Saturday, November 14, 2026
Home ଜିଲ୍ଲା ଗଞ୍ଜାମ ଜଟଣୀ ବ୍ଲକରେ କର୍ମଚାରୀ ମରୁଡି, ଲୋକେ ହେଉଛନ୍ତି ହଇରାଣ,ବ୍ଲକରେ ପୋଷ୍ଟିଙ୍ଗ୍ ଥିବା କର୍ମଚାରୀ ଜିଲ୍ଲା କାର୍ଯ୍ୟାଳୟରେ...

ଜଟଣୀ ବ୍ଲକରେ କର୍ମଚାରୀ ମରୁଡି, ଲୋକେ ହେଉଛନ୍ତି ହଇରାଣ,ବ୍ଲକରେ ପୋଷ୍ଟିଙ୍ଗ୍ ଥିବା କର୍ମଚାରୀ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟରତ

13

ଜଟଣୀ,(ସଞ୍ଜୀବ କୁମାର):ଖୋର୍ଦ୍ଧା ଜିଲ୍ଲା ଜଟଣୀ ବ୍ଲକରେ ଦିନକୁ ଦିନ କର୍ମଚାରୀ ମରୁଡି ହୋଇଥିବା ଦେଖାଦେଉଛି । ଫଳରେ ଜଟଣୀ ବାସିଙ୍କ କାର୍ଯ୍ୟରେ ଅବହେଳା ହେଉଛି । ଯେଉଁ ଲୋକ କାମରେ ଯାଉଛନ୍ତି ସେମାନଙ୍କର କୈାଣସି କାମ ହୋଇପାରୁନାହିଁ ବୋଲି କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି । ମହାମାରୀ କରୋନା ଯୋଗୁଁ ରାଜ୍ୟ ସରକାରଙ୍କ ତରଫରୁ ବିଭିନ୍ନ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜନସାଧାରଣଙ୍କ ପାଇଁ ବିଭିନ୍ନ କଟକଣା ଜାରିରହିଛି ।

ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟରେ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ରହିଥିବା ବେଳେ ଜରୁରୀ କାର୍ଯ୍ୟ ନଥିଲେ କୌଣସି କାର୍ଯ୍ୟାଳୟକୁ ଆସନ୍ତୁ ନାହିଁ ବୋଲି କୁହାଯାଇଛି । କିନ୍ତୁ ଏହି ସମୟରେ ଜଟଣୀ ବ୍ଲକରେ କେତେକ କର୍ମଚାରୀଙ୍କ ଅନ୍ୟତ୍ର ବଦଳି ହୋଇଥିବାରୁ ବ୍ଲକ କାର୍ଯ୍ୟାଳୟର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି ।

ଏପରିକି ଜଣେ ଜଣେ କର୍ମଚାରୀଙ୍କୁ ଦୁଇଦୁଇଟି ସ୍ଥାନ ସମ୍ଭାଳିବାକୁ ପଡ଼ୁଛି । ଅନ୍ୟ ପକ୍ଷରେ ଦେଖିବାକୁ ଗଲେ ଜଟଣୀ ବ୍ଲକରେ ପୋଷ୍ଟିଙ୍ଗ୍ ହୋଇଥିବା କର୍ମଚାରୀ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟକରି ବ୍ଲକରୁ ଦରମା ନେଉଛନ୍ତି । ତେଣୁ ଆଜକୁ ଦୀର୍ଘଦିନ ହେବ ଜଟଣୀ ବ୍ଲକରେ କର୍ମଚାରୀ ଅଭାବ ଦିନକୁ ଦିନ ବୃଦ୍ଧି ପାଉଛି ।

