
ଜଟଣୀ,09/12(ସଞ୍ଜୀବ କୁମାର): ଖୋର୍ଦ୍ଧା ଜିଲ୍ଲା ଜଟଣୀବ୍ଲକ ଅନ୍ତର୍ଗତ ଛଣଘର ପଚାଂୟତର ଓଗରସୂଆଁ ଗ୍ରାମରେ ରହିଥିବା ସର୍ବସାଧାରଣ ବ୍ୟବହୃତ ମାର୍କଣ୍ଡସାହି ବଡପୋଖରୀର ଅବସ୍ଥା ଏବେ ଶୋଚନୀୟ ହୋଇପଡିଛି । ଗ୍ରାମର ଏହି ପୋଖରୀ ଉପରେ ୯୦% ଲୋକ ନିର୍ଭର କରୁଥିବା ବେଳେ ଏହି ପୋଖରୀରେ ଏବେ କଲିକତି ଦଳଭର୍ତିର୍ ହୋଇ ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ଏଥି ସହିତ ପୋଖରୀକୁ ଯାତାୟତ ପାଇଁ ରାସ୍ତାଟିଏ ନଥିବା ବେଳେ ଗ୍ରାମବାସୀମାନେ ନିଜଖର୍ଚ୍ଚରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରି ଯାତାୟତ କରୁଛନ୍ତି ବୋଲି କହିଛନ୍ତି ।
ଏଥିପ୍ର୍ତି ବିଭାଗୀୟ ଅଧିକାରୀ ଦୃଷ୍ଟିଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି । ସୁଚନାନୁସାରେ, ଛଣଘର ପଚାଂୟତ ଅଧିନ ଓଗରସୂଆଁ ଏକ ଅନୁର୍ନ୍ନତ ଗ୍ରାମର ପରିଚୟ ସୃଷ୍ଟି କରିଛି ବୋଲି ଗ୍ରାମବାସୀମାନେ କ୍ଷୋଭପ୍ରକାଶ କରି କହିଛନ୍ତି । କାରଣ ଉକ୍ତଗ୍ରାମକୁ ଯାତାୟତପାଇଁ ଏଯାଏଁ ଭଲ ରାସ୍ତାଟିଏ ହୋଇପାରିନଥିବା ବେଳେ ସର୍ବସାଧାରଣଙ୍କ ପାଇଁ ଉର୍ଦ୍ଧିଷ୍ଟ ପୋଖରୀଟି ମଧ୍ୟ କାଳକ୍ରମେ ଧରାଶୟ ହେବାକୁ ବସିଲାଣି । ଓଗରସୂଆଁ ଗ୍ରାମର ମାର୍କଣ୍ଡସାହୀ ବଡପୋଖରୀ ଉପରେ ଗ୍ରାମର ୯୦% ଭାଗଲୋକ ନିର୍ଭର କରିଥାନ୍ତି ।
ଶହଶହ ବର୍ଷର ଏହି ପୁରାତନ ପୋଖରୀକୁ ପୁର୍ବପୁରୁଷରୁ ଲୋକମାନେ ବ୍ୟବହାର କରିଆସୁଛନ୍ତି । ମାତ୍ର ଦିର୍ଘ ୧୦ବର୍ଷହେବ ଏହି ବଡପୋଖରୀଟି ଏବେ କଲିକତି ଦଳରେ ପରିପୁର୍ଣ୍ଣ ହୋଇଗଲାଣି । ଫଳରେ ଗ୍ରାମବାସୀମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହେଉଛନ୍ତି । ସରକାରଙ୍କ ପାନୀୟଜଳ ଯୋଗାଣ ପ୍ରକଳ୍ପ ମାଧ୍ୟମରେ ଗ୍ରାମକୁ ପାନୀୟଜଳ ଯୋଗାଣଲାଗି କାର୍ଯ୍ୟାରମ୍ଭ ହୋଇଥିଲେ ସୁଧା ଏପର୍ଯ୍ୟନ୍ତ ଜଳଯୋଗାଣ ହୋଇପାରିନାହିଁ । ଅନ୍ୟପକ୍ଷରେ ଉକ୍ତଗ୍ରାମରେ କେତେକ ବ୍ୟକ୍ତିଙ୍କ ଶୈାଚାଳୟ ନଥିବାରୁ ଏହି ପୋଖରୀ ହୁଡା ସେମାନଙ୍କ ପାଇଁ ଶୈାଚାଳୟ ପାଲଟିଛି । ଯିଏ ଶୈାଚପାଇଁ କିମ୍ବା କୈାଣସି କାର୍ଯ୍ୟପାଇଁ ଯିବ ତେବେ ସେଠାରୁ ଦଳକାଢିବାପରେ ବ୍ୟବହାର କରିବ ।
