Saturday, November 14, 2026
Home ଆଞ୍ଚଳିକ ଗଞ୍ଜାମ ଜିଲ୍ଲା କୋଭିଡ୍ ସଚେତନତା ରଥ ଆରମ୍ଭ

ଗଞ୍ଜାମ ଜିଲ୍ଲା କୋଭିଡ୍ ସଚେତନତା ରଥ ଆରମ୍ଭ

21

ଛତ୍ରପୁର,(କିଶୋର ଚନ୍ଦ୍ର ମହାନ୍ତି): ଗଞ୍ଜାମ ଜିଲ୍ଲାରେ କରୋନାକୁ ପ୍ରତିହତ କରିବା ପାଇଁ ୟୁନିସେଫ୍ ଓଡିଶା ଶାଖା ସହାୟତାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ମିଳିତ ଆନୁକୂଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଠାରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଯୋଡି ଶଙ୍ଖ ବାଦନ ପୂର୍ବକ କୋଭିଡ୍ ସଚେତନତା ରଥ ପରିକ୍ରମାର ଶୁଭାରମ୍ଭ କରାଯାଇଛି ।

ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପୂର୍ବାହ୍ନରେ ସବୁଜ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହି ସଚେତନତା ରଥ ଆଜି ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଦୈନିକ ଦୁଇଟି ବ୍ଲକ୍ ହିସାବରେ ମୋଟ୍ ଦଶଟି ବ୍ଲକ୍ ପରିକ୍ରମା କରି ଲୋକଙ୍କ ନିକଟରେ ସଚେତନତାର ବାର୍ତ୍ତା ପହଞ୍ଚାଇବ । ଏହି ଅବସରରେ ସ୍ଥାନୀୟ ଲୋକ କଳାକାରମାନେ ମଧ୍ୟ ଏହି ସଚେତନତା କାର୍ଯ୍ୟରେ ଅଂଶ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି ।

ଲୋକ କଳାକାର ମାନଙ୍କ ଦ୍ବାରା କୋଭିଡ୍ ସଚେତନତା ବାର୍ତ୍ତା ପହଁଚାଇବାର ନୂଆ ଚିନ୍ତାଧାରା ଲୋକମାନଙ୍କ ପାଇଁ ମଙ୍ଗଳଦାୟକ ସାବ୍ୟସ୍ତ ହୋଇପାରିବ। ଏହି ରଥ କରୋନା ମହାମାରୀରୁ ରକ୍ଷାପାଇଁ ଏବଂ ନିଜକୁ ସୁରକ୍ଷିତ ରଖିବା ପାଇଁ ଜନ ସାଧାରଣଙ୍କୁ ସଚେତନ କରିବ। ଏହି ରଥ ଜିଲ୍ଲାସାରା ପରିକ୍ରମା କରାଇ ଲୋକଙ୍କୁ ସଚେତନ କରାଇବା ପାଇଁ ଲକ୍ଷ୍ୟ ରଖାଯାଇଛି।

ଆଜି ପୂର୍ବାହ୍ନରେ ଛତ୍ରପୁର ବ୍ଲକ୍ ଓ ଅପରାହ୍ନ ରେ ହିଞ୍ଜିଳି ବ୍ଲକ୍, ୨୬ ତାରିଖ ଦିନ କବିସୂର୍ଯ୍ୟନଗର ଓ ପୋଲସରା ବ୍ଲକ୍, ୨୭ ତାରିଖ ଦିନ ଭଞ୍ଜନଗର ଓ ଶେରଗଡ ବ୍ଲକ୍, ୨୮ ତାରିଖ ଦିନ ସାନଖେମୁଣ୍ଡି ଓ ଦିଗପହଣ୍ଡି ବ୍ଲକ୍ ଏବଂ ୨୯ ତାରିଖ ଦିନ ରଙ୍ଗେଇଲୁଣ୍ଡା ବ୍ଲକ୍ ଓ ବ୍ରହ୍ମପୁର ମ୍ୟୁନିସପାଲଟି ପରିକ୍ରମଣ କରି ଜନସାଧାରଣଙ୍କୁ ସଚେତନ କରାଇବ। କରୋନା ମହାମାରୀକୁ ରୋକିବା ପାଇଁ ଔଷଧ ବାହାରିବା ଓ ଏହାର ସଫଳ ଫଳପ୍ରଦ ହେବା ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମାସ୍କ ବ୍ୟବହାର କରିବା, ସାମାଜିକ ଦୂରତ୍ବ ରକ୍ଷା କରିବା ଓ ୪୦ ସେକେଣ୍ଡ ଧରି ହାତ ଧୋଇବା ଅଭ୍ୟାସକୁ ମାନି ଚଳିବା ସମ୍ପର୍କରେ ସଚେତନତା ଜାରି ରହିବାର ଆବଶ୍ୟକତା ରହିଛି ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।

ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ୧୫୦ଟି ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଅଛି। ସଂପ୍ରତି ଜିଲ୍ଲାରେ ମାତ୍ର ୨୧ ଟି କରୋନା ଆକ୍ଟିଭ୍ କେସ୍ ରହିଛି । ନୂଆବର୍ଷ ଉପଲକ୍ଷେ ପିକନିକ୍ ସ୍ପଟ୍ ଗୁଡିକରେ ମଧ୍ୟ ଗହଳି ନ କରିବା ପାଇଁ ପରାମର୍ଶ ଦେଇଥିଲେ। ଜିଲ୍ଲାର ସମସ୍ତ ଅଧିକାରୀ ମାନେ ମୁଖ୍ୟ କାର୍ଯ୍ୟଳୟନ ଛାଡିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶଙ୍କର୍ଷଣ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଏବଂ ସମସ୍ତ ସାମ୍ବାଦିକ ଗଣ ଉପସ୍ଥିତ ଥିଲେ ।