ବ୍ଲକ ର ଏକ ବିଶେଷ ସୂତ୍ରରୁ ଜଣାପଡ଼ିଥିବା ଖବର ଅନୁଯାୟୀ ଏହି ବ୍ଲକରେ ଥିବା କୋପରେଟିଭ ଏକ୍ସଟେନସନ ଅଫିସର(ସି.ଇ.ଓ.) ରାମାନାରାୟଣ ମଲ୍ଲିକ ଚଳିତବର୍ଷ ଜାନୁଆରୀ ମାସରୁ ବଦଳି ହୋଇଥିଲେ ମଧ୍ୟ ଏହି ପଦବି ଆଜି ପର୍ଯ୍ୟନ୍ତ ଖାଲି ପଡିଛିି । ସେହିପରି ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ(ବ଼ିଏସ୍‌ଏସ୍‌ଓ) ଦାୟିତ୍ୱରେ ଥିବା ବିଜୟ କର ୨୦୨୦ ଫେବୃୟାରୀ ୨୦ ତାରିଖରୁ କାର୍ଯ୍ୟରୁ ଅବସର ନେଇଥିଲେ ମଧ୍ୟ ତାଙ୍କ ସ୍ଥାନଟି ଖାଲିପଡ଼ିଛି ।

ଏହି ବ୍ଲକରେ ଖାଲିଥିବା ଗ୍ରାମ ପଚାଂୟତ ସଂପ୍ରସାରଣ ଅଧିକାରୀ(ଜିପିଇଓ) ଅପରାଜିତା ସ୍ୱାଇଁ, ଏବିଡ଼ିଓ ଭାବରେ ପଦୋନ୍ନତି ପାଇଥିବାରୁ ଜିପିଓ ସ୍ଥାନଟି ମଧ୍ୟ ଖାଲି ପଡ଼ିଛି । ବ୍ଲକ ପ୍ରଗତି ସହାୟକ ( ବିପିଏ) ଦାୟିତ୍ୱରେ ଥିବା କେଳୁଚରଣ ସେଠି ବେଗୁନିଆ ବ୍ଳକକୁ ବଦଳି ହୋଇଛନ୍ତି । କ୍ୟାସିୟର କୃଷ୍ଣଚନ୍ଦ୍ର ସେଠି ଏହି ବ୍ଲକରୁ ବଦଳି ହୋଇ ଖୋର୍ଦ୍ଧା ତହସିଲରେ ଯୋଗ ଦେଇଛନ୍ତି । ମାତ୍ର ଏହି ସବୁ ପଦବି ଖାଲି ପଡିବାରୁ ଲୋକମାନଙ୍କର କାର୍ଯ୍ୟରେ ଅବହେଳା ହେଉଛି ।

ସେହିପରି ଉକ୍ତ ବ୍ଲକରେ ଆସିଷ୍ଟାଂଟ ଏକ୍ସ୍ୟୁଟିଭ ଇଞ୍ଜିନିୟର ଦାୟିତ୍ୱ ତୁଲାଉଥିବା ବିନୋଦ ମହାପାତ୍ର ମଧ୍ୟ ଏଠାରୁ ବଦଳି ହୋଇ ଯାଇଥିଲେ ମଧ୍ୟ ଏମାନଙ୍କ ସ୍ଥାନରେ କୌଣସି ଜଣେ ହେଲେ କର୍ମଚାରୀ ଯୋଗ ଦେଇନାହାଁନ୍ତି । ତେଣୁ ଏଠାରେ ସିନିୟର କ୍ଲର୍କ ୩ଜଣଙ୍କ ଆବଶ୍ୟକ ସ୍ଥଳେ ୨ ଜଣଙ୍କୁ ନିୟୋଜିତ କରାଯାଇଥିଲା । ଏଥି ମଧ୍ୟରୁ ଜଣେ କିରାଣୀଙ୍କ ବଦଳି ହେବାପରେ ଅନ୍ୟ ଜଣେ କର୍ମଚାରୀ ଖୋର୍ଦ୍ଧାଜିଲାପାଳଙ୍କ କାର୍ଯ୍ୟାଳୟରେ କାମ କରି ବ୍ଲକରୁ ଦରମା ପାଉଛନ୍ତିି । କର୍ମଚାରୀ ମରୁଡି ହୋଇ ଲୋକମାନଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି ।

