
ବାଲିଗୁଡା,୧୨/୧୨(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଥାନା ଅନ୍ତର୍ଗତ କୋଇରିମାଣ୍ଡୁ ପଞ୍ଚାୟତ ଅଡ଼ାବାଲି ଓ ଆଖପାଖ ଜଙ୍ଗଲର ପୁଲିସ ପକ୍ଷରୁ ହୋଇଥିବା କମ୍ବିଂ ଅପରେସନରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି। ଏହି ଅଞ୍ଚଳରେ ମାଓବାଦୀ ଲୁଚି ରହିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇବା ପରେ ପୁଲିସ ପକ୍ଷରୁ ନିକଟସ୍ଥ ଜଙ୍ଗଲରେ ଗତ ତିନିଦିନ ଧରି କମ୍ବିଂ ଚାଲିଥିଲା। ଶୁକ୍ରବାର ଅପରାହ୍ନରେ ସଂପୃକ୍ତ ଅଞ୍ଚଳରେ କିଛି ମାଓବାଦୀ ରହିଥିବା ସନ୍ଦେହ କରି ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ କରାଯଇଥିଲା। ସେହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀ ପୁଲିସ ଉପରକୁ ଗୁଳିଚାଳନା କରିଥିଲେ। ପୁଲିସ ପକ୍ଷରୁ ମଧ୍ୟ ପାଲଟା ଗୁଳି ଚାଳନା କରାଯାଇଥିଲା। ଏଥିରେ ଜଣେ ମହିଳା ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି। ମୃତ ମହିଳା ମାଓବାଦୀ ୟୁନିଫର୍ମ ପିନ୍ଧିଥିବା କୁହାଯାଇଛି। ସଂପୃକ୍ତ ଅଂଚଳରୁ ପୁଲିସ ଦୁଇଟି ବନ୍ଧୁକ ଓ ଚାରି ରାଉଣ୍ଡ ଗୁଳି ସମେତ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରିଛି। ମହିଳା ମାଓବାଦୀଙ୍କ ପରିଚୟ ଜଣାପଡିନି। ସଂପୃକ୍ତ ଅଞ୍ଚଳରେ ୧୫ରୁ ଅଧିକ ମାଓବାଦୀ ରହିଥିବା ସନ୍ଦେହ କରାଯାଉଛି। ପୁଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି। କମ୍ବିଂ ଅପରେସନରେ ଡିଭିଏଫ ଓ ଏସଓଜି ସାମିଲ ଥିଲେ।



