
ମୁନିଗୁଡା,(ରାୟଗଡା ଜିଲା) ୩ ଡିସେମ୍ବର ୨୦୨୦(ସନାତନ ନାୟକ):
ଅନେକ ପର୍ଯ୍ୟଟକଙ୍କ ଆକର୍ଷଣର ଆଧ୍ୟାତ୍ମିକ ସ୍ଥଳ ପାଲଟିବାକୁ ଯାଉଛି ରାୟଗଡା ଜିଲା ମୁନିଗୁଡା ବ୍ଲକ କୁମୁଡ଼ାବାଲି ପଞ୍ଚାୟତସ୍ଥ ଦେଓକୁପୁଲି ଗାଁ ନିକଟ କିରାମ ପାହାଡର ପାଦଦେଶ।ତିନି ବର୍ଷ ପୂର୍ବରୁ ଜଣେ କିଶୋର ବିଦ୍ୟାର୍ଥୀଙ୍କ ବାରମ୍ବାର ସ୍ୱପ୍ନାଦେଶକୁ ପାଗଲାମୀ କହି ଏଡେଇ ଚାଲିଥିବା ପରିବାର,ଗ୍ରାମବାସୀ ଶେଷରେ ବିଦ୍ୟାର୍ଥୀର ଦୃଢ଼ ସଂକଳ୍ପ ଓ ସ୍ୱପ୍ନାଦେଶ ସୂଚିତ ସ୍ଥାନରୁ ଦିବ୍ୟ ଶିବଲିଙ୍ଗର ଆବିଷ୍କାର ହେବା ଫଳରେ ସମ୍ପର୍ଣ୍ଣ ବନାଞ୍ଚଳଟି ଶିବମୟ ହୋଇ ଉଠିଛି।
ରାୟଗଡା ଜିଲ୍ଲା ଅନେକ ତୀର୍ଥସ୍ଥଳ,ପର୍ଯ୍ୟଟନ କ୍ଷେତ୍ର,ପୌରାଣିକ ସ୍ଥଳ,ପ୍ରାକୃତିକ ସ୍ଥାନ ଥିବା ସହ ନିଜସ୍ୱ କଳା ସଂସ୍କୃତି ପାଇଁ ପ୍ରସିଦ୍ଧଲାଭ କରିଛି।ଆଜି ଏହାର ପର୍ଯ୍ୟଟନ ମାନଚିତ୍ରରେ କିରାମ ପାହାଡ଼ର ଶୈବକ୍ଷେତ୍ର ପୁରାତନ ଆଦିମ ସଭ୍ୟତାର ସଂସ୍କୃତି ସ୍ଥାନଟିଏ ଖୋଜୁଛି।ମୁନିଗୁଡା ଠାରୁ ମାତ୍ର ୧୧କିଲୋମିଟର ଦୂର କୁମୁଡ଼ାବାଲି ଦେକୁପୁଲି ଦେଇ ଧୂଆଁପଦର ଛକରୁ ଖିଲାମୁଣ୍ଡା ରାସ୍ତାଦେଇ କିଛି ପାଦ ଚଲା ଜଙ୍ଗଲୀ ରାସ୍ତା ଦେଇ ଗଲେ ଦେଖାଦିଏ |
ଏହି କିରାମ ପାହାଡ଼।ସବୁଜ ବନାନୀ ପରିବେଷ୍ଟିତ ଏହାର ଘଞ୍ଚ ଜଙ୍ଗଲ,ବିରଳ ପ୍ରଜାତିର ଔଷଧିୟ ବୃକ୍ଷରାଜି,କୁଞ୍ଚୁକୁଞ୍ଚିଆ ପାହାଡ ଶିଖରରେ ଦିନରେ ସୂର୍ଯ୍ୟ ଆଉ ସନ୍ଦ୍ୟାରେ ଜହ୍ନର ଲୁଚକାଳି ଖେଳ,ଅଦ୍ଭୁତ ଝରଣାର ନୈସର୍ଗିକ ଦୃଶ୍ୟ,ବହିଯାଉଥିବା ବଂଶଧାରାର କୁଳୁକୁଳୁ ଶବ୍ଦ,ବନଫୁଲ ସୁଗନ୍ଧିତ ପବନ,ପକ୍ଷୀ ମାନଙ୍କ କାକାଳୀ,ପାହାଡ଼ି ଅଙ୍କାବଙ୍କା ଘାଟି ରାସ୍ତାର କଡେକଡେ ଥିବା ଅଳସୀ,ଶୋରିସ କ୍ଷେତର ସୁବର୍ଣ୍ଣ ସମାହାର,କୋରେଇ ଫୁଲର ମହକ,ମହୁଲ ଫୁଲର ମାଦକତା ଆଉ ନିଷ୍ପାପ ବନକୁମାରୀ ମାନଙ୍କ ମନମତାଣିଆ ନୃତ୍ୟଗୀତ ମଧ୍ୟରେ ଶୀତ ଋତୁରେ କାକରଭିଜା ଶୁନ୍ୟ ଆକାଶ ତଳେ ଆଜି ପୂଜା ପାଉଛନ୍ତି ଦେବଦେଵ ମହାଦେବଙ୍କ ପ୍ରତୀକ ଶିବଲିଙ୍ଗ ନିଳକଣ୍ଠେଶ୍ବର ନାମରେ।ପାର୍ଶ୍ଵରେ ଅଛି |