ବିିଭିନ୍ନ ପଞ୍ଚାୟତରୁ ବିଭିନ୍ନ କାର୍ଯ୍ୟପାଇଁ ଆସୁଥିବା ଜନସାଧାରଣ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଜଣେ ଜଣେ କର୍ମଚାରୀଙ୍କୁ ବ୍ଲକ ତରଫରୁ ୨୩ଟି କାର୍ଯ୍ୟଭାର ଲଦି ଦିଆଯାଉଥିବା କର୍ମଚାରୀ ଜଣକ ଅଣନିଶ୍ୱାସୀ ହୋଇ ପଡ଼ୁଛି । ସେମାନଙ୍କର କାର୍ଯ୍ୟ କରିବାର ସ୍ପୃହା ରହୁନାହିଁ । ଜିଲ୍ଲା କାର୍ଯ୍ୟାଳୟରେ ବହୁ ସଂଖ୍ୟକ କର୍ମଚାରୀ ଥିବା ବେଳେ ଜଟଣୀ ବ୍ଲକରୁ କର୍ମଚାରୀ ଯାଇ ଜିଲ୍ଲା କାର୍ଯ୍ୟାଳୟରେ କାର୍ଯ୍ୟ ତୁଲାଉଥିବା ସାଧାରଣରେ ପ୍ରଶ୍ନ ସୃଷ୍ଟି ହେଉଛି ।

ବିଭିନ୍ନ ସରକାରୀ ଓ ଜନସାଧାରଣଙ୍କ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି ହେଉଛି । ଯେଉଁ ଯେଉଁ କର୍ମଚାରୀ ଜଟଣୀ ବ୍ଲକରୁ ବଦଳି ହୋଇଛନ୍ତି ତାଙ୍କ ସ୍ଥାନମାନଙ୍କରେ ଜଣେ ହେଲେ ନୂତନ କର୍ମଚାରୀ ବ୍ଲକରେ ଯୋଗଦାନ କରିନଥିବାରୁ ଦିନକ ଦିନ ସମସ୍ୟା ବୃଦ୍ଧି ପାଉଛି । ଫଳରେ ଲୋକମାନଙ୍କର ଭତା, ସ୍ୱଳ୍ପଋଣ ଓ ସ୍ୱୟଂ ସହାୟକ ଗୋଷ୍ଠି ପ୍ରଭୃତିଙ୍କ କାର୍ଯ୍ୟରେ ବ୍ୟାହତ ହେଉଥିବା କେତେକ ବ୍ୟକ୍ତି ଅଭିଯୋଗ ଆଣିଛନ୍ତି ।

ଅନ୍ୟ ପକ୍ଷରେ ଜଟଣୀ ବ୍ଲକ ପରିସରରେ ପୁର୍ବରୁ କାର୍ଯ୍ୟ କରୁଥିବା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଜାଂଆଳାର ଏକ ବିଦ୍ୟାଳୟ ପରିସରରେ ଚାଲୁଛି । ଏହିପରି ଅନେକ କାର୍ଯ୍ୟାଳୟ ଜଟଣୀ ବ୍ଲକ ମଧ୍ୟରୁ ଯାଇ ଅନ୍ୟତ୍ର କାର୍ଯ୍ୟାଳୟ ଚାଲିଛି । ଫଳରେ ଜଟଣୀ ବ୍ଲକକୁ ଆସୁଥିବା ଲୋକେ ଶିକ୍ଷାଜନିତ କାର୍ଯ୍ୟ ପାଇଁ ଏଠାରୁ ୫ କିମି ଦୁର ଜାଂଆଳା ଅଂଚଳକୁ ଯାଉଛନ୍ତି ।

ତେଣୁ ପଞ୍ଚାୟତ ରାଜ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାପାଳ ତୁରନ୍ତ ଦୃଷ୍ଟି ନିକ୍ଷେପକରି ଜଟଣୀ ବ୍ଲକ କର୍ମଚାରୀ ଅଭାବ ପ୍ରତି ଦୃଷ୍ଟି ଦେଲେ ଜନସାଧାରଣ ଲୋକେ ସୁଫଳ ପାଇବେ ବୋଲି ସାଧାରଣରେ ଦାବୀ ହେଉଛି ।