Saturday, November 14, 2026
Home ଆଞ୍ଚଳିକ ତାଲା ଝୁଲେ ଆଶ୍ରୟସ୍ଥଳରେ, ଅସହାୟଙ୍କ ରାତି କଟେ ଖୋଲାମେଲାରେ

ତାଲା ଝୁଲେ ଆଶ୍ରୟସ୍ଥଳରେ, ଅସହାୟଙ୍କ ରାତି କଟେ ଖୋଲାମେଲାରେ

50

ହିଂଜିଳିକାଟୁ,(ରଜନୀକାନ୍ତ ପାତ୍ର): ଦିନରେ କୋଳାହଳ ପରିବେଶ କିନ୍ତୁ ସଞ୍ଜ ନଇଁଲେ ରାତି ଶୂନଶାନ୍ । ସୂର୍ଯ୍ୟ ଉଇଁଲା ମାତ୍ରେ ଦିନରେ ପେଟ ଚାଖଣ୍ଡ ପାଇଁ ଆରମ୍ଭ ହୁଏ ଅହରହ ସଂଘର୍ଷ ଆଉ ସୂର୍ଯ୍ୟ ନଇଁଲେ ଶୀତର ପ୍ରକୋପ ବଢ଼ିବାକୁ ଯିବା ବେଳେ କୋଉଠି ମୁଣ୍ଡ ଗୁଞ୍ଜିବାକୁ ଖୋଜା ପଡ଼େ ଦୋକାନ ବାରଣ୍ଡା। ସେଥିପାଇଁ ଆରମ୍ଭ ହୁଏ ଆଉ ଏକ ସଂଘର୍ଷ । ସହରବାସୀ ଶୀତୁଆ ରାତିରେ ନିଦ୍ରାଦେବୀଙ୍କ କୋଳକୁ ଯାଇଥିବା ବେଳେ ଅସହାୟ ମଣିଷଙ୍କ ଜୀବନ କିଭଳି କଟୁଛି ତା’ର ପ୍ରତୀକାତ୍ମକ ଚିତ୍ର ଆପଣଙ୍କ ସାମ୍ନାରେ । ନାମ ଜାଗିଲି ପାତ୍ର, ଘର ଦିଗପହଣ୍ଡି ଅଞ୍ଚଳର ବୟସ କିନ୍ତୁ ୬୦ ଟପିଲାଣି । ଭିନ୍ନକ୍ଷମ ହୋଇଥିବାରୁ କେବେ କେଉଁ ଅଞ୍ଚଳ ବୁଲି ନିଜର ପେଟପାଟଣା ପାଇଁ ଘରୁ ବାହାରି ପଡ଼ନ୍ତି । ଦିନ ଯାକ ଭିକ୍ଷାବୃତ୍ତି ଆଉ ସୂର୍ଯ୍ୟ ନଇଁଲେ ଯେଉଁଠି ଅନ୍ଧାର ହୁଏ ,ସେଇଟି ହୁଏ ତାଙ୍କର ରାତ୍ର ଠିକଣା ।ମଧ୍ୟରାତ୍ରରେ ୩ ହାତ ପାଛୁଡ଼ିରେ ମୁଣ୍ଡ ଓ ଗୋଡ଼ ଘୋଡେ଼ଇ ହେବାକୁ ଆରମ୍ଭ ହୁଏ କସରତ।ଏସବୁ କଷ୍ଟ ଭିତରେ ରାତି ସରିଯାଇଥାଏ ।ଗତ କିଛି ଦିନ ଧରି ସହରରେ ଅସହାୟ ଓ ମାନସିକ ରୋଗୀଙ୍କ ଜୀବନ ଏଭଳି କଟୁଛି।

