
ନୂଆଦିଲ୍ଲୀ,(ଏସଏମପି): ଇଂଲଣ୍ଡରୁ ଭାରତ ଆସୁଥିବା ସମସ୍ତ ଯାତ୍ରୀବାହି ବିମାନ ଆସନ୍ତାକାଲି (୨୨.୧୨.୨୦୨୦)ଠାରୁ ୩୧ ଡିସେମ୍ବର ୨୦୨୦ ପର୍ୟ୍ୟନ୍ତ ବାତିଲ କରାଯାଇଥିବା କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ ଜଣାଇଛନ୍ତି । କେତେକ ଦେଶରେ କରୋନା ସଂକ୍ରମଣ ଅଧିକ ଦେଖାଦେବା ପରିପ୍ରେକ୍ଷୀରେ ଭାରତ ସରକାର ସମସ୍ତ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେଉଥିବା ଶ୍ରୀ ପୁରୀ କହିଛନ୍ତି ।
ଇଂଲଣ୍ଡରେ କୋଭିଡ-୧୯ ଅଧିକ ସଂକ୍ରମଣ ଦୃଷ୍ଟିରୁ ଭାରତ ସରକାର ଆସନ୍ତା ୩୧ ତାରିଖ ପର୍ୟ୍ୟନ୍ତ ସମସ୍ତ ବିମାନ ଯାତାୟାତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଆସନ୍ତାକାଲି (୨୨.୧୨.୨୦୨୦) ରାତି ୧୧ଟା ୫୯ ମିନିଟ ଠାରୁ ଲାଗୁ ହେବ । ତେବେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଅନୁମୋଦିତ ସମସ୍ତ ପଣ୍ୟବାହୀ ଆନ୍ତର୍ଜାତିକ ବିମାନ ଯାତ୍ରା ଉପରେ ଏହି କଟକଣା ଲାଗୁ ହେବନାହିଁ ।
ଭାରତକୁ ଅନ୍ୟାନ୍ୟ ବିମାନ ସଂସ୍ଥା ପକ୍ଷରୁ ଆସୁଥିବା ବିମାନରେ ସେମାନେ ଇଂଲଣ୍ଡରୁ ଭାରତକୁ କୌଣସି ଯାତ୍ରୀଙ୍କୁ ଆଣିବେ ନାହିଁ । ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ କୌଣସି ଯାତ୍ରୀ ଯେପରି ଇଂଲଣ୍ଡରୁ ଭାରତକୁ ଯାତ୍ରା ନକରନ୍ତି ତାହା ସୁନିଶ୍ଚିତ କରାଯିବ ।
ପ୍ରତିଷେଧକ ମୂଳକ ବ୍ୟବସ୍ଥା ସ୍ୱରୂପ ଇଂଲଣ୍ଡରୁ ଆସୁଥିବା ବିମାନରେ ଯେଉଁ ଯାତ୍ରୀ ଆସନ୍ତାକାଲି ରାତି ୧୧ଟା ୫୯ ପୂର୍ବରୁ ପହଞ୍ଚିବେ ବିମାନବନ୍ଦରରେ ସେମାନଙ୍କ ଆରଟି-ପିସିଆର ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ଯେଉଁ ଯାତ୍ରୀ ପହଞ୍ଚିବା ପରେ କୋଭିଡ-୧୯ ସଂକ୍ରମିତ ବିବେଚିତ ହେବେ ସେମାନେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ମାର୍ଗଦର୍ଶିକା ଅନୁସାରେ ସଙ୍ଗରୋଧରେ ରହିବେ । ଯାତ୍ରୀଙ୍କୁ ମେଡିକାଲ ଖର୍ଚ୍ଚ ମଧ୍ୟ ବହନ କରିବାକୁ ପଡିବ ।



