
ବାଲିଗୁଡା,୧୦/୧୨(ସୁକାନ୍ତ କୁମାର ତ୍ରିପାଠୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବିଡିଓ ନରେଶ ଚନ୍ଦ୍ର ଶବରଙ୍କ ବଦଳି ଦାବୀ ଜୋର ଧରିଲା। ଜନପ୍ରତିନିଧିମାନେ ନିଜ ନିଜ ଦାବୀରେ ଅଟଳ ରହିଛନ୍ତି। ଦୀର୍ଘଦିନରୁ ଧାରଣା ଦେଇଥିଲେ। ପ୍ରଶାସନ ହସ୍ତକ୍ଷେପ କରି ବୁଝାସୁଝା କରି ପ୍ରତିଶୃତି ଦେବା ପରେ ଧାରଣାରୁ ଓହରିଥିଲେ ଜନପ୍ରତିନିଧିମାନେ। କିନ୍ତୁ ପ୍ରଶାସନର ପ୍ରତିଶୃତି ପାଣିରେ ଗାର ହୋଇ ରହିଥିଲା।
ଏମାନଙ୍କ ଏକମାତ୍ର ଦାବୀ ପୁରଣ ନହେବା ପରେ ବୁଧବାର ପୁଣି ବ୍ଲକ ଅଧ୍ୟକ୍ଷ ପ୍ରମୋଦ ମଳିକ ଓ ଉପାଧ୍ୟକ୍ଷ ମିନତି ସୁନାଙ୍କ ନେତୃତ୍ତ୍ୱରେ ପୁଣି ବାଲିଗୁଡା ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଥିଲେ। ସକାଳ ୧୦ଟା ସମୟରେ ପଞ୍ଚାୟତ ସମିତିର ସମସ୍ତ ଜନପ୍ରତିନିଧି ମାନେ ଏକତ୍ରିତ ହୋଇ ବ୍ଲକର ମୁଖ୍ୟ ଫାଟକରେ ତାଲା ପକାଇଥିଲେ। ବ୍ଲକ କାର୍ଯ୍ୟାଳୟର କୌଣସି କର୍ମଚାରୀମାନଙ୍କୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରିବାକୁ ଦେଇନଥିଲେ।ଜନପ୍ରତିନିଧିମାନେ କହିଛନ। ଗତ ମାସ ନଭେମ୍ବର ତିନି ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରାୟ ୨୪ଦିନ ଧରି ଧାରଣାରେ ବସିଥିଲେ ଓ ୨୬ ତାରିଖ ଦିନ ବ୍ଲକ କାର୍ଯ୍ୟାଳୟକୁ ତାଲା ପକାଇଥିଲେ ।
ଏହାର କିଛି ସମୟ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଂଜନ ବାରିକ ଓ ଉପଜିଲ୍ଲାପାଳ ଡ.ଶୁଭଙ୍କର ମହାପାତ୍ର ଆସି ପ୍ରତିଶୃତି ଦେଇ କହିଥିଲେ ଯେ ଆସନ୍ତା ୭ ତାରିଖ ଦିନ ଭିତରେ ବିଡିଓଙ୍କ ବଦଳୀ ହୋଇଯିବ। ଏହାପରେ ଆମେ ଉପଜିଲ୍ଲାପାଳଙ୍କ କଥାକୁ ସମ୍ମାନ ଦେଇ ଧାରଣାରୁ ଓହରିଥିଲେ । ଆଜିକୁ 7 ଦିନ ବିତିଯାଇଥିଲେ ସୁଧା ବିଡିଓଙ୍କ ବଦଳୀ ହେଲାନାହିଁ ଏଥିପାଇଁ ଆମେ ପୁଣି ବାଧ୍ୟ ହୋଇ ବିଡିଓଙ୍କ ବଦଳୀ ଦାବୀ ନେଇ ବ୍ଲକ କାର୍ଯ୍ୟାଳୟରେ ତାଲା ପକାଇଛୁ।
ଆମ ଜନପ୍ରତିନିଧି ମାନଙ୍କ କଥାକୁ କାହିଁକି ପ୍ରଶାସନ ଅଣଦେଖା କରୁଛି ବୋଲି ପ୍ରଶ୍ନ ବାଢିବା ସହ ଯେଉଁ ପର୍ଯ୍ୟନ୍ତ ଆମର ଏକାମାତ୍ର ଦାବୀ ବିଡିଓଙ୍କ ବଦଳି ନହେବ ସେତେ ପର୍ଯ୍ୟନ୍ତ ଏମିତି ତାଲା ପଡିରହିବ ଯଦି ପ୍ରଶାସନ ଆମକଥାକୁ ନଶୁଣେ ତେବେ ଆମେ ଆମ ସର୍ମଥକଙ୍କୁ ଆଣି ଆଇନକୁ ହାତକୁ ନେଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି କହିଛନ୍ତି।






