
ଛତ୍ରପୁର,୦୯/୧୨(କିଶୋର ଚଦ୍ର ମହାନ୍ତି) : ଜଣେ ନାବାଳିକା ଛାତ୍ରୀଙ୍କୁ ଅପହରଣ ଘଟଣାର ଦୀର୍ଘ ୫ଦିନ ବିତିଥିଲେ ସୁଦ୍ଧା ପୋଲିସ ପକ୍ଷରୁ କିଛି ପଦକ୍ଷେପ ନିଆଯାଉ ନାହିଁ। ଏନେଇ ବୁଧବାର ନାବାଳିକାଙ୍କ ପିତାମାତା ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ବ୍ରିଜେଶ କୁମାର ରାଏଙ୍କୁ ଭେଟି ସେମାନେ ଗୁହାରୀ ଜଣାଇଛନ୍ତି। ଗତ ୪ ତାରିଖରେ ଗଞ୍ଜାମ ଥାନା ଅନ୍ତର୍ଗତ ଗଞ୍ଜାମ ସହର ବ୍ରାହ୍ମଣ ଢାମଣାସାହିର ନାବାଳିକା ଝିଅ ଟ୍ୟୁସନରୁ ଫେରିବା ସମୟରେ ଗଞ୍ଜାମ ସାମନ୍ତରାସାହିର ଟୁକୁନା ଗୌଡ ନାମକ ଜଣେ ଯୁବକ ଜୋରଜବରଦସ୍ତି ଅପହରଣ କରି ନେଇଛି। ସେ ପୂର୍ବରୁ ବାରମ୍ବାର ଆମକୁ ଏ ସଂକ୍ରାନ୍ତରେ ଧମକ ଦେଇ ଆସୁଥିଲା। ଏହି ଘଟଣାରେ ସାହିର ଅନ୍ୟ ଜଣ ଯୁବକଙ୍କ ମଧ୍ୟ ସଂପୂର୍ଣ୍ଣ ହାତ ରହିଛି। ଘଟଣା ଘଟିବା ଦିନ ଆମ୍ଭେ ଓ ଆମ୍ଭ ସଂପର୍କୀୟମାନେ ଅପହରଣ ସଂକ୍ରାନ୍ତରେ ଜାଣିଥିବା ସାହିର ଅନ୍ୟ ଯୁବକଙ୍କ ଘରୁ ପଚାରିବାରୁ ସେ ଆମ୍ଭକୁ କହିଲା ତୁମେ ଥାନାରେ କିଛି ଜଣାଅ ନାହିଁ ମୁଁ ତୁମ ଝିଅକୁ ସନ୍ଧ୍ୟା ୪ଟା ସୁଦ୍ଧା ଆଣି ପହଞ୍ଚାଇବି। ଝିଅ ନ ପହଞ୍ଚିବା ପରେ ଆମ୍ଭେ ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ କରିଥିଲୁ। କିନ୍ତୁ ଘଟଣାର ଦୀର୍ଘ ୫ଦିନ ବିତି ଯାଇଥିଲେ ସୁଦ୍ଧା ଗଞ୍ଜାମ ଥାନା ପୋଲିସ ଘଟଣାକୁ ଗୁରୁତ୍ୱ ନେଇନାହାନ୍ତି। ପୋଲିସ ବର୍ତ୍ତମାନ ସୁ୍ଦ୍ଧା ତଦନ୍ତରେ ଅବହେଳା କରୁଛି ବୋଲି ନାବାଳିକାଙ୍କ ପିତା ପ୍ରଶାନ୍ତ ମହାପାତ୍ର ଓ ମାତା ମନସ୍ପିନୀ ମହାପାତ୍ର ଆରକ୍ଷୀ ଅଧୀକ୍ଷକଙ୍କ ଠାରେ ଅଭିଯୋଗ କରିଥିଲେ ।



