Home ଜିଲ୍ଲା ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶ୍ରୀ ବିଜୟ କୃଷ୍ଣ ପଟେଲଙ୍କୁ ଓଡ଼ିଶା ମାନବାଧିକାର କମିଶନର...

ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶ୍ରୀ ବିଜୟ କୃଷ୍ଣ ପଟେଲଙ୍କୁ ଓଡ଼ିଶା ମାନବାଧିକାର କମିଶନର ମୁଖ୍ୟ ଭାବରେ ନିଯୁକ୍ତି

90

ସୁନ୍ଦରଗଡ଼, ୨ ଡିସେମ୍ବର ୨୦୨୦(ବିଶ୍ବରଂଜନ ହୋତା): ଓଡ଼ିଶା ସରକାରଙ୍କ ଆଇନ୍ ବିଭାଗର ସଦ୍ୟ ପ୍ରକାଶିତ ଏକ ବିଜ୍ଞପ୍ତି ଅନୁଯାୟୀ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଶ୍ରୀ ବିଜୟ କୃଷ୍ଣ ପଟେଲଙ୍କୁ ଓଡ଼ିଶା ମାନବାଧିକାର କମିଶନର ମୁଖ୍ୟ ଭାବରେ ନିଯୁକ୍ତି ପ୍ରଦାନ କରିଛନ୍ତି। ଜଷ୍ଟିସ ଶ୍ରୀ ବିଜୟ କୃଷ୍ଣ ପଟେଲ ସୁନ୍ଦରଗଡ଼ ନିବାସୀ ସ୍ଵର୍ଗତ ରାମଚନ୍ଦ୍ର ପଟେଲ ଓ ସ୍ୱର୍ଗତା ଲକ୍ଷ୍ମୀପ୍ରିୟା ପଟେଲ୍ ଙ୍କ ସୁଯୋଗ୍ୟ ସନ୍ତାନ ଅଟନ୍ତି। ସୁନ୍ଦରଗଡ଼ ଭଳି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଜନ୍ମଗ୍ରହଣ କରି ଜଷ୍ଟିସ ପଟେଲ୍ ଭବାନୀଶଙ୍କର ଉଚ୍ଚ ବିଦ୍ୟାଳୟରୁ ମ୍ୟାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସମୟକ୍ରମେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଆଇନ୍ ଡିଗ୍ରୀ ହାସଲ କରି ଜଣେ ଦକ୍ଷ ଓକିଲ ଭାବରେ ୧୯୭୯ ରୁ କାର୍ଯ୍ୟ ଆରମ୍ଭ କରି ୧୯୯୩ ଯାଏଁ ସୁନ୍ଦରଗଡ଼ ବିଚାରାଳୟ ରେ ଅନେକ ମାମଲାକୁ ପରିଚାଳନା କରି ସୁନାମ ଅର୍ଜନ କରିଥିଲେ।

ଏହା ପରେ ଅତିରିକ୍ତ ଜିଲ୍ଲା ବିଚାରପତି ଓ ସେସନ୍ ଜଜ୍ ଭାବରେ ପୁରୀରେ ତାଙ୍କ ର କାର୍ଯ୍ୟକାଳ ଆରମ୍ଭ କରିଥିଲେ। କାଳକ୍ରମେ ୨୦୦୮ ମସିହାରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇ ଜାନୁଆରୀ ୨୩ ତାରିଖ ୨୦୧୫ ମସିହା ପର୍ଯ୍ୟନ୍ତ କାର୍ଯ୍ୟରତ ଥିଲେ। ଅବସର ପରେ ରାଜ୍ୟ ଖାଉଟି କମିଶନ୍ ର ସଭାପତି ଭାବରେ ୨୦୧୭ ରୁ ୨୦୨୦ ପର୍ଯ୍ୟନ୍ତ ସୁଚାରୁ ଭାବରେ କାର୍ଯ୍ୟ ସମ୍ପାଦନ କରିଥିଲେ। ଜଷ୍ଟିସ ଶ୍ରୀ ବିଜୟ କୃଷ୍ଣ ପଟେଲ ରାଜ୍ୟ ମାନବାଧିକାର କମିଶନ୍ ର ମୁଖ୍ୟ ଭାବରେ ନିଯୁକ୍ତ ହେବା ଖବର ପାଇ ସୁନ୍ଦରଗଡ଼ ଜିଲ୍ଲାରେ ଖୁସିର ଲହରୀ ଖେଳି ଯାଇଛି। ସୁନ୍ଦରଗଡ଼ର ଜଣେ ସୁପୁତ୍ର ରାଜ୍ୟ ମାନବାଧିକାର କମିଶନ ର ମୁଖ୍ୟ ଭାବରେ ଅବସ୍ଥାପିତ ହେବା ଜିଲ୍ଲା ପାଇଁ ଏକ ଗୌରବର ବିଷୟ ବୋଲି ଜିଲ୍ଲାବାସୀ ପ୍ରକାଶ କରିଛନ୍ତି।