
ଛତ୍ରପୁର,(କିଶୋର ଚନ୍ଦ୍ର ମହାନ୍ତି): ଛତ୍ରପୁର ଥାନା ଅଧିନସ୍ଥ ହୁମର ଗ୍ରାମରେ ଗତକାଲି ଜଣେ ନବବଧୂଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିବା ବେଳେ ପୋଲିସ ଘଟଣା ସ୍ଥଳରେ ପହଂଚି ମୃତ ଦେହକୁ ଜବତ କରି ଏହାର ଖୋଳତାଳ ଆରମ୍ଭ କରିଥିଲେ । ମୃତ ମହିଳା ଜଣକ ହେଲେ ହୁମର ଗ୍ରାମର ପ୍ରବୀଣ ପ୍ରସାଦ ପଲେଇଙ୍କ ସ୍ତ୍ରୀ ବର୍ଷା । ସେ ଗତ ୮ତାରିଖ ଦିନ ବୈଦିକ ରୀତି ଅନୁସାରେ ପ୍ରବୀଣଙ୍କୁ ବିବାହ କରିଥିଲେ । ସୋମବାର ତାଙ୍କର ସାଗ ମାଛ ଭୋଜି ଆସର ହୋଇଥିବା ବେଳେ ବିବାହ ସପ୍ତାହେ ନପୁରୁଣୁ ମଙ୍ଗଳବାର ତାଙ୍କ ମୃତ ଦେହ ଶ୍ୱଶୁର ଘରୁ ଉଦ୍ଧାର କରାଯାଇଥିଲା। ଶାଶୂ ଘର ଲୋକେ ବର୍ଷା ଆତ୍ମହତ୍ୟା କରିଛି ବୋଲି କହୁଥିବା ବେଳେ ମାଆ ଘର ଲୋକେ ଯୌତୁକ ପାଇଁ ତାଙ୍କୁ ହତ୍ୟା କରାଯାଇଛି ବୋଲି ଛତ୍ରପୁର ଥାନାରେ ବର୍ଷାଙ୍କ ମାଆ ପ୍ରତୀମା ନାହାକ ଅଭିଯୋଗ କରିଛନ୍ତି । ଏନେଇ ଛତ୍ରପୁର ପୋଲିସ ପକ୍ଷରୁ ୩୮୦/୨୦ରେ ଏକ ମାମଲା ରୁଜୁ କରି ବର୍ଷାଙ୍କ ସ୍ୱାମୀ ପ୍ରବୀଣଙ୍କୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଛନ୍ତି ।
ବୁଧବାର ସକାଳୁ ଛତ୍ରପୁର ଏସଡିପିଓ ଗୌତମ କିଶାନ୍, ଛତ୍ରପୁର ଥାନା ଅଧିକାରୀ ପ୍ରିୟାସ ରଞ୍ଜନ ଛୋଟରାୟ ଓ ତାଙ୍କ ଟିମ୍ ହୁମର ଗ୍ରାମକୁ ଯାଇ ଘଟଣାର ସର ଜମିନ ତଦନ୍ତ ଆରମ୍ଭ କରିଛନ୍ତି । ଏହା ସହିତ ସାଇଂଟିଫିକ୍ ଟିମ୍ ଏବଂ ଅନୁସନ୍ଧାନୀ କୁକୁର ବୁଲି ବର୍ଷା ଆତ୍ମହତ୍ୟା କରିଛି ନା ହତ୍ୟା କରାଯାଇଛି ତାହାର ପ୍ରକୃତ ତଥ୍ୟ ସଂଗ୍ରହ କରିଛନ୍ତି । ମାଜିଷ୍ଟ୍ରେଟ୍ ଦାୟିତ୍ୱ ରେ ଥିବା ଛତ୍ରପୁର ର ଅତିରିକ୍ତ ତହସିଲଦାର ରାକେଶ ନାହାକଙ୍କ ଉପସ୍ଥିତିରେ ସମସ୍ତ ଘଟଣାର ଭିଡିଓ ଗ୍ରାଫି ଓ ଫଟୋ ଗ୍ରାଫି କରାଯିବା ସହ ବର୍ଷାଙ୍କ ମାଆ ଘର ଓ ଶାଶୁ ଘର ଲୋକଙ୍କ ବୟାନ୍ ରେକର୍ଡ କରାଯାଇଛି । ଆଜି ବର୍ଷାଙ୍କ ମୃତ୍ୟୁ ଦେହ ବ୍ୟବଚ୍ଛେଦ ନିମନ୍ତେ ଏମକେସିଜିର ଏଫଏମଟିକୁ ପଠାଯାଇଛି ।
ସେଠାରେ ଦୁଇଜଣ ଡାକ୍ତର ଏହି ରିପୋର୍ଟକୁ ଉତମ ଭାବେ ଦେବା ନିମନ୍ତେ କୁହାଯାଇଛି । ପୋଲିସ ବର୍ଷାଙ୍କ ମାଆ ଘର ରାଜପୁର ଓ ଶାଶୁ ଘର ହୁମର ଗ୍ରାମର ବହୁ ବନ୍ଧୁବାନ୍ଧବଙ୍କ ଠାରୁ ଘଟଣା ସଂପର୍କରେ ବହୁ ତଥ୍ୟ ସଂଗ୍ରହ କରିଥିବା ଜଣାପଡ଼ିଛି । ୪୯୮ (ଏ), ୩୦୨, ୩୦୪ (ବି), ୪୧ ଆଇପିସି/ ୪ଡିପି ଆକ୍ଟ ର ସେକ୍ସନ୍ ଲଗାଇ ସ୍ୱାମୀଙ୍କ ସମେତ ଶାଶୁ ଘର ସମସ୍ତ ପରିବାରଙ୍କ ବିରୋଧରେ ବର୍ଷାଙ୍କ ମାଆ ପ୍ରତିମା ନାୟକ ଯୌତୁକ ଜନିତ ହତ୍ୟା କରାଯାଇଥିବା ନେଇ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି । ଶବ ବ୍ୟବେଚ୍ଛଦ ରିପୋର୍ଟ ଆସିଲେ ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ଜଣାପଡ଼ିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।