ତେଣୁ ଲୋକମାନଙ୍କର ଗାଧୁଆପାଧୁଆ,ଶୈାଚ,ଦଶାହ ଏବଂ ଗାଈଗୋରୁଙ୍କୁ ମଧ୍ୟ ଏହି ପୋଖରୀରେ ଗାଧୁଆପାଧୁଆ କରାଯାଇଥାଏ ବୋଲି କହିଛନ୍ତି ଗ୍ରାମବାସୀମାନେ । ଅନ୍ୟ ପକ୍ଷରେ ଏହି ପୋଖରୀକୁ ବାଟଟିଏ ନଥିବା ବେଳେ ତୁଠ ମଧ୍ୟ ପୋତିହୋଇ ଗଲାଣି । ଗ୍ରାମବାସୀମାନେ ଘରପିଛା ୩୦୦ଟଙ୍କା ଲେଖାଁଏ ଆଦାୟ କରି ଜଣେ ବ୍ୟକ୍ତିଙ୍କ ବିଲରେ ମାଟିପକାଇ ଅସ୍ଥାୟୀବାଟ ବାହାର କରି ଯାତାୟତ କରୁଛନ୍ତି । ବର୍ଷା ଋତୁରେ ଏହି ପୋଖରୀଟି ସପୁର୍ଣ୍ଣ ଜଳମଗ୍ନ ହୋଇ ବ୍ୟବହାର ଅନୁପଯୋଗୀ ହୋଇଯାଇଥାଏ । ତେବେ ଏହି ପୋଖରୀଟିରେ କଲିକତି ଦଳଭର୍ତି ହୋଇଯିବାପରେ କାଳକ୍ରମେ ଗ୍ରାମବାସୀମାନେ ନିତ୍ୟ ବ୍ୟବହାର କାର୍ଯ୍ୟ ବନ୍ଦ କରିଦେଇଛନ୍ତି । କେବଳ ମାତ୍ର ଲୋକମାନଙ୍କ ଶୈାଚକାର୍ଯ୍ୟରେ ବ୍ୟବହୃତ ହେଉଛି ଏହି ବଡପୋଖରୀ ବୋଲି କହିଛନ୍ତି ଗ୍ରାମବାସୀମାନେ । କିଛିଦିନ ପୁର୍ବେ ଏହି ପୋଖରୀଟିରୁ ଦଳ କଢାଯାଇଥିଲା । ମାତ୍ର ଏବେ ଆଉ ଦଳ କଢାଯାଉନଥିବାରୁ ଧିରେଧିରେ ପୋଖରୀଟିି ଦଳରେ ପୋତି ହୋଇ ଧରାଶାୟୀ ହୋଇଗଲାଣି । ଉକ୍ତଗ୍ରାମଟି ଛଣଘର ପଚାଂୟତ ଅଧିନରେ ରହିଥିବାରୁ ଏନେଇ ଛଣଘର ସରପଚଂ ସୁନିଲ କୁମାର ରାଉତରାୟଙ୍କୁ ପଚାରିବାରେ ସେ କୁହନ୍ତୀ, ଓଗରସୂଆଁ ମାର୍କଣ୍ଡସାହୀରେ ରହିଥିବା ବଡପୋଖରୀଟି ସରକାରୀ କିମ୍ବା ପଚାଂୟତ ଅଧିନରେ ନାହିଁ ।
ଏଣିକି ଆଉ ସରକାରୀ ନିଲାମ ମଧ୍ୟ ଦିଆଯାଉ ନାହିଁ । ମାତ୍ର ଗ୍ରାମବାସୀମାନଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଉକ୍ତପୋଖରୀରୁ ଦଳକାଢିବାକୁ କିଛି ଟଙ୍କାଦେଇଥିଲି । ଦଳ ମଧ୍ୟ କଢାଯାଇ ପୋଖରୀଟି ବ୍ୟବହାର କରାଯାଉଥିଲା । ଅନ୍ୟପକ୍ଷରେ ଏହି ପୋଖରୀଲାଗି ୧୦ଲକ୍ଷ ଟଙ୍କା ବ୍ୟୟଅଟକଳ କରାଯାଇ ନିଜେ ଜିଲାପିଡି ମଧ୍ୟ ଉକ୍ତ ପୋଖରୀ ପରିଦର୍ଶନରେ ଆସିଥିଲେ । ଏହି ପୋଖରୀଟିକୁ ମଡେଲ ପୋଖରୀର ମାନ୍ୟତା ମିଳିଥାନ୍ତା । ମାତ୍ର କାର୍ଯ୍ୟାରମ୍ଭ ହେବାପୁର୍ବରୁ ଗ୍ରାମବାସୀମାନେ ପୋଖରୀ ପୁନରୁଧାର କରିବାଲାଗି ନିକଟସ୍ଥ ଜମି ଛାଡିବାକୁ ଅରାଜି ହୋଇଥିଲେ । ଫଳରେ ଏହି ପ୍ରକଳ୍ପଟି ପ୍ରତ୍ୟାଖ୍ୟାନ କରାଯାଇଥିଲା । ତେବେ ଏନେଇ ଗ୍ରାମବାସୀମାନେ କୁହନ୍ତି, ଯାହା ବି ହେଉ ଆମକୁ ଏହି ପୋଖରୀଟି ପୁନରୁଧାର କରି ଦିଆଯାଉ । ଫଳରେ ଗ୍ରାମବାସୀମାନେ ଉପକୃତ ହୋଇପାରିବେ । ଏଥିପ୍ରତି ଦୃଷ୍ଟିଦେବାକୁ ଓଗରସୂଆଁ ଗ୍ରାମର ବଳରାମ ସ୍ୱାଇଁ,ପ୍ରଫୁଲ କୁମାର ସ୍ୱାଇଁ, ସନାତନ ସ୍ୱାଇଁ,ଗୋକୂଳ ଭୂୟାଁ,ମନୋଜ ସେଠୀଙ୍କ ସହିତ ଗ୍ରାମବାସୀମାନେ ଦୃଢଦାବି କରିଛନ୍ତି ।






