
ସୁନ୍ଦରଗଡ଼,(ବିଶ୍ବରଂଜନ ହୋତା): ଜିଲ୍ଲା କ୍ରୀଡ଼ା କ୍ଷେତ୍ରରେ ଅନେକ ସୁନାମ ଅର୍ଜନ କରି ଆସୁଅଛି। ଗତ ବର୍ଷ ଫୁଟବଲ୍ ଖେଳରେ ରାଜ୍ୟସ୍ତରୀୟ ଆନ୍ତଃ ଜିଲ୍ଲା ପ୍ରତିଯୋଗିତା ସାହାଣୀ କପ୍ ରେ ଚାମ୍ପିଅନ ଏବଂ ରାଜ୍ୟ ସ୍ତରୀୟ ଖେଳକୁଦ ପ୍ରତିଯୋଗିତାରେ ରନର ଅପ୍ ହୋଇ ଜିଲ୍ଲା ପାଇଁ ଗୌରବ ଆଣି ଥିଲେ ଜିଲ୍ଲାର କ୍ରୀଡାବିତ୍। ସେହି ସୋପାନରେ ଏକ ନୂଆ ଫର୍ଦ୍ଦ ଯୋଡ଼ି ହୋଇ ଯାଇଛି କ୍ରିକେଟ୍ ଖେଳକୁ ନେଇ।
ଆନ୍ତଃ ଜିଲ୍ଲା ଟି – ୨୦ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଜିଲ୍ଲାର ଖେଳାଳୀ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେହି ପ୍ରତିଯୋଗିତାରେ ସୁନ୍ଦରଗଡରୁ ଦୁଇ ସୁନାମଧନ୍ୟ ଖେଳାଳୀ ୱାଲ୍ଟର ଟପ୍ପୋ ଏବଂ ଗୋବିନ୍ଦ ପୋଦ୍ଦାର୍ ତାଙ୍କର ପ୍ରଭାବଶାଳୀ ଏବଂ ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ଆସନ୍ତା ବର୍ଷ ଜାନୁଆରୀ ୧୦ ତାରିଖରୁ କଲିକତାରେ ଅନୁଷ୍ଠିତ ହେବାକୁ ଯାଉଥିବା ଶୟଦ୍ ମୁସ୍ତାକ୍ ଅଲ୍ଲୀ ଟି -୨୦ ପ୍ରତିଯୋଗିତାରେ ଶୁଭ୍ରାଂଶୁ ସେନାପତିଙ୍କ ନେତୃତ୍ୱରେ ଓଡ଼ିଶା ରାଜ୍ୟ ଦଳରେ ଖେଳିବା ପାଇଁ ଚୟନିତ ହୋଇଛନ୍ତି।
ଏହା ସଙ୍ଗେ ସଙ୍ଗେ ରାଜ୍ୟ ଦଳ ପାଇଁ ଖେଳିବା ପାଇଁ ରାଉରକେଲାର ଅଙ୍କିତ ଜାଇଶ୍ୱାଲ ମଧ୍ୟ ଚୟନୀତ ହୋଇଛନ୍ତି। ଏହି ତିନି ଖେଳାଳିଙ୍କ ରାଜ୍ୟ ଦଳ ପାଇଁ ଚୟନ ହୋଇ ଥିବାରୁ ଜିଲ୍ଲା କ୍ରୀଡ଼ା ମହଲରେ ଆନନ୍ଦ ର ଲହରୀ ଖେଳି ଯାଇଛି। ବହୁ ଦିନ ପରେ ସୁନ୍ଦରଗଡ଼ କ୍ରିକେଟ୍ ଦିଗନ୍ତରେ ଏଭଳି ଉଦୀୟମାନ ତାରକାଙ୍କ ଆବିର୍ଭାବ ସୁନ୍ଦରଗଡ଼ କ୍ରିକେଟ୍ ପାଇଁ ଉଜ୍ଜଳ ଭବିଷ୍ୟତର ସମ୍ଭାବନା ସୃଷ୍ଟି କରିଛି।
ପ୍ରକାଶ ଥାଉକି ସୁନ୍ଦରଗଡ଼ରେ କ୍ରିକେଟ ରେ ଉନ୍ନତି ଆଣିବା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ର ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କ୍ରିକେଟ୍ ସମ୍ପାଦକ ଶିଶିର କୁମାର ପଟେଲଙ୍କ ଉଦ୍ୟମରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଜିଲ୍ଲା କ୍ରୀଡ଼ା ସଂସଦ ର ସାଧାରଣ ସମ୍ପାଦକ ଶ୍ରୀ ଭୋଳ ତାଙ୍କ ପ୍ରତିକ୍ରିୟାରେ ସଂସଦ ତରଫରୁ ତିନି ଖେଳାଳିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଆସନ୍ତା ପ୍ରତିଯୋଗିତା ରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଶୁଭକାମନା ଜଣାଇଛନ୍ତି।







