
ଜଟଣୀ,୧୨/୧୨(ଖୋର୍ଦ୍ଧା ଜିଲ୍ଲା/ସଞ୍ଜୀବ କୁମାର):ଜଟଣୀ ବ୍ଲକ ଅନ୍ତର୍ଗତ ବେଲପଡା-ଖୋଲାଦ୍ୱାରର ସରକାରୀ ଜମିକୁ ଉଛେଦ ବେଳେ ଗ୍ରାମବାସୀଙ୍କ ବିରୋଧ ଓ ପ୍ରତିବାଦ କରାଯାଇଛି । ଏହି ସରକାରୀ ଜମିରେ କେତେକ ଗୋଚର ଏବଂ ଅନାବାଦୀ ଜମି ମଧ୍ୟ ରହିଛି । ଗ୍ରାମର ଅନେକ ଲୋକ ଗଛ ଲଗାଇ ସେମାନଙ୍କ ପରିବାର ପ୍ରତିପୋଷଣ କରୁଥିବା ବେଳେ ବିନା ଗ୍ରାମସଭା ଓ ପଲିସଭାରେ ଉଛେଦ କରାଯାଇ ସେମାନଙ୍କ ପରିବାରକୁ ହତାଦର କରାଯାଉଛି ବୋଲି ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ । ଯଦି ପ୍ରଶାସନ ଏହି ଜମିରୁ ଉଛେଦ କାର୍ଯ୍ୟ ବନ୍ଦ ନ କରେ ତେବେ ସପରିବାର ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗନୁସାରେ, ଜଟଣୀ ବ୍ଲକର ବେଲପଡା-ଖୋଲାଦ୍ୱାର ଜଟଣୀ ମାନଚିତ୍ରରେ ସେତେଟା ଉନ୍ନତ ଧରଣର ଗ୍ରାମ ହୋଇନଥିବାରୁ ଏଠାକାର ଅଧିବାସୀ ବିଶେଷଭାବେ ଚାଷ ଓ ବରୁଣେଇ ପାଦଦେଶରେ ରହିଥିବା ଜଙ୍ଗଲଜମି,ଗୋଚର ଓ ଅନାବାଦୀ ଜମିରେ ଚାଷବାସ କରିି ଚଳନ୍ତି । ମାତ୍ର ଖୋଲାଦ୍ୱାର ଗ୍ରାମରେ ରହିଥିବା ଗୋଚରଜମି ମଧ୍ୟରୁ କେତେକ ଜମିକୁ ଅନାବାଦୀ କିସମ କରାଯାଇଛି ବୋଲି ଗ୍ରାମବାସୀ କହୁଛନ୍ତି । ମାତ୍ର ଏହି ଜମିରେ ଏକର ଏକର ଜମିରେ ଗ୍ରାମର ଖେଳପଡିଆ,ଶ୍ମଶାନ ଇତ୍ୟାଦି ରହିଥିବା ବେଳେ ଅନ୍ୟଗୁଡିକରେ ଗ୍ରାମର ଶତାଧୀକ ଚାଷୀ ବିଭିନ୍ନ ବୃକ୍ଷ ଲଗାଇ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି ।
ମାତ୍ର ସର୍କାରଙ୍କ କେହି ଅଧିକାରୀ ଉକ୍ତ ଜମିରେ ରହିଥିବା ଆମ୍ବ,ସାଗୁଆନ,ପଣସ,କାଜୁ,ପଟାସ ଇତ୍ୟାଦି ମୂଲ୍ୟବାନ ଗଛକୁ ଶନିବାର ଜେସିବି ମାଧ୍ୟମରେ ଉଛେଦ କରିଦେଇଛନ୍ତି । ଗ୍ରାମବାସୀମାନେ ବିରୋଧ କରିବାସତ୍ୱେ କେତେକ ମୂଲ୍ୟବାନ ଓ ଔଷଧୀୟ ବୃକ୍ଷଗୁଡିକୁ ଉଛେଦ କରିଦିଆଯାଇଛି । ତେବେ ଏହି ଉଛେଦ କରିବାପୁର୍ବରୁ କେହି ଗ୍ରାମରେ ଗ୍ରାମସଭା ଏବଂ ପଲୀସଭା କରିନାହାନ୍ତି । ପାହାଡ ପାଦଦେଶରେ ରହିଥିବା ପ୍ରକ୍ଷ୍ୟାତ ଠାକୁର ଗଡମହାବୀର,ରାଜାଙ୍କ ଖୋଲାଦ୍ୱାର ଏବଂ ଢାରଙ୍ଗା ବୃକ୍ଷ ଇତ୍ୟାଦି ଇତିହାସ କିମ୍ବଦନ୍ତୀରେ ଶୋଭା ପାଉଥିବା ବେଳେ ଓଡିଆଜାତିର ଐତିହ୍ୟ ଓ ଗୈାରବକୁ ନଷ୍ଟ କରିବାଲାଗି କେତେକ ମୁଷ୍ଟିମେୟ ବ୍ୟକ୍ତି ଚକ୍ରାନ୍ତ କରୁଥିବା ଗ୍ରାମବାସୀ କହିଛନ୍ତି ।
ଏଥିପ୍ରତି ଦୃଷ୍ଟିଦେଇ ଅତ୍ୟନ୍ତ ଖୋର୍ଦ୍ଧା ଐତିହ୍ୟକୁ ଜିବିତ ରଖନ୍ତୁ ବୋଲି କହିଛନ୍ତି । ଏଥି ସହିତ ଗ୍ରାମବାସୀଙ୍କ ପାଇଁ ଶ୍ମଶାନ ଏବଂ ଖେଳପଡିଆ ଯୋଗାଇ ଦିଅନ୍ତୁ । ଯଦି ଏଥିପ୍ରତି ପ୍ରଶାସନ ଦୃଷ୍ଟି ନଦିଅନ୍ତି କିମ୍ବା ଏହି ଜଙ୍ଗଲଜମି ଉଛେଦ କରାଯାଏ ତେବେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହିତ ଆତ୍ମହୁତି ଦେବୁ ବୋଲି ଗ୍ରାମର ଧ୍ରୁବଚରଣ ମହାପାତ୍ର,ଗୟାଧର ପରିଡା,ବ୍ରଜବନ୍ଧୁ ଜେନା, ଜଗନ୍ନାଥ ପାତ୍ର,ପ୍ରଶାନ୍ତ କୁମାର ମହାପାତ୍ର, ସୁରେନ୍ଦ୍ର ମହାପାତ୍ର, ଟୁକୁନା ମହାପାତ୍ର, ମାନସ ଜେନା, ରାକେଶ ମହାପାତ୍ର, ଲକ୍ଷ୍ମୀଧର ମହାପାତ୍ର, ଗଙ୍ଗାଧର ପରିଡା,ବୀଣା ଜେନା,ବିସିଆ ଜେନା,ବ୍ରହ୍ମାନନ୍ଦ ମହାପାତ୍ର ଏବଂ ବସନ୍ତ ମହାପାତ୍ର ପ୍ରମୁଖ ସୁଚନା ଦେଇଛନ୍ତି ।




