
ଜଟଣୀ,୩ ଡିସେମ୍ବର ୨୦୨୦(ଖୋର୍ଦ୍ଧା ଜିଲ୍ଲା/ସଞ୍ଜୀବ କୁମାର): ଆଇଆଇଟି ଭୂବନେଶ୍ୱର,ଅରଗୁଳୁ କ୍ୟାମ୍ପସଠାରେ ନବମ ସମାବର୍ତନ ଉତ୍ସବ ଚଳିତ ୪ତାରିଖରେ ଅରଗୁଳୁ ସ୍ଥିତ ସ୍ଥାୟୀ କ୍ୟାମ୍ପସଠାରେ ଆୟୋଜିତ ହେବ । ଏନେଇ ବୁଧବାର ଆଇଆଇଟି କନର୍ଫେନ୍ସହଲ ଠାରେ ଏକ ପ୍ରସ୍ତୁତି ବୈଠକ ଆଇଆଇଟି ନିର୍ଦ୍ଧେଶକ ପ୍ରଫେସର ଆର ଭି ରାଜାକୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି ।
ଡିସେମ୍ବର ୪ ତାରିଖରେ ଅରଗୁଳୁସ୍ଥିତ ସ୍ଥାୟୀ କ୍ୟାମ୍ପସର କମ୍ୟୁନିଟି ସେଂଟରରେ ହେବାକୁଥିବା ଆଇଆଇଟିର ନବମ ସମାବର୍ତନ ଉତ୍ସବରେ ମୂଖ୍ୟ ଅତିଥୀଭାବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଡଃ ରମେଶ ପୋଖରୀଆଲ “ନିଶଙ୍କ’ ଯୋଗଦେଇ ସ୍ୱର୍ଣ୍ଣପଦକ ବିଜେତା ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବେ । ଭିଡିଓ କନଫ୍ରେନ୍ସି ମାଧ୍ୟମରେ ଯୋଗଦେବା ସହିତ ଡଃ ନିଶଙ୍କ ଦିକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ ।
ଏଥି ସହିତ ଷ୍ଟୁଡେଂଟ ଆକ୍ଟିଭିଟି ସେଂଟର, ସ୍କୁଲ ଅଫ ହ୍ୟୁମାନିଟିଜ୍,ସ୍କୁଲ ଅଫ ସୋସିଆଲ ସାଇନ୍ସ ଆଣ୍ଡ ମ୍ୟାନେଜମେଂଟ ଏବଂ ଖେଳପଡିଆ ଇତ୍ୟାଦିର ଉଦଘାଟନ କରିବେ ବୋଲି ନିର୍ଦ୍ଧେଶକ ପ୍ରଫେସର ଶ୍ରୀ ରାଜାକୁମାର କହିଛନ୍ତି । ସେହିପରି ଏହି ସମାବର୍ତନ ଉତ୍ସବରେ ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ (ରାଜ୍ୟପାହ୍ୟା) ସଂଜୟ ଧୋତ୍ରେ ସମ୍ମାନୀତ ଅତିଥୀଭାବେ ଯୋଗଦେବା ସହିତ ଆଇଆଇଟି ଭୂବନେଶ୍ୱର ବୋର୍ଡ ଅଫ ଗଭର୍ଣ୍ଣରର୍ସର ଅଧ୍ୟକ୍ଷ ଡ. ରାଜେନ୍ଦ୍ର ପ୍ରସାଦ ସିଂହ ଅନଲାଇନ ମାଧ୍ୟମରେ ଯୋଗଦେଇ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବାର ଯୋଜନା ରହିଛି ।
ଏହି କାର୍ଯ୍ୟକ୍ରମରେ ନିର୍ଦ୍ଧେଶକ ଆର ଭି ରାଜାକୁମାର ରିପୋର୍ଟ ପ୍ରଦାନ କରିବା ସହିତ ଡିଗ୍ରୀଧାରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ । ଏଥିରେ ୩୫ଜଣ ପିଏଚଡି,୧୪୧ଜଣ ଏମ ଟେକ୍, ୭୦ଜଣ ଏମଏସସି ଏବଂ ୨୦୦ଜଣ ବିଟେକ ସମେତ ମୋଟ ୪୪୬ଜଣ ଡିଗ୍ରୀ ପାଇବେ । ଉକ୍ତ କାର୍ଯ୍ୟକ୍ରମରେ ଡିଗ୍ରୀଧାରୀ ଛାତ୍ରଛାତ୍ରୀ, ସୋମନଙ୍କର ଅଭିଭାବକ,ଫାକଲ୍ଟି ମେମ୍ବର,ଷ୍ଟାଫ ମେମ୍ବର ଏବଂ ଇନିଷ୍ଟିଚ୍ୟୁଟର ଆଡମିନିଷ୍ଟ୍ରେସନ ସଦସ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।





