ ରାଷ୍ଟ୍ର, ଏକ ଗ୍ରୀଡ ସହିତ ଦେଶର ସେହିସବୁ ଭାଗକୁ ବାଧାମୁକ୍ତ ଗ୍ୟାସ ସଂଯୋଗ ଯୋଗାଣ ସୁନିଶ୍ଚିତ କରାଯାଉଛି ଯେଉଁଠି ପୂର୍ବରୁ ଗ୍ୟାସ ଆଧାରିତ ଜୀବନ ଏବଂ ଅର୍ଥବ୍ୟବସ୍ଥା ଏକ ସ୍ୱପ୍ନ ଥିଲା । ଏକ ରାଷ୍ଟ୍ର ଏକ ସ୍ୱାସ୍ଥ୍ୟ ବୀମା ରୂପରେ ଆୟୁଷ୍ମାନ ଭାରତ ଜରିଆରେ କୋଟି କୋଟି ଭାରତବାସୀ ଦେଶର ଯେକୌଣସି ସ୍ଥାନରେ ମାଗଣା ସ୍ୱାସ୍ଥ୍ୟସେବା ପାଇପାରୁଛନ୍ତି । ଏକ ରାଷ୍ଟ୍ର ଏକ ରାସନ କାର୍ଡ ଜରିଆରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଥିବା ଲୋକମାନେ ନୂଆ ରାସନ କାର୍ଡ କରିବାର ସମସ୍ୟାରୁ ମୁକ୍ତି ପାଇଛନ୍ତି । ଅନୁରୂପ ଭାବେ ନୂଆ କୃଷି ସଂସ୍କାର ଏବଂ ଇ-ନାମ ଭଳି ବ୍ୟବସ୍ଥା କାରଣରୁ ଦେଶ ଏକ ରାଷ୍ଟ୍ର, ଏକ କୃଷି ବଜାର ଦିଗରେ ଅଗ୍ରସର ହେଉଛି ।











