
ଜଟଣୀ,(ଖୋର୍ଦ୍ଧା ଜିଲ୍ଲା ସଞ୍ଜୀବ କୁମାର): ଜଟଣୀ ପୌରାଞ୍ଚଳର ବିଭିନ୍ନ ୱାର୍ଡରେ ରହି ଥିବା ଟାଉନ୍ ଖାସମହଲ ଜମିର ପଟ୍ଟା ମିଳିପାରି ନାହିଁ । ସେହି ଜମି ଉପରେ ଅନେକ ବ୍ୟକ୍ତି ସେମାନଙ୍କର ବାସଗୃହ ଓ ବ୍ୟବସାୟ ପ୍ରତିଷ୍ଠାନ କରି ରହି ଆସୁଥିଲେ ମଧ୍ୟ ବ୍ୟାଙ୍କରୁ ଲୋନ୍ ନେଇପାରୁନଥିବା ବେଳେ ଅନେକ ଜମି ବିକ୍ରି ଖଦ୍ଧି କରିପାରୁନାହାଁନ୍ତି । ଏ ନେଇ ଲୋକେ ବାରମ୍ବାର ଦୌଡ଼ି ସମସ୍ୟାର ସମାଧାନ କରିବାକୁ ଚାହିଁଲେ କରିପାରୁନାହାନ୍ତି । ତେଣୁ ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଟାଉନ୍ ଖାସମାହାଲ କ୍ରିୟାନୁଷ୍ଠାନ କମିଟି ଗଠନ କରାଯାଇ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଛି । ବୁଧବାର ଦିନ ଏହି କମିଟିର ସମସ୍ତ ସଦସ୍ୟ ଏକତ୍ରୀତ ହୋଇ ଜଟଣୀର ପୂର୍ବତନ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା ବିଜୁଜନତା ଦଳର ସଭାପତି ବିଭୂତି ଭୂଷଣ ବଳବନ୍ତରାୟଙ୍କ ସହ ସ୍ୱତନ୍ତ୍ର ଆଲୋଚନା ପାଇଁ ନିମନ୍ତ୍ରଣ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ସଭାପତି ମନମୋହନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ‘ ଆଲୋଚନାରେ ଶ୍ରୀ ବଳବନ୍ତରାୟ କମିଟିର ସମ୍ପାଦକ ଅନନ୍ତ ଶତପଥୀଙ୍କ ସମେତ ଟାଉନ ଖାସମାହାଲ ଜମିର ଶତାଧିକ ଭୂମି ମାଲିକମାନେ ଉପସ୍ଥିତ ରହି ପଟ୍ଟା କିପରି ନବୀକରଣ କରାଯାଇ ଭୂମି ମାଲିକମାନଙ୍କୁ ହସ୍ତାନ୍ତର କରାଯିବ ସେ ନେଇ ଆଲୋଚନା କରିଥିଲେ । ଶ୍ରୀ ବଳବନ୍ତରାୟ କହିଥିଲେ ଯେ ନିଶ୍ଚିତ ଭାବରେ ଟାଉନ୍ ଖାସମାହାଲ ଜମି ପଟ୍ଟା ନବୀକରଣ କରାଯାଇ ଜଟଣୀବାସୀଙ୍କୁ ପ୍ରଦାନ କରାଯିବ। ଫଳରେ ଜମି ପଟ୍ଟା ନବୀକରଣ ସମସ୍ୟା ଦୂର ହେବ। ଆଲୋଚନାବେଳେ କ୍ରିୟାନୁଷ୍ଠାନ କମିଟିକୁ ପୂର୍ଣ୍ଣ ସହଯୋଗର ପ୍ରତିଶ୍ରୁତି ଦେବା ସହ ଖୋର୍ଦ୍ଧା ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଖୋଦ୍ଧା (ରେଭିନ୍ୟୁ) ଏବଂ ଜଟଣୀ ତହସିଲଦାରଙ୍କ ସହ କିଛି ସମୟ ଆଲୋଚନା କରିଥିଲେ। ଏହାର ନିର୍ଦ୍ଦେଶରେ କ୍ରିୟାନୁଷ୍ଠାନ କମିଟିର ଉପସ୍ଥିତିରେ ନବୀକରଣ ଜମି ପଟ୍ଟା ଆବଣ୍ଟନ କରାଯିବ ବୋଲି କହିଥିଲେ । ଦୀର୍ଘ ବର୍ଷ ହେବ ଟାଉନ୍ ଖାସମାହାଲ ଜମି ସମସ୍ୟା ଲାଗିରହିଥିବା ବେଳେ ଏବେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟାର ସମାଧାନ ହୋଇଯିବ ବୋଲି କ୍ରିୟାନୁଷ୍ଠାନ କମିଟି ବିଶ୍ବାସ ରଖୁଛି । କାର୍ଯ୍ୟକ୍ରମରେ ରବି ସରାଫ୍, ସଜନ ଅଗ୍ରୱାଲ, ମାରୱାଡି ଯୁବ ମର ସମସ୍ତ ସଦସ୍ୟ, ବିଜୟ ପଣ୍ଡା, ଆଶୁତୋଷ ପ୍ରକାଶ ସିଂହ, ଲକ୍ଷ୍ମୀନାରାୟଣ ସ୍ବାଇଁ, ଡ, ତପନ ମିଶ୍ର, ପ୍ରଦୀପ ଅଗ୍ରୱାଲ, ଅଶୋକ କୁମାର ଶର୍ମା, ଜୟ ପ୍ରକାଶ ଶର୍ମା ପ୍ରମୁଖ ଉପସ୍ଥିତ ରହି ପୂର୍ବତନ ବିଧାୟକଙ୍କୁ ସାଧୁବାଦ ଜଣାଇବା ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।