ପ୍ରଭୁଙ୍କ ପ୍ରିୟ ନାଗ ଦେବତାଙ୍କ ବିଜେସ୍ଥଳୀ ବିରାଟ ଉଇ ହୁଙ୍କା।ମହାପ୍ରଭୁ ଶିବଙ୍କ ପବିତ୍ର ବେଲ,ଅଁଳା,ଅଶ୍ୱସ୍ଥ ଗଛ ପରିବେଷ୍ଟିତ ସୁନ୍ଦର ଦେବନିର୍ମିତ ପ୍ରକୃତିର ନନ୍ଦନକାନନ ମଧ୍ୟରେ କେଉଁ ଅନାଦି କାଳରୁ ବିଜେ ପାଉଥିବା ଅଲୌକିକ ଶିବ ଲିଙ୍ଗ ଆଜି ଆଧ୍ୟାତ୍ମିକ ଜୀବନ ପାଇଁ ଅନେକଙ୍କ ଭକ୍ତିର ଆକର୍ଷଣ ସାଜିଛି।ମୁନିଗୁଡା ଅଂଚଳରେ ଅନେକ ଶୈବକ୍ଷେତ୍ର ଅଛି,କିନ୍ତୁ ପ୍ରକୃତି କୋଳରେ ପ୍ରକୃତି ଦେବତା ଭାବେ ଏହି ଶୈବପୀଠ ଅନନ୍ୟ।ଦେକୁପୁଲି ଗାଁର କାନ୍ଧ ବାଳକ ଉତ୍ତମ ଜାଗେରଙ୍ଗାକୁ ସ୍ୱପ୍ନାଦେଶରେ କେହି ଜଣେ ତାଙ୍କୁ ବାରମ୍ବାର ଜଣାଉଥିଲେ ମୁଁ ପାହାଡ଼ ତଳେ,ହୁଙ୍କା ମୂଳେ ଅଛି।ମୋ ଚାରିପଟେ ବେଳ,ଅଁଳା ଗଛ ଘେରି ରହିଛନ୍ତି।ଅଦ୍ଭୁତ ଶୀଶୁ ଝରଣାଟିଏ ବାହାରି ଅଳ୍ପ ଦୂରରେ ଲୀନ ହୋଇଯାଇଛି |
ଏଥି ସହିତ ଗୋଟେ ଭଗ୍ନ ଗୃହର ଭଗ୍ନାଂଶ ପାଖରେ ଅଛି।ଏହି ଜାଗାରେ ମୁ ଅଛି,ମୋତେ ସେଠାରେ ପୂଜା କର।ବାଳକଟି ଅସ୍ଥିର ହୋଇ ସୂଚିତ ସ୍ଥାନକୁ ଖୁଜୁ ଥିଲା। ଖୋଜିବା ଖୋଜିବାରେ ତିନି ବର୍ଷ ବିତିଗଲା।ଉତ୍ତମର କଥା ତିନି ବର୍ଷ ପୂର୍ବେ ପାଗଲାମୀ ଥିଲା ଭାବି ସମସ୍ତେ ଏଡେଇ ଦେଇଥିଲେ।ହେଲେ ସେଦିନର ସେହି ବାଳକ ହାର ନମାନି ସ୍ୱପ୍ନ ସୂଚିତ ସ୍ଥାନ ଖୋଜି ଶେଷରେ ପାଇଥିଲା।ନିଜେ ପୂଜକ ସାଜି ପ୍ରତିଦିନ ପୂଜା କରି ଚାଲିଲା। ପିଲାଟିର ଅତୁଟ ଭକ୍ତିଭାବ ଗ୍ରାମବାସୀଙ୍କୁ ସେ ଅରଣ୍ୟ ମଧ୍ୟକୁ ଟାଣି ଆଣିଲା।ଚଳିତ ବର୍ଷ କାର୍ତ୍ତିକ ମାସରେ ଗ୍ରାମବାସୀଙ୍କ ଦ୍ବାରା ପୂଜାର୍ଚ୍ଚନା ସହ ପୀଠର ମହତ୍ଵ ଲୋକଲୋଚକୁ ଆସିଛି।ଆଜି ଭକ୍ତ,ଭଗବାନଙ୍କ ମିଳନରେ ଏହି ସ୍ଥାନ ଭକ୍ତିମୟ ହୋଇ ଉଠିବା ସହ ବହୁ ଭକ୍ତସମାଗମ ହେବାରେ ଲାଗିଚ୍ଛି।
ଏଠାକୁ ଭଲ ରାସ୍ତା,ଆଲୋକ,ପାନୀୟ ଜଳ ସହ ରାତ୍ରି ବିଶ୍ରାମଗାର ଏବଂ ଭଗବାନଙ୍କ ସୁରକ୍ଷା ନିମନ୍ତେ ବ୍ୟବସ୍ଥା କରିବାକୁ ପୂଜକ ଉତ୍ତମ ଜାଗେରଙ୍ଗାଙ୍କ ସହିତ ଗ୍ରାମବାସୀ ଅନୁରୋଧ କରିଛନ୍ତି।ଏହି କ୍ଷେତ୍ରର ବିକାଶ ଘଟିଲେ ରାୟଗଡା ପର୍ଯ୍ୟଟନ ମାନଚିତ୍ରରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡି ହେବା ସହ ଆମ ସଂସ୍କୃତିର ଉଥାନ ହେବ।