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିରେ ବହୁବାର ଦାବି ସତ୍ତ୍ୱେ ବୃନ୍ଦାବନ ମିନି ଷ୍ଟାଡିୟମ ପରିସରରେ ପ୍ରାୟ ୪୦ ଲକ୍ଷ ଟଙ୍କା ବ୍ୟୟରେ ଏକ ରାତ୍ର ଆଶ୍ରୟ ସ୍ଥଳୀ ରହିଛି କିନ୍ତୁ ଯୋଉଠି ରାତିଦିନ ଝୁଲିଥାଏ ତାଲା ।ଯାହା ଫଳରେ ଶୀତରାତିରେ ଗରିବ ଓ ଅସହାୟଙ୍କ ଅବସ୍ଥା ଶୋଚନୀୟ ପାଲଟିଯାଉଛି ।କେବଳ ଜାଗିଲିଙ୍କ କ୍ଷେତ୍ରରେ ଏପରି ଘଟୁଛି ତାହା ନୁହେଁ,ସହରରେ ଫେରିବାଲା ମାନେ ବ୍ୟବସାୟ କରିବାକୁ ଆସି କୌଣସି କାରଣ ବଶତଃ ଘରକୁ ନ ଫେରିଲେ ମୁଖ୍ୟ ରାସ୍ତାର ଘର ବାରଣ୍ଡା କି ଫୁଟପାଥରେ ଆଶ୍ରୟ ନିଅନ୍ତି ।ରାତ୍ର ଆଶ୍ରୟ ସ୍ଥଳୀ ଥାଇ ବି କାମରେ ନ ଲାଗିବା ଘଟଣାକୁ ସହରର ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି ।ହିଂଜିଳି ମୁନିସିପାଲିଟି ହୋଇଥିବାରୁ ଭଲ ବ୍ୟବସାୟ ଆଶା ନେଇ ପ୍ରତିଦିନ ଗ୍ରାମାଞ୍ଚଳରୁ ଲୋକେ ନିଜ ନିଜର ପସରା ଧରି ସହର ମୁହାଁ ହୋଇଥା’ନ୍ତି ।

ଜିନିଷ ସରିଗଲେ ଦୁଇ ପଇସା ଲାଭବାନ ସହ ଘରକୁ ଫେରନ୍ତି ଆଉ ଯଦି ଜିନିଷ ନ ସରେ,ସେଇଠି ହିଁ ରହିଯା’ନ୍ତି ।କାରଣ ତା’ ପରଦିନ ଏହି ସାମଗ୍ରୀ ଧରି ପୁଣି ସହରକୁ ଆସିବା କଷ୍ଟକର ହୋଇପଡେ।ଇତି ମଧ୍ୟରେ କେତେ ଜଣ ବସଷ୍ଟାଣ୍ଡରେ ଶୋଇଥିବାର ଦୃଷ୍ଟି ଗୋଚର ହୋଇଥିଲା।ଭିନ୍ନକ୍ଷମ ଜାଗିଲିଙ୍କୁ ପଚାରିବାରୁ କହିଥିଲେ ବସଷ୍ଟାଣ୍ଡ ତଳେ ଶୋଇଲେ ପୋଲିସ ପେଟ୍ରୋଲିଂ ବେଳେ ଆସି ବାରମ୍ବାର ପଚାରୁଛି ଯାହା ଫଳରେ ମୋତେ ଭୟ ଲାଗୁଛି ।ଅନ୍ୟପଟେ ଅସହାୟ ଜାଗିଲିଙ୍କ କିଛି ଖଳ ପ୍ରକୃତିର ଲୋକେ ଶୋଇଥିବା ବେଳେ ପଇସା ଚୋରେଇ ନେଉଛନ୍ତି ।

ଦିନବେଳେ ପାଉଁରୁଟି ଖାଇ ରହିଥିବା ବେଳେ ରାତିରେ ଉପବାସରେ ରହିଥିବା କୋହଭରା କଣ୍ଠରେ କହିଥିଲେ ।ରାଜ୍ୟ ସରକାର ଗରିବ ଓ ଅସହାୟମାନଙ୍କ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗଡ଼ରେ ବାସ୍ତବ ଚିତ୍ର ନ କହିଲେ ଭଲ । ଏନେଇ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼.ମନୋରଞ୍ଜନ ସାହୁଙ୍କ ଶହ ଯୋଗ ଯୋଗ ହୋଇପାରୁ ନାହିଁ ହେଲେ ଏଠି ପ୍ରଶ୍ନ ଉଠେ କି ନିଜର ନିର୍ବାଚନ ମଣ୍ଡଳୀ ଦୁଃଖ କେବେ ବୁଝିବେ ରାଜ୍ୟ ସରକାର ବାକି ରହିଲା ଦେଖିବାକୁ |