
ବିଷମକଟକ,୧୬-୧୨(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ବ୍ଲକ ହାଲୁଆ ଗ୍ରାମରେ ଶତାଧିକ ଆଦିବାସୀ ନ୍ୟାୟ ଦାବି କରି ଏକଜୁଟ୍ ହୋଇଛନ୍ତି । ଭାଗିରଥୀ ମାଣ୍ଡାଙ୍ଗି ହତ୍ୟାକାଣ୍ଡକୁ ଇତିମଧ୍ୟରେ 10 ବର୍ଷ ବିତିଯାଇଥିଲେ ସୁଦ୍ଦା କ୍ରାଇମବ୍ରାଞ୍ଚ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ ବୋଲି ଆଦିବାସୀ ନେତା ମାନେ ଅଭିଯୋଗ କରିଛନ୍ତି । କ୍ରାଇମବ୍ରାଞ୍ଚ୍ ଶାସକ ଦଳର ହାତବାରିସି ସାଜି ଅଭିଯୁକ୍ତ ମାନଙ୍କୁ ଗିରଫ୍ କରୁନାହିଁ ବୋଲି ଆଦିବାସୀ ମେଳିରେ ଅଭିଯୋଗ କରାଯାଇଥିଲା । ଗତ 2010 ମସିହା ଡିସେମ୍ବର 15 ତାରିଖ ଦିନ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ଅପହରଣ କରାଯାଇଥିଲା ।
ପରେ କିଛି ଦିନ ପରେ ଆନ୍ଧ୍ରପ୍ରଦେଶର କମରଡା ଡ୍ୟାମ୍ ରୁ ତାଙ୍କ ମୃତଦେହ ଉଦ୍ଦାର କରାଯାଇଥିଲା । ଏନେଇ ଜିଲ୍ଲାରେ ଅଶାନ୍ତକର ପରିବେଶ ସୃଷ୍ଟି ହେବା ପରେ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ୍ ତଦନ୍ତ ନିର୍ଦେଶ ଦେଇଥିଲେ । କିନ୍ତୁ ହତ୍ୟାକାଣ୍ଡକୁ 10 ବର୍ଷ ବିତିଯାଇଥିଲେ ସୁଦ୍ଦା କ୍ରାଇମବ୍ରାଞ୍ଚ୍ ର ହାତ ଖାଲି ହୋଇଯାଇଛି । ତେବେ ରାଜ୍ୟ ସରକାର ଘଟଣାର ସିବିଆଇ ତଦନ୍ତ ନିର୍ଦେଶ ଦେଇ ମୁଖ୍ୟ ଆସାମୀକୁ ଗିରଫ୍ ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଆଦିବାସୀ ନେତା ବସନ୍ତ ଉଲାକା କହିଛନ୍ତି । ଏନେଇ ଆଜି ରାୟଗଡା ଏସପିଙ୍କ ଜରିଆରେ ରାଜ୍ୟପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି ।







