
ବାଲିଗୁଡା,(ସୁକାନ୍ତ କୁମାର ତ୍ରିପାଠୀ): କନ୍ଧମାଳ ଜିଲ୍ଲା ରେ ରାଜ୍ୟ ସରକାରଙ୍କ ପୂର୍ବ ଘୋଷଣା ଅନୁଯାୟୀ ଚାରିଜଣ କରୋନା ଯୋଦ୍ଧାଙ୍କ ପରିବାରକୁ ପ୍ରଦାନ କରାଯାଇଛି ଆର୍ଥିକ ସହାୟତା। କନ୍ଧମାଳ ଜିଲାପାଳ ଡଃ ବୃନ୍ଦା ଡି ନିଜ କାର୍ଯ୍ୟାଳୟରେ ସରକାରଙ୍କ ତରଫରୁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି। ପ୍ରଶାସନ ତରଫରୁ କରୋନା ଲଢେଇରେ ସାମିଲ ହୋଇ ମୃତ୍ୟୁବରଣ କରଥିବା ଏହି ପୁଲିସ କର୍ମଚାରୀମାନେ ହେଲେ ଜି ଉଦୟଗିରିର ମହାଜନ ପ୍ରଧାନ, ଫୁଲବାଣୀର ସୁବାଷ ଚନ୍ଦ୍ର ସାହୁ ଓ ଉମେଶ କୁମାର ନାୟକ ଏବଂ ବାଲିଗୁଡାର ବାଳୀ କହଁର। ମହାଜନ ଟିକାବାଲି ଥାନା ଅନ୍ତର୍ଗତ ଲାଇନପଡା ଫାଣ୍ଡିରେ ଏଏସଆଇ ଭାବେ କାର୍ଯ୍ୟରତ ଥିବା ବେଳେ ସୁବାଷ ଟିକାବାଲି ଥାନାରେ ଏଏସଆଇ ଥିଲେ। ସେହିଭଳି ଉମେଶ ଓ ବାଳୀ ଦାରିଙ୍ଗବାଡି ଠାରେ କନେଷ୍ଟବଲ ଭାବେ କାର୍ଯ୍ୟରତ ଥିଲେ। ସରକାରୀ କର୍ମଚାରୀ ଭାବେ କରୋନା ସମୟରେ ନିଜ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ଏମାନେ ମହାମାରିର ଶୀକାର ହୋଇଥିଲେ। ଚିକିତ୍ସା ସତ୍ୱେ ଏମାନେ ଜୀବନ ଯୁଦ୍ଧରେ ହାରି ଯାଇଥିଲେ। ଏଭଳି କରୋନା ଯୋଦ୍ଧାମାନଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ପାଇଁ ପୁର୍ବରୁ ସରକାର ଘୋଷଣା କରିଥିଲେ। ସେହି ଅନୁଯାୟୀ ଆଜି ଜିଲାପାଳ ତାଙ୍କ ପ୍ରକୋଷ୍ଠରେ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ମହାଜନଙ୍କ ତରଫରୁ ତାଙ୍କ ସ୍ତ୍ରୀ ଅନ୍ନଦା, ସୁବାଷଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ ବବିତା, ଉମେଶଙ୍କ ପକ୍ଷରୁ ତାଙ୍କ ସ୍ତ୍ରୀ କାମିନୀ ଓ ବାଳୀଙ୍କ ତରଫରୁ ତାଙ୍କ ସ୍ତ୍ରୀ ଗୀତାଞ୍ଜଳୀ ଏହି ଚେକ ଗ୍ରହଣ କରିଥିଲେ। ଚେକ ପ୍ରଦାନ ସମୟରେ କନ୍ଧମାଳ ଆରକ୍ଷୀ ଅଧୀକ୍ଷକ ବିନିତ ଅଗ୍ରୱାଲ ଉପସ୍ଥିତ ଥିଲେ। ସରକାର ଏହି ସହାୟତା ପ୍ରଦାନ କରିଥିବାରୁ ପରିବାର ସରକାରଙ୍କ ପାଖରେ କୃତଜ୍ଞ ବୋଲି ପରିବାର ଲୋକେ ଏ ଅବସରରେ ପ୍ରକାଶ କରିଛନ୍ତି।